ମୁମ୍ବାଇ: ସୁପରଷ୍ଟାର ରଜନୀକାନ୍ତଙ୍କ ବହୁପ୍ରତୀକ୍ଷିତ ପାନ୍-ଇଣ୍ଡିଆ ଫିଲ୍ମ Jailer 2ରେ ଜାତୀୟ ପୁରସ୍କାର ପ୍ରାପ୍ତ ଅଭିନେତ୍ରୀ ବିଦ୍ୟା ବାଲାନ ସାମିଲ ହୋଇଛନ୍ତି। ରବିବାର ସନ୍ ପିକ୍ଚର୍ସ ପକ୍ଷରୁ ଏକ ଭିଡିଓ ଜାରି କରାଯାଇ ଫିଲ୍ମରେ ତାଙ୍କ ଚରିତ୍ରର ନାମ 'କାନ୍ଥା' ବୋଲି ଘୋଷଣା କରାଯାଇଛି। ଏହି ସ୍ୱତନ୍ତ୍ର ଝଲକ ସେୟାର କରି ନିର୍ମାତାମାନେ ଲେଖିଛନ୍ତି, ‘ଧୈର୍ଯ୍ୟ ଏବଂ ନିଷ୍ଠାର ଏକ ଅନନ୍ୟ ପ୍ରତୀକ- 'କାନ୍ଥା' ଭାବରେ ବିଦ୍ୟା ବାଲାନ। ଏହାସହ ଏହି ଚଳଚ୍ଚିତ୍ରଟି ଆସନ୍ତା ଅକ୍ଟୋବର ୧୫, ୨୦୨୬ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ବୋଲି ସ୍ପଷ୍ଟ ହୋଇଛି ।

'ଜେଲର୍ ୨' ର ଷ୍ଟାରକାଷ୍ଟ୍‌
 ୨୦୨୩ ର ସୁପରହିଟ୍ ଫିଲ୍ମ 'ଜେଲର୍' ର ସଫଳତା ପରେ ରଜନୀକାନ୍ତ ପୁଣି ଥରେ 'ଟାଇଗର୍ ମୁଥୁଭେଲ୍ ପାଣ୍ଡିଆନ୍' ଭୂମିକାରେ ଫେରୁଛନ୍ତି। ବିଦ୍ୟା ବଲାନଙ୍କ ବ୍ୟତୀତ ଏହି ସିକ୍ୱେଲରେ ଏସ୍.ଜେ. ସୂର୍ଯ୍ୟ , ମାଲାୟାଲମ୍ ଅଭିନେତା ସୂରଜ ୱେଞ୍ଜାରାମୁଡୁ,  ମିଥୁନ ଚକ୍ରବର୍ତ୍ତୀ ଏବଂ ଜତିନ୍ ସର୍ଣ୍ଣା ମଧ୍ୟ ନୂଆ ଭୂମିକାରେ ନଜର ଆସିବେ।  ପ୍ରଥମ ଭାଗରୁ ରମ୍ୟା କୃଷ୍ଣନ୍, ଯୋଗୀ ବାବୁ, ମିର୍ଣ୍ଣା ଏବଂ ବିନାୟକନ୍ ନିଜ ନିଜ ଭୂମିକା ଦୋହରାଇବେ। କନ୍ନଡ଼ ସୁପରଷ୍ଟାର ଶିବ ରାଜକୁମାର ମଧ୍ୟ ଏଥିରେ କ୍ୟାମିଓ ରୋଲରେ ନଜର ଆସିବାର ସମ୍ଭାବନା ରହିଛି।

'ଜେଲର୍' ର ସଫଳ ନିର୍ଦ୍ଦେଶକ ନେଲସନ୍ ଦିଲୀପକୁମାର ଏହି ସିକ୍ୱେଲର ମଧ୍ୟ ନିର୍ଦ୍ଦେଶନା ଓ କାହାଣୀ ପରିଚାଳନା କରୁଛନ୍ତି। ସଙ୍ଗୀତ ନିର୍ଦ୍ଦେଶନା ଭାର ଅନିରୁଦ୍ଧ ରବିଚନ୍ଦର ସମ୍ଭାଳୁଥିବା ବେଳେ 'ସନ୍ ପିକ୍ଚର୍ସ' ଏହାର ପ୍ରଯୋଜନା କରୁଛି।

ଫିଲ୍ମର କାହାଣୀ ସମ୍ପର୍କରେ ନିର୍ମାତାମାନେ ଏପର୍ଯ୍ୟନ୍ତ କୌଣସି ସୂଚନା ଦେଇନାହାନ୍ତି। ପ୍ରଥମ ଭାଗରେ ମୁଥୁଭେଲ୍ ପାଣ୍ଡିଆନ୍ ନିଜ ପରିବାର ଓ ଅପରାଧୀ ଜଗତ ମଧ୍ୟରେ ଫସିରହିବା ଦେଖାଯାଇଥିଲା। ଏହି ଦ୍ୱିତୀୟ ଭାଗରେ କାହାଣୀକୁ ଆହୁରି ବ୍ୟାପକ କରାଯାଇଛି। 'ଜେଲର୍ ୨' ୧୫ ଅକ୍ଟୋବର ୨୦୨୬ ରେ ଅନେକ ଭାଷାରେ ମୁକ୍ତିଲାଭ କରିବାକୁ ଯାଉଛି।