ଭୁବନେଶ୍ୱର: ଭୁବନେଶ୍ୱରରେ ପ୍ରସ୍ତାବିତ ମେଟ୍ରୋ ରେଳ ପ୍ରକଳ୍ପକୁ ବନ୍ଦ କରିବା ପାଇଁ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ନେଇଥିଲା। ଏନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏହି ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଅନୁରୋଧ କରି ସେ ଏକ ଚିଠି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଲେଖିଛନ୍ତି। ସାଂସଦଙ୍କ କହିବା ଅନୁଯାୟୀ, ଭୁବନେଶ୍ୱରରେ ବଢୁଥିବା ଜନସଂଖ୍ୟା ଏବଂ ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି ଏହି ପ୍ରକଳ୍ପ ଅତ୍ୟନ୍ତ ଜରୁରୀ।

​​​​​​​

ଏହି ପ୍ରକଳ୍ପ କେବଳ ଭୁବନେଶ୍ୱର ନୁହେଁ, ବରଂ କଟକ, ଜଟଣୀ ଏବଂ ଖୋର୍ଦ୍ଧା ଅଞ୍ଚଳର ଯୋଗାଯୋଗ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ଆଣିବାର କ୍ଷମତା ରଖୁଥିଲା। ଏହା ହଠାତ୍ ବନ୍ଦ ହୋଇଯିବା ଫଳରେ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିବା ସେ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି।

also read-ଦଣ୍ଡନାଚ ଦେଖି ଫେରୁଥିଲେ ପୁରା ପରିବାର, ରାସ୍ତାରେ ହାତୀ ହାବୁଡ଼ରେ ପଡ଼ିଲେ

ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଆହୁରି ମଧ୍ୟ ଦର୍ଶାଇଛନ୍ତି ଯେ, ଏହି ପ୍ରକଳ୍ପ ବାବଦରେ ରାଜ୍ୟ କୋଷାଗାରରୁ ପ୍ରାୟ ୨୭୪ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି। ଯଦି ଏବେ ଏହାକୁ ବନ୍ଦ କରାଯାଏ ଏବଂ ଭବିଷ୍ୟତରେ ପୁଣି ଆରମ୍ଭ କରାଯାଏ, ତେବେ ଏହାର ନିର୍ମାଣ ଖର୍ଚ୍ଚ ୨ ରୁ ୪ ଗୁଣ ବୃଦ୍ଧି ପାଇବ। ଲିଙ୍ଗରାଜ ମନ୍ଦିର, ଧଉଳି ଏବଂ ନନ୍ଦନକାନନ ଭଳି ପ୍ରମୁଖ ପର୍ଯ୍ୟଟନ ସ୍ଥଳୀକୁ ସହଜ ଯୋଗାଯୋଗ ପାଇଁ ମେଟ୍ରୋ ଏକ ଆଧୁନିକ ମାଧ୍ୟମ ହୋଇଥାନ୍ତା। ଲାଭ-କ୍ଷତିକୁ ନଦେଖି ବୃହତ୍ତର ଜନସ୍ୱାର୍ଥ ଏବଂ ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥା ପାଇଁ ଏହି ପ୍ରକଳ୍ପକୁ ପୁନର୍ଜୀବିତ କରିବାକୁ ସେ ଦାବି କରିଛନ୍ତି। ବିକଶିତ ଓଡ଼ିଶାର ସ୍ୱପ୍ନ ସାକାର କରିବା ଦିଗରେ ମେଟ୍ରୋ ରେଳ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ ଆଶା ପ୍ରକଟ କରିଛନ୍ତି।