ଇନ୍ଦୋର: ମଧ୍ୟପ୍ରଦେଶ ଲିଗ୍ ଟି-୨୦ରେ ଏକ ଅଦ୍ଭୂତ ରେକର୍ଡ ସ୍ଥାପନ ହୋଇଛି । ଗ୍ୱାଲିଅର୍ ଚିତାସ ଏବଂ ଚମ୍ବଲ ଘରିଆଲ୍ସ ମଧ୍ୟରେ ଖେଳାଯାଇଥିବା ଏକ ରୋମାଞ୍ଚକର ମ୍ୟାଚରେ ଦର୍ଶକମାନେ ଜବରଦସ୍ତ ବ୍ୟାଟିଂ ପ୍ରଦର୍ଶନ ଦେଖିବାକୁ ପାଇଥିଲେ । ଏହି ମ୍ୟାଚରେ ଦୁଇ ଦଳ ମିଶି ୫୦୦ରୁ ଅଧିକ ରନ୍ ସଂଗ୍ରହ କରିଥିଲେ । ଚମ୍ବଲ ଘରିଆଲ୍ସ ୨୫୮ ରନର ବିଶାଳ ଲକ୍ଷ୍ୟକୁ ପିଛା କରି ୩ ୱିକେଟ୍ରେ ଐତିହାସିକ ବିଜୟ ହାସଲ କରିଛି ।

ଗ୍ୱାଲିଅର୍ ଚିତାସର ବିଶାଳ ସ୍କୋର

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଗ୍ୱାଲିଅର୍ ଚିତାସର ବ୍ୟାଟରମାନେ ଚମ୍ବଲ ଘରିଆଲ୍ସର ବୋଲରମାନଙ୍କୁ ନିର୍ଧୁମ ପ୍ରହାର କରିଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୨୫୭ ରନର ବିଶାଳ ସ୍କୋର ଛିଡ଼ା କରିଥିଲା । ପ୍ରଥମ ଦୁଇ ୱିକେଟ୍ ଶୀଘ୍ର ପତନ ହୋଇଥିଲା । ପରେ ଓପନର୍ ପାର୍ଥ ଚୌଧୁରୀ ୩୮ ବଲ୍ରୁ ୬ଟି ଚୌକା ଓ ୬ଟି ଛକା ସହାୟତାରେ ୭୩ ରନର ଏକ ଚମତ୍କାର ପାଳି ଖେଳିଥିଲେ । ଏହାପରେ କୁଲଦୀପ ଗେହି ଆହୁରି ଆକ୍ରମଣାତ୍ମକ ଖେଳ ଖେଳି ମାତ୍ର ୪୨ ବଲ୍ରୁ ୯ଟି ଛକା ଏବଂ ୪ଟି ଚୌକା ସହ ୮୮ ରନ୍ ସଂଗ୍ରହ କରିଥିଲେ । ସେ ନିଜ ପାଳିର ଗୋଟିଏ ଓଭରରେ ୩୪ ରନ୍ ମଧ୍ୟ ସଂଗ୍ରହ କରିଥିଲେ । ଶେଷ ଆଡ଼କୁ ଅଧିନାୟକ ରଜତ ପାଟିଦାର ୧୬ ବଲରେ ୪୬ ରନର ଏକ ଦ୍ରୁତ ପାଳି ଖେଳିଥିଲେ ।

ଚମ୍ବଲ ଘରିଆଲ୍ସର ରନ୍ ଚେଜ୍

୨୫୮ ରନର ପାହାଡ଼ ସଦୃଶ ଲକ୍ଷ୍ୟକୁ ପିଛା କରିବାକୁ ଓହ୍ଲାଇଥିବା ଚମ୍ବଲ ଘରିଆଲ୍ସର ଆରମ୍ଭ ଖରାପ ରହିଥିଲା । ଦଳର ଅଧିନାୟକ ଶୁଭମ ଶର୍ମା ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଯାଇଥିଲେ । ହେଲେ ୨୭ ବର୍ଷୀୟ ଓପନର୍ ବ୍ୟାଟର ଅଙ୍କୁଶ ସିଂହ ଚମତ୍କାର ବ୍ୟାଟିଂ କରିଥିଲେ । ଅଙ୍କୁଶ ମାତ୍ର ୩୨ ବଲରେ ନିଜର ଶତକ ପୂରଣ କରି ଏମପିଏଲ୍ ଇତିହାସରେ ସବୁଠାରୁ ଦ୍ରୁତତମ ଶତକ ହାସଲ କରିବାର ରେକର୍ଡ ନିଜ ନାଁରେ କରିଥିଲେ । ସେ ୩୩ ବଲରୁ ୧୧ଟି ବିଶାଳ ଛକା ଏବଂ ୬ଟି ଚୌକା ସହାୟତାରେ ୧୦୧ ରନର ଏକ ଅବିଶ୍ୱସନୀୟ ପାଳି ଖେଳିଥିଲେ ।

ଅଙ୍କୁଶ ଆଉଟ୍ ହେବା ପରେ ଚମ୍ବଲ ଘରିଆଲ୍ସ ଦଳ ଲଗାତାର ୱିକେଟ୍ ହରାଇଥିଲା । ଦଳ ୧୧.୨ ଓଭରରେ ୧୫୫ ରନ୍ରେ ୬ଟି ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା । ଏହା ପରେ ରୋହିତ କୁମାର ଗୁପ୍ତା (୨୨ ରନ୍) ଏବଂ ଅମନ ଭଦୋରିଆ ଦଳକୁ ସମ୍ଭାଳିଥିଲେ । ଶେଷ ୫ ଓଭରରେ ଦଳକୁ ୫୬ ରନ ଆବଶ୍ୟକ ଥିବାବେଳେ ଅମନ ଭଦୋରିଆ ଧୂଆଁଧାର ବ୍ୟାଟିଂ କରି ମାତ୍ର ୨୮ ବଲରୁ ୬ଟି ଛକା ସହ ୬୦ ରନ୍ କରି ଅପରାଜିତ ରହିଥିଲେ । ଶେଷରେ ଚମ୍ବଲ ଘରିଆଲ୍ସ ୧୯.୩ ଓଭରରେ ୭ ୱିକେଟ୍ ହରାଇ ୨୫୮ ରନ୍ କରି ଏହି ଐତିହାସିକ ମ୍ୟାଚକୁ ଜିତି ନେଇଥିଲା ।