ନୂଆଦିଲ୍ଲୀ ୨୬।୧୧; ବିବାହ ଉତ୍ସବ ନା ମହାଜନସମାଗମ! ବିହାରର ମୋକାମାରେ ବାହୁବଳୀ ନେତା ଅନନ୍ତ ସିଂହଙ୍କ ଝିଅ ଶିବାଙ୍ଗୀଙ୍କ ବିବାହ ଏବେ ଚର୍ଚ୍ଚାରେ । ଭବ୍ୟ ଆୟୋଜନ, ଘୋଡ଼ା ଦୌଡ଼, ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ମହାଭୋଜ ଏବଂ ରାଜନେତାଙ୍କ ଭିଡ଼ । ସବୁକିଛି ଥିଲା ଏହି ବିବାହ ଉତ୍ସବରେ । ହେଲେ ଏହି ଭବ୍ୟ ଆୟୋଜନ ଭିତରେ ଏବେ ସାମ୍ନାକୁ ଆସିଛି ଅବ୍ୟବସ୍ଥାର ଚିତ୍ର । କେଉଁଠି ଖାଇବା ପାଇଁ ଲୋକଙ୍କ ମଧ୍ୟରେ ଠେଲାପେଲା, ତ ଆଉ କେଉଁଠି ପ୍ଲେଟ୍ ପାଇଁ ସଂଘର୍ଷ । ଏପରିକି ପ୍ଲେଟ୍ ବାଣ୍ଟିବାକୁ ଆକାଶକୁ ଫିଙ୍ଗିବାକୁ ପଡ଼ିଥିଲା । ଅନ୍ୟପଟେ ଘୋଡ଼ା ଦୌଡ଼ ଦେଖିବାକୁ ଏତେ ଭିଡ଼ ଜମିଥିଲା ଯେ ୧୦ କିଲୋମିଟରରୁ ଅଧିକ ରାସ୍ତାରେ ଟ୍ରାଫିକ୍ ଜାମ୍ ସ୍ଥିତି ସୃଷ୍ଟି ହୋଇଥିଲା । ତେବେ କେମିତି ଥିଲା ଏହି ହାଇପ୍ରୋଫାଇଲ୍ ବିବାହର ଆୟୋଜନ ଏବଂ କେଉଁଠି ହେଲା ସବୁଠୁ ବଡ଼ ଅବ୍ୟବସ୍ଥା।

ଆୟୋଜକଙ୍କ ଦାବି ଅନୁସାରେ, ପ୍ରାୟ ୪ ଲକ୍ଷ ଲୋକଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା କରାଯାଇଥିଲା । ବିଶାଳ ରୋଷେଇ ଘରେ ବଡ଼ ବଡ଼ କଡ଼େଇରେ ତିଆରି ହୋଇଥିଲା ବିଭିନ୍ନ ପ୍ରକାରର ଖାଦ୍ୟ । ରସଗୋଲା ସମେତ ଅନେକ ପ୍ରକାର ମିଠା ମଧ୍ୟ ପ୍ରସ୍ତୁତ ହୋଇଥିଲା । ହେଲେ ଯେତେବେଳେ ଖାଇବା ପାଇଁ ଲୋକଙ୍କ ଭିଡ଼ ଜମିଲା, ସେତେବେଳେ ବଦଳିଗଲା ପୂରା ଦୃଶ୍ୟ । ଖାଦ୍ୟ ପରିବେଷଣ ବ୍ୟବସ୍ଥା ଉପରେ ବଢ଼ିଲା ଚାପ । ପ୍ଲେଟ୍ ପାଇଁ ଲୋକଙ୍କ ମଧ୍ୟରେ ଟଣାଓଟରା ସ୍ଥିତି । ଭିଡ଼ ଏତେ ବଢ଼ିଗଲା ଯେ ପ୍ଲେଟ୍ ବଣ୍ଟନ ପାଇଁ ତାହାକୁ ଲୋକଙ୍କ ଉପରକୁ ଫିଙ୍ଗିବାକୁ ପଡ଼ିଥିଲା । ଆଉ କିଛି ସ୍ଥାନରେ ଲୋକେ ନିଜେ ବଡ଼ ବଡ଼ ପାତ୍ରରୁ ଖାଦ୍ୟ ବାହାର କରୁଥିବାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଥିଲା । କେହି ଠିକ୍ ଭାବେ ବସି ଖାଇବାର ସୁଯୋଗ ପାଇଥିଲେ ତ ଆଉ କେହି ଭିଡ଼ ଭିତରେ ଯେଉଁଠି ସ୍ଥାନ ପାଇଲେ ସେଇଠି ଖାଇଥିଲେ ।

କେବଳ ମହାଭୋଜ ନୁହେଁ, ଘୋଡ଼ା ଦୌଡ଼କୁ ନେଇ ମଧ୍ୟ ଜମିଥିଲା ପ୍ରବଳ ଉତ୍ସାହ । ମୋକାମାର ନଦୱାନ୍ ଗାଁରେ ଆୟୋଜିତ ଏହି ଘୋଡ଼ା ଦୌଡ଼ ଦେଖିବାକୁ ବିଭିନ୍ନ ଅଞ୍ଚଳରୁ ଆସିଥିଲେ ଲୋକେ । ଭିଡ଼ ଏତେ ବଢ଼ିଥିଲା ଯେ ଆଖପାଖ ରାସ୍ତାରେ ୧୦ କିଲୋମିଟରରୁ ଅଧିକ ଟ୍ରାଫିକ୍ ଜାମ୍ ହୋଇଥିଲା । ଆଉ ଘୋଡ଼ା ଦୌଡ଼ ଦେଖିବା ପାଇଁ କିଛି ଲୋକ ୩୩ ହଜାର ଭୋଲ୍ଟର ହାଇଟେନସନ୍ ବିଦ୍ୟୁତ୍ ଟାୱାର ଉପରକୁ ଚଢ଼ିଯାଇଥିଲେ । ଯାହାକୁ ନେଇ ସୁରକ୍ଷା ଚିନ୍ତା ମଧ୍ୟ ବଢ଼ିଥିଲା । ଶେଷରେ ଭିଡ଼ ନିୟନ୍ତ୍ରଣ ବାହାରକୁ ଯିବାରୁ ଘୋଡ଼ା ଦୌଡ଼କୁ ମଝିରୁ ବନ୍ଦ କରିବାକୁ ପଡ଼ିଥିଲା ।

ଏହି ବିବାହ ଉତ୍ସବରେ ରାଜନୈତିକ ଜଗତର ଅନେକ ଚର୍ଚ୍ଚିତ ଚେହେରା ମଧ୍ୟ ସାମିଲ ହୋଇଥିଲେ । ବ୍ରିଜଭୂଷଣ ଶରଣ ସିଂହ, ବିହାର ବିଧାନସଭା ବାଚସ୍ପତି ପ୍ରେମ କୁମାର ଏବଂ ମନ୍ତ୍ରୀ ରାମକୃପାଳ ଯାଦବଙ୍କ ଭଳି ଅତିଥି ଯୋଗ ଦେଇଥିଲେ । ବର ଋଷିକେଶ କୁମାରଙ୍କ ବିବାହ ଶୋଭାଯାତ୍ରା ପାଟନାର ବିହଟାରୁ ଆସିଥିଲା । ଜୟମାଳା ସମାରୋହରେ ଶିବାଙ୍ଗୀଙ୍କ ଗ୍ରାଣ୍ଡ ଏଣ୍ଟ୍ରି ମଧ୍ୟ ଥିଲା ଆକର୍ଷଣର କେନ୍ଦ୍ରବିନ୍ଦୁ ।