କଟକ ୨୬।୧୧ : କଟକର ଐତିହାସିକ ବାଲିଯାତ୍ରାରେ ଏଥର ଡିଜିଟାଲ୍ ସେବାକୁ ଆହୁରି ସୁଗମ କରିବାକୁ ଜିଓର ପ୍ରସ୍ତୁତି। ମେଳା ପଡ଼ିଆରେ ଲକ୍ଷ ଲକ୍ଷ ଲୋକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ୪ଜି ଓ ୫ଜି ନେଟୱର୍କ କ୍ଷମତା ବୃଦ୍ଧି କରିଛି କମ୍ପାନୀ। ଏଥିପାଇଁ ପଡ଼ିଆରେ ସ୍ଥାପନ କରାଯାଇଛି ୫ଟି ଅସ୍ଥାୟୀ ମୋବାଇଲ୍ ଟାୱାର। ଫଳରେ ମେଳାକୁ ଆସୁଥିବା ଲୋକଙ୍କୁ ମୋବାଇଲ୍ ସଂଯୋଗ ସହ ଡିଜିଟାଲ୍ ପେମେଣ୍ଟ ଓ ଅନଲାଇନ୍ ସେବାରେ ସୁବିଧା ମିଳିବ ବୋଲି ଜିଓ ପକ୍ଷରୁ କୁହାଯାଇଛି। ଦେଖିବା ଏହି ରିପୋର୍ଟ।

ବାଲିଯାତ୍ରାରେ ଏଥର ମୋବାଇଲ୍ ନେଟୱର୍କ ହେବ ଆହୁରି ସୁଦୃଢ଼। ଲକ୍ଷ ଲକ୍ଷ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ଜିଓ ପକ୍ଷରୁ ନିଆଯାଇଛି ସ୍ୱତନ୍ତ୍ର ପଦକ୍ଷେପ। ମହାନଦୀ କୂଳରେ ବିସ୍ତୃତ ବାଲିଯାତ୍ରା ପଡ଼ିଆରେ ୪ଜି ଓ ୫ଜି ନେଟୱର୍କର କ୍ଷମତା ବଢ଼ାଇଛି ଜିଓ। ମେଳା ପଡ଼ିଆରେ ନେଟୱର୍କ ଚାହିଦାକୁ ପୂରଣ କରିବା ପାଇଁ ୫ଟି ଅସ୍ଥାୟୀ ମୋବାଇଲ୍ ଟାୱାର ବା ସେଲ୍ ଅନ୍ ହ୍ୱିଲ୍ସ ସ୍ଥାପନ କରାଯାଇଛି। ଏହି ଅତିରିକ୍ତ ନେଟୱର୍କ ସାଇଟ୍ ଦ୍ୱାରା ଅଧିକ ଭିଡ଼ ହେଉଥିବା ଅଞ୍ଚଳରେ ମଧ୍ୟ ଉନ୍ନତ ମୋବାଇଲ୍ ସଂଯୋଗ ମିଳିପାରିବ। ଏହାସହ ବାଲିଯାତ୍ରା ପଡ଼ିଆକୁ ସଂଯୋଗ କରୁଥିବା ପ୍ରମୁଖ ରାସ୍ତା ଓ ଆଖପାଖ ଅଞ୍ଚଳରେ ମଧ୍ୟ ନେଟୱର୍କ କ୍ଷମତା ବୃଦ୍ଧି କରାଯାଇଛି।

Also Read:-ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ନୂଆ ମୋଡ଼, ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଦ୍ୟାଭାରତୀ

ଉନ୍ନତ ନେଟୱର୍କ ଯୋଗୁଁ ମେଳାକୁ ଆସୁଥିବା ଲୋକଙ୍କ ପାଇଁ ଡିଜିଟାଲ୍ କାରବାର ହେବ ଆହୁରି ସହଜ। ବିଭିନ୍ନ ଷ୍ଟଲ୍ରେ କିଣାକିଣି, ଖାଦ୍ୟପେୟ ଓ ଅନ୍ୟାନ୍ୟ କାରବାର ସମୟରେ ୟୁପିଆଇ ଏବଂ ମୋବାଇଲ୍ ପେମେଣ୍ଟ ମାଧ୍ୟମରେ ଟଙ୍କା ଦେଇପାରିବେ ଗ୍ରାହକ। ଏହାସହ ଅନଲାଇନ୍ ମ୍ୟାପ୍ ଓ ନାଭିଗେସନ୍ ବ୍ୟବହାର କରି ଷ୍ଟଲ୍, ଫୁଡ୍ କୋର୍ଟ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ସ୍ଥଳ ଖୋଜିବା ମଧ୍ୟ ହେବ ସହଜ।

କେବଳ ଡିଜିଟାଲ୍ ପେମେଣ୍ଟ ନୁହେଁ, ମେଳା ବୁଲିବା ସମୟରେ ଫଟୋ ଓ ଭିଡିଓ ସେୟାର କରିବା, ଅନଲାଇନ୍ରେ ଆବଶ୍ୟକ ସୂଚନା ପାଇବା ଏବଂ ପରିବାର ଓ ବନ୍ଧୁବାନ୍ଧବଙ୍କ ସହ ଯୋଡ଼ି ହୋଇ ରହିବାରେ ମଧ୍ୟ ଉନ୍ନତ ନେଟୱର୍କ ସହାୟକ ହେବ। ପ୍ରାଚୀନ କଳିଙ୍ଗର ନୌବାଣିଜ୍ୟ ପରମ୍ପରାର ସ୍ମୃତି ବହନ କରୁଛି ବାଲିଯାତ୍ରା। ଓଡ଼ିଆ ସାଧବମାନେ ବୋଇତରେ ବାଲି, ଜାଭା, ସୁମାତ୍ରା, ବୋର୍ଣ୍ଣିଓ ଓ ଶ୍ରୀଲଙ୍କା ଭଳି ଅଞ୍ଚଳକୁ ଯାଇ ବାଣିଜ୍ୟିକ ଓ ସାଂସ୍କୃତିକ ସମ୍ପର୍କ ସ୍ଥାପନ କରିଥିଲେ। ସେହି ଐତିହାସିକ ପରମ୍ପରାର ମେଳାରେ ଡିଜିଟାଲ୍ ଭିତ୍ତିଭୂମିକୁ ମଜଭୁତ କରିବା ଦିଗରେ ଜିଓ ଏହି ପଦକ୍ଷେପ ନେଇଛି।

ଅନ୍ୟପଟେ, ଟ୍ରାଇର ସେପ୍ଟେମ୍ବର ୨୦୨୬ ଟେଲିକମ୍ ଗ୍ରାହକ ତଥ୍ୟକୁ ଉଦ୍ଧୃତ କରି ଜିଓ ପକ୍ଷରୁ କୁହାଯାଇଛି ଯେ, ଓଡ଼ିଶାରେ କମ୍ପାନୀର ମୋବାଇଲ୍ ଗ୍ରାହକ ସଂଖ୍ୟା ୧ କୋଟି ୮୮ ଲକ୍ଷରୁ ଅଧିକ। ସେହିପରି ହୋମ୍ ବ୍ରଡ୍ବ୍ୟାଣ୍ଡ ଗ୍ରାହକଙ୍କ ସଂଖ୍ୟା ୮ ଲକ୍ଷ ୩୩ ହଜାରରୁ ଅଧିକ ରହିଛି। ସେପ୍ଟେମ୍ବର ମାସରେ ଓଡ଼ିଶାରେ ୪ ଲକ୍ଷ ୮୦ ହଜାର ନୂଆ ସକ୍ରିୟ ମୋବାଇଲ୍ ଗ୍ରାହକ ଯୋଡ଼ିଥିବା ମଧ୍ୟ ଜିଓ ଦାବି କରିଛି।