ନୂଆଦିଲ୍ଲୀ: କକରୋଚ ଜନତା ପାର୍ଟି(CJP)ର ନେତା ସୌରଭ ଦାସଙ୍କ ବଢିଲା ମୁସ୍କିଲ। ତାଙ୍କ ବିରୋଧରେ ଜାରି ହୋଇଛି ଲୁକ ଆଉଟ୍ ନୋଟିସ୍ । ଏହି ନୋଟିସ୍ ସଂପର୍କରେ ଗୁରୁବାର ଦିଲ୍ଲୀ ହାଇକୋର୍ଟଙ୍କୁ ଜଣାଇଛନ୍ତି କେନ୍ଦ୍ର ସରକାର। ପାସକୋର୍ଟରେ ଦେଇଥିବା ସୂଚନାରେ ଅସଙ୍ଗତି ବା ଗଡ଼ବଡ଼ କାରଣରୁ ତାଙ୍କୁ ପୂର୍ବରୁ ବିଦେଶ ଯିବା ଉପରେ ରୋକ୍ ଲଗାଯାଇଥିଲା। ଦାସଙ୍କ କହିବା କଥା ତାଙ୍କୁ ଅକ୍ସଫୋର୍ଡ ୟୁନିଭର୍ସିଟିର ଷ୍ଟୁଡେଣ୍ଟ ୟୁନିୟନର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆମନ୍ତ୍ରଣ କରାଯାଇଥିଲା। ହେଲେ ସରକାର ତାଙ୍କ ବିଦେଶ ଯାତ୍ରା ଉପରେ ରୋକ୍ ଲଗାଇ ଦେଇଛନ୍ତି।

କେନ୍ଦ୍ର ସରକାର ଗୁରୁବାର କହିଛନ୍ତି, ସୌରଭ ଦାସଙ୍କ ବିରୋଧରେ ଲୁକଆଉଟ୍ ନୋଟିସ ଜାରି କରାଯାଇଛି। ସେପଟେ ସିଜେପି ନେତାଙ୍କ ଓକିଲ କହୁଛନ୍ତି ଯେ, ଲୁକ ଆଉଟ୍ ନୋଟିସ୍ ବିଷୟରେ ତାଙ୍କ ପାଖରେ କୌଣସି ସୂଚନା ନାହିଁ। ଅଦାଲତ ସୌରଭ ଦାସଙ୍କ ଯାଚିକା ଉପରେ କେନ୍ଦ୍ର ସରକାରଙ୍କଠୁ  ଜବାବ ଲୋଡ଼ିଛନ୍ତି। ସରକାରଙ୍କ ତରଫରୁ କୋର୍ଟରେ ହାଜର ଅତିରିକ୍ତ ସଲିସିଟର ଜେନେରାଲ ଚେତନ ଶର୍ମା କହିଛନ୍ତି, ପାସପୋର୍ଟରେ ଗଡ଼ବଡ଼ି କାରଣରୁ ତାଙ୍କର ଭାରତୀୟ ନାଗରିକତା ଉପରେ ପ୍ରଭାବ ପଡ଼ିପାରେ।

Also Read: ଡିସେମ୍ବର ୧୫ ପୂର୍ବରୁ ସଂସଦ ଅଧିବେଶନ ! ଆସିପାରେ ସୀମା ପୁନଃ ନିର୍ଦ୍ଧାରଣ ବିଲ୍

ଏହାସହ ସରକାର ଅଦାଲତଙ୍କୁ ଜଣାଇଛନ୍ତି ଯେ, ନଭେମ୍ବର ୨୩ ତାରିଖ ସନ୍ଧ୍ୟା ୭ଟା ୩୨ ମିନିଟରେ ଦାସଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା। ଏହାର ମାତ୍ର ୪ ମିନିଟ୍ ପରେ ଅର୍ଥାତ୍ ୭ଟା ୩୬ ମିନିଟରେ ଯାତ୍ରା ସମ୍ପର୍କିତ ପରାମର୍ଶ (ଟ୍ରାଭେଲ ଆଡଭାଇଜରୀ) ଜାରି ହୋଇଥିଲା। ଏହି ଅସଙ୍ଗତି ସମ୍ପର୍କରେ ନିଜର ପକ୍ଷ ରଖିବାକୁ ଦାସଙ୍କୁ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଇଥିବା ସରକାର କୋର୍ଟଙ୍କୁ ଜଣାଇଥିଲେ।

ସୌରଭଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରି ସାରିଛି ସରକାର

ବୁଧବାର ସୌରଭ ଦାସଙ୍କୁ ପାସପୋର୍ଟରେ ଜନ୍ମସ୍ଥାନ ସଂପର୍କିତ ତ୍ରୁଟି ବିଷୟରେ ଜବାବ ମଗାଯାଇଛି। ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ଵାଲ କହିଛନ୍ତି,  ପାସପୋର୍ଟ ଆବେଦନରେ ଆବେଦନକାରୀଙ୍କୁ ସଠିକ ସୂଚନା ଦେବାକୁ ପଡ଼ିଥାଏ। ଯଦି କୌଣସି ବି ପ୍ରକ୍ରିୟାରେ ତ୍ରୁଟି ଦେଖାଯାଏ କିମ୍ବା ଅଧିକାରୀ ଜାଣି ପାରନ୍ତି ଯେ, କିଛି ତଥ୍ୟ ଲୁଚା ଯାଉଛି, ତେବେ ଆମେ ଆବେଦନକାରୀଙ୍କୁ ନିଜର ପକ୍ଷ ସ୍ପଷ୍ଟ କରିବା ପାଇଁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥାଉ।

ସେ କହିଛନ୍ତି, ସମ୍ବନ୍ଧିତ ଆଇନ ପ୍ରବର୍ତ୍ତନ ଏଜେନ୍ସିଠୁ ମିଳିଥିବା ରିପୋର୍ଟ ଆଧାରରେ ଚେନ୍ନାଇ ସ୍ଥିତ ଆଞ୍ଚଳିକ ପାସପୋର୍ଟ କାର୍ଯ୍ୟାଳୟ ନଭେମ୍ବର ୨୩ରେ ସୌରଭ ଦାସଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ। ଏଥିରେ ତାଙ୍କୁ ଜନ୍ମସ୍ଥାନ ବିଷୟରେ ସାତ ଦିନ ଭିତରେ ସ୍ପଷ୍ଟୀକରଣ ଦେବାକୁ କୁହାଯାଇଥିଲା। ଏହି ଲୁକଆଉଟ୍ ନୋଟିସ୍ ଜାରି ପରେ ଏବ ପ୍ରଶ୍ନ ଉଠିବାରେ ଲାଗିଛି ଯେ, ସୌରଭ ଦାସ ପ୍ରକୃତରେ ଭାରତୀୟ ନାଗରିକ ତ ?