ମୁମ୍ବାଇ ୨୬।୧୧:୨୦୦୮ ମସିହା ନଭେମ୍ବର ୨୬ ତାରିଖ । ରାତି ପ୍ରାୟ ସାଢେ ୮ଟା । ଥରି ଉଠିଥିଲା ମୁମ୍ବାଇ । ରକ୍ତରେ ଲାଲ୍ ହୋଇଯାଇଥିଲା ମାୟାନଗରୀ । ଏକାଧିକ ଜାଗାରେ ଫାୟାରିଂ ଏବଂ ବୋମାମାଡ଼ । ଛାରଖାର ହୋଇଯାଇଥିଲା ଆର୍ଥିକ ରାଜଧାନୀ । କାରଣ ପାକିସ୍ତାନୀ ଆତଙ୍କବାଦୀମାନେ ମୁମ୍ବାଇରେ କରି ଚାଲିଥିଲେ ନରହତ୍ୟା । ଏହି ନରହତ୍ୟା ଏତେ ଭୟଙ୍କର ଥିଲା ଯେ ୧୬୦ରୁ ଅଧିକ ନାଗରିକ ପ୍ରାଣ ହରାଇଥିଲେ । ଶହଶହ ଆହତ ହେଲେ । ଏପରିକି ମୁମ୍ବାଇର ଦୁଇଟି ଦାମୀ ହୋଟେଲ ଓବରୟ ଏବଂ ତାଜ୍ କୁ କବଜା କରିଦେଇଥିଲେ ଆତଙ୍କବାଦୀ । ହୋଟେଲ ଭିତରେ ଗ୍ରାହକ, କର୍ମଚାରୀ କାହାରିକୁ ଛାଡି ନଥିଲେ । ହୋଟେଲର ଝରକାରୁ ମଧ୍ୟ ଏକେ-୪୭ରେ କରୁଥିଲେ ଫାୟାରିଂ ।

ତେବେ ତାଜ୍ ହୋଟେଲରେ ମାହୋଲ ଥିଲା ପୂରା ସଙ୍ଗୀନ । ଜଣା ନଥିଲା କେଉଁଠି କେତେ ଆତଙ୍କବାଦୀ ଅଛନ୍ତି । କେଉଁ କୋଠରୀରେ ରହିଛନ୍ତି । ଅତିଥିମାନେ ବି ଭୟ କରିଯାଇଥିଲେ । ହୋଟେଲ ସମେତ ସିଏସଟି ଟର୍ମିନାଲ, ନରିମାନ ହାଉସ ଏବଂ ଅନ୍ୟ କିଛି କାଫେରେ ବି ଆତଙ୍କ ଖେଳାଇଥିଲେ ଆତଙ୍କବାଦୀ । ବାଦ୍ ପଡିନଥିଲା କାମା ହସ୍ପିଟାଲରେ । ହସ୍ପିଟାଲରେ ଆତଙ୍କବାଦୀମାନେ ମନଇଚ୍ଛା ଗୁଳିମାଡ଼ କରିଥିଲେ । ଏହି ସମୟରେ ଦେବଦୂତ ସାଜିଥିଲେ ଅଞ୍ଜଳି କୁଲଥେ ନାମକ ଜଣେ ନର୍ସ ।

୨୦ ଗର୍ଭବତୀଙ୍କୁ ବଞ୍ଚାଇଥିଲେ

ଅଞ୍ଜଳିଙ୍କୁ ଦିଆଯାଇଥିଲା ୨୦ ଜଣ ଗର୍ଭବତୀଙ୍କ ସୁରକ୍ଷା ଦାୟିତ୍ୱ । ଗର୍ଭବତୀଙ୍କ ଦେଖରଖା କରୁଥିଲେ ସେ । ଆଉ ସେହି ସମୟରେ ଫାୟାରିଂ ହୋଇଥିଲା ।ତାଙ୍କ କହିବାନୁସାରେ, ଆକ୍ରମଣ ଦିନ ତାଙ୍କର ନାଇଟ୍ ଡ୍ୟୁଟି ଥିଲା । ଆତଙ୍କବାଦୀମାନେ ସିଏସଟି ଟର୍ମିନାଲ ପରେ ହସ୍ପିଟାଲ ଆଡେ ମୁହାଁଇଥିଲେ । ସେ ଝରକାକୁ ଏସବୁ ଦୃଶ୍ୟ ଦେଖିଥିଲେ । ଆତଙ୍କବାଦୀମାନେ ଗୁଳିମାଡ଼ କରୁଥିବା ସେ ଦେଖିବାକୁ ପାଇଥିଲେ ।

ତେବେ ପ୍ରଥମେ କିଛି ବୁଝି ପାରିନଥିଲେ ଅଞ୍ଜଳି । ତାପରେ କିନ୍ତୁ ମନରେ ସାହସ ବାନ୍ଧିଥିଲେ । ସମସ୍ ଗର୍ଭବତୀଙ୍କୁ ଏକ ଛୋଟ ଘର ବା ସେଲଫ୍ ଆକୃତିର ଏକ ଘରକୁ ପଟାଇଥିଲେ । ଏହାସହ ଆଖପାଖର ଲାଇଟ୍ ବନ୍ଦ କରିଦେଇଥିଲେ । ସମସ୍ତଙ୍କୁ ପାଟି ବନ୍ଦ କରି ମୋବାଇଲ୍ ଫୋନକୁ ମଧ୍ୟ ସାଇଲେଣ୍ଟ୍ କରିଦେବାକୁ କହିଥିଲେ ।

ସବୁଠୁ ଚ୍ୟାଲେଞ୍ଜିଂ ଥିଲା ଯେ ଏହି ସମୟରେ ଜଣେ ଗର୍ଭବତୀ ଗୁରୁତର ହୋଇ ପଡିଥିଲେ । ଗର୍ଭବତୀଙ୍କ ରକ୍ତଚାପ ବଢିଯାଇଥିଲା । ତାଙ୍କୁ ପ୍ରସବ ବେଦନା ମଧ୍ୟ ହେଉଥିଲା । ଏହି ଚ୍ୟାଲେଞ୍ଜକୁ ଅଞ୍ଜଳି ସ୍ୱୀକାର କରିଥିଲେ । କାଇଦା କରି ସେ ତାଙ୍କୁ ପ୍ରସବ ଗୃହକୁ ନେଇଥିଲେ । ଆଉ ଗର୍ଭବତୀଜଣଙ୍କ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ । ଏହି ଶିଶୁକନ୍ୟାର ନାଁ ଦିଆଯାଇଛି ଗୋଲି ବା ଗୁଳି ।

Also Read :- କଫି ପିଇ କଲେଜକୁ ଉଡ଼ାଇବାକୁ ପ୍ଲାନ୍ କରୁଥିଲେ ଛାତ୍ର, ଘରୁ ଉଠାଇନେଲା ପୋଲିସ !

ଘଣ୍ଟା ଘଣ୍ଟା ଧରି କାମା ହସ୍ପିଟାଲରେ ଆତଙ୍କବାଦୀ ମୃତ୍ୟୁର ତାଣ୍ଡବ କରିଥିଲେ । ହସ୍ପିଟାଲର ଅନେକ କର୍ମଚାରୀ ଏବଂ ସୁରକ୍ଷାକର୍ମୀ ପ୍ରାଣ ହରାଇ ସାରିଥିଲେ । କିନ୍ତୁ ଅଞ୍ଜଳି ସେମିତି ପାଚେରୀ ଭଳି ଗର୍ଭବତୀଙ୍କୁ ସୁରକ୍ଷା ଦେଇଥିଲେ । ତେବେ ଅଞ୍ଜଳିଙ୍କ ଏହି ବୀରତ୍ୱର ଗାଥା ୨୦୨୨ ୟୁଏନଏସସି ବୈଠକରେ ସାରା ବିଶ୍ୱ ଜାଣିଥିଲା । ଏପରିକି ଏହାକୁ ନେଇ ଚଳଚିତ୍ର ମଧ୍ୟ ହୋଇଛି । ଘଟଣାକ ଅନେକ ବର୍ଷ ବିତି ଯାଇଥିଲେ ବି ଅଞ୍ଜଳିଙ୍କ ସାହସିକତା ସବୁଦିନ ଅମର ରହିବ ।