ଭୁବନେଶ୍ୱର: ଓଡ଼ିଶାରେ ରେଳ ସଂଯୋଗୀକରଣକୁ ସୁଦୃଢ଼ କରିବା ପାଇଁ ଏକ ବଡ଼ ପଦକ୍ଷେପ ନିଆଯାଇଛି । ୬ ଜୁଲାଇ ୨୦୨୬ରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମିଳିତ ଭାବେ ଦୁଇଟି ପ୍ରମୁଖ ରେଳ ସେବାର ଶୁଭାରମ୍ଭ କରିବେ । ଏହି ନୂତନ ସେବା ଦ୍ୱାରା ରାଜ୍ୟର ପର୍ଯ୍ୟଟନ, ବାଣିଜ୍ୟ, ଯାତ୍ରୀ ସୁବିଧା ଏବଂ ଆଞ୍ଚଳିକ ଅର୍ଥନୈତିକ ବିକାଶରେ ବ୍ୟାପକ ସୁଧାର ଆସିବ ।

ନୂତନ ପୁରୀ–କୋରାପୁଟ ଏକ୍ସପ୍ରେସ୍

ଓଡ଼ିଶାବାସୀଙ୍କ ଦୀର୍ଘଦିନର ଦାବି ପୂରଣ କରି ପବିତ୍ର ସହର ପୁରୀ ସହ ଆଦିବାସୀ ବହୁଳ ଅଞ୍ଚଳ କୋରାପୁଟକୁ ସିଧାସଳଖ ଯୋଡ଼ିବ ଏହି ଟ୍ରେନ୍ । ପୁରୀରୁ ଏହି ଟ୍ରେନ ସୋମବାର, ଗୁରୁବାର ଓ ଶନିବାର ଚାଲିବ । ସେପଟେ କୋରାପୁଟରୁ ମଙ୍ଗଳବାର, ଶୁକ୍ରବାର ଓ ରବିବାର ଚଳାଚଳ କରିବ । ଏହି ଟ୍ରେନ୍ ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର, ଅନୁଗୁଳ, ସମ୍ବଲପୁର, ବରଗଡ଼ ରୋଡ୍, ବଲାଙ୍ଗୀର, ଟିଟିଲାଗଡ଼, କେସିଙ୍ଗା, ମୁନିଗୁଡ଼ା, ରାୟଗଡ଼ା, କାକିରିଗୁମା ଏବଂ ଦାମନଯୋଡ଼ି ଦେଇ ଚଳାଚଳ କରିବ । ଏହା ଦ୍ୱାରା ଉପକୂଳ, ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶା ମଧ୍ୟରେ ସମ୍ପର୍କ ସୁଦୃଢ଼ ହେବ ।

ବ୍ରହ୍ମପୁର–ଉଧନା (ସୁରଟ) ଅମୃତ ଭାରତ ଏକ୍ସପ୍ରେସ (ପ୍ରତିଦିନ ଚାଲିବ)

ଓଡ଼ିଶାକୁ ଗୁଜରାଟ ସହ ଯୋଡ଼ୁଥିବା ଏହି ଗୁରୁତ୍ୱପୂର୍ଣ୍ଣ ଟ୍ରେନ୍, ଯାହା ପୂର୍ବରୁ ସପ୍ତାହକୁ ୩ ଦିନ ଚାଲୁଥିଲା, ତାହା ଏବେ ପ୍ରତିଦିନ ଚାଲିବ । ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ଛତିଶଗଡ଼, ମହାରାଷ୍ଟ୍ର ଏବଂ ଗୁଜରାଟରେ ଚଳାଚଳ କରିବ । ଏହା ଦ୍ୱାରା ପ୍ରବାସୀ ଶ୍ରମିକ, ବ୍ୟବସାୟୀ ଏବଂ ଛାତ୍ରଛାତ୍ରୀମାନଙ୍କ ଯାତାୟାତ ସହଜ ହେବ । ଦୁଇ ପ୍ରମୁଖ ରାଜ୍ୟ ମଧ୍ୟରେ ବାଣିଜ୍ୟିକ କାର୍ଯ୍ୟକଳାପ ବୃଦ୍ଧି ପାଇବ । ଭାରତୀୟ ରେଳବାଇର ଏହି ପ୍ରୟାସ ଓଡ଼ିଶାର ସନ୍ତୁଳିତ ଆଞ୍ଚଳିକ ବିକାଶ ଏବଂ ସାମାଜିକ-ଅର୍ଥନୈତିକ ପ୍ରଗତିକୁ ଆଗକୁ ନେବାରେ ସହାୟକ ହେବ ।