ଖୋର୍ଦ୍ଧା ୮।୪: ମାଆ କୋଳରେ ରାତିରେ ଶୋଇଥିଲା ୪ ମାସର ଶିଶୁ ପୁତ୍ର । ବିଳମ୍ବିତ ରାତିରେ ଉଠିପଡ଼ି ଦେଖିଲେ କୋଳରେ ନଥିଲା ଛୁଆ । ଇଆଡ଼େ ସିଆଡ଼େ ଖୋଜାଖୋଜି କଲେ । ହେଲେ କେଉଁଠି ପାଇଲେନି । ଆକୁ ତାକୁ ସାହାଯ୍ୟ ବି ମାଗିଲେ ହେଲେ କେହି ଶୁଣିଲେନି । ଖୋର୍ଦ୍ଧା ଜିଲ୍ଲାର ନିରାକାରପୁର ରେଳ ଷ୍ଟେସନରୁ ଶିଶୁ ପୁତ୍ର ଚୋରି ନେଇ ଅଭିଯୋଗ । ମଙ୍ଗଳବାର ବିଳମ୍ବିତ ରାତିରେ ବାପା-ମା' ପାଖରେ ଥିଲା ୪ ମାସର ଶିଶୁ ପୁତ୍ର । ରେଳ ଷ୍ଟେସନରେ ବାପା-ମା' ଓ ଶିଶୁ ପୁତ୍ର ଶୋଇଥିବା ବେଳେ କେହି ଶିଶୁ ପୁତ୍ରକୁ ଚୋରି କରି ନେଇଥିବା ନିରାକାରପୁର ରେଳବାଇ ଫାଣ୍ଡିରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ନେଇ ରେଳବାଇ ପୋଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଛି ।

ମଙ୍ଗଳବାର ବିଳମ୍ବିତ ରାତିରେ ନିରାକାରପୁର ରେଳ ଷ୍ଟେସନର ପ୍ଲାଟଫର୍ମରେ ରାତ୍ରିଯାପନ କରିଥିଲେ ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଧିନସ୍ଥ କଳାମାଟିଆ ଗ୍ରାମର ପ୍ରଶାନ୍ତ କୁମାର ପ୍ରଧାନ ଓ ତାଙ୍କ ପତ୍ନୀ । ସେମାନଙ୍କ ସାଙ୍ଗରେ ଥିଲା ତାଙ୍କର ୪ ମାସର ଶିଶୁ ପୁତ୍ର । ରାତି ପ୍ରାୟ ୨ଟା ୩ଟାରେ ଯେତେବେଳେ ଦମ୍ପତି ଦେଖନ୍ତି ତାଙ୍କ ପାଖରେ ଥିବା ଶିଶୁ ପୁତ୍ର ଚୋରି ହୋଇଯାଇଛି । ବହୁ ଖୋଜାଖୋଜି ପରେ ମଧ୍ୟ ସେ ଶିଶୁ ପୁତ୍ରକୁ ନପାଇବା ପରେ ରେଳବାଇ ପୋଲିସର ସହଯୋଗ ଲୋଡିଥିଲେ । ସେତେବେଳେ କେହି ସହଯୋଗ କରିନଥିଲେ । ବୁଧବାର ସକାଳ ସମୟରେ ଦମ୍ପତି ଶିଶୁ ପୁତ୍ରକୁ ଖୋଜାଖୋଜି କରୁଥିଲେ । ସେମାନଙ୍କ ନିକଟରେ ସମାଜସେବୀ ପହଞ୍ଚି ଘଟଣା ସମ୍ପର୍କରେ ଶୁଣିବା ସହିତ ନିରାକାରପୁର ରେଳବାଇ ପୋଲିସ ଫାଣ୍ଡି ସହିତ ଯୋଗାଯୋଗ କରି ଦମ୍ପତିଙ୍କ ଦ୍ୱାରା ଲିଖିତ ଅଭିଯୋଗ କରିଥିଲେ । ଆମ ଛୁଆକୁ କିଏ ଚୋରି କରି ନେଇଯାଇଛି ବୋଲି ଶ୍ୱାସରୁଦ୍ଧ କଣ୍ଠରେ କହିଥିଲେ ଶିଶୁ ପୁତ୍ରର ବାପା-ମା' ।

Also Read:- ଗୋ-ମାଫିଆ ସକିଲ୍ ଖାନ୍ ବିରୋଧରେ NSA ଲାଗୁ, ଜାତୀୟ ନିରାପତ୍ତା ଆଇନ ଅଧୀନରେ ଜେଲ୍ରେ ରଖିବାକୁ ଜିଲ୍ଲାପାଳଙ୍କ ମଞ୍ଜୁରି

ନିରାକାରପୁର ରେଳ ଷ୍ଟେସନରୁ ଏଭଳି ଶିଶୁପୁତ୍ର ଚୋରି ଘଟଣା ସ୍ଥାନୀୟ ଅଞ୍ଚଳ ପାଇଁ ବିରଳ ଓ ହୃଦୟ ବିଦାରକ । ବାପା-ମା' କୋଳରୁ ଶିଶୁପୁତ୍ରକୁ ଚୋରି କରି ନେବା ନିରାକାରପୁର ଅଞ୍ଚଳରେ ପ୍ରଥମ ଘଟଣା ବୋଲି କୁହାଯାଉଛି । ତେଣୁ ତୁରନ୍ତ ରେଳବାଇ ପୋଲିସ ପକ୍ଷରୁ ତଦନ୍ତ କରାଯାଇ ଚୋରି ଶିଶୁ ପୁତ୍ରକୁ ଉଦ୍ଧାର କରାଯାଉ ବୋଲି ଯୁବଗୋଷ୍ଠୀ ଦାବି କରିଛନ୍ତି । ତେବେ ତଦନ୍ତ ଆରମ୍ଭ କରାଯାଇଛି, ବିଭିନ୍ନ ଦିଗକୁ ନେଇ ତଦନ୍ତ କରାଯାଉଛି ବୋଲି ନିରାକାରପୁର ରେଳବାଇ ପୋଲିସ ଫାଣ୍ଡି ଅଧିକାରୀ କହିଛନ୍ତି ।