ଭଦ୍ରକ ୮।୪: ମା’ ଭଦ୍ରକାଳୀ ମନ୍ଦିରରୁ ହୁଣ୍ଡୀ ଭାଙ୍ଗି ଚୋରି ଘଟଣା । ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ । ଚୋରି କରିଥିବା ୩୦ ହଜାର ୩୩୧ ମଧ୍ୟ ପୋଲିସ ଜବତ କରିଥିବା ସୂଚନା ଦେଲେ ଭଦ୍ରକ ଏସ୍ପି ମନୋଜ ରାଉତ ।

ଗତ ୫ ତାରିଖ ବିଳମ୍ବିତ ରାତିରେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ମନ୍ଦିର ପାଚେରୀ ଡେଇଁ ମନ୍ଦିରକୁ ପଶିବା ସହିତ ହୁଣ୍ଡି ଭାଙ୍ଗି ଟଙ୍କା ଚୋରି କରିଥିଲେ । ଏପରିକି ଠାକୁରଙ୍କ କୋଠ ଓ ଭଣ୍ଡାର ଘର ଚାବି ଭାଙ୍ଗି ଭିତରକୁ ପଶିଥିଲେ । ମାତ୍ର ମା’ଙ୍କର କୌଣସି ସୁନା-ରୁପା ଗହଣା ନେଇ ନପାରି ହୁଣ୍ଡିରେ ଥିବା ଖୁଚୁରା ଟଙ୍କା ଛାଡ଼ି ଅନ୍ୟ ସବୁ ଟଙ୍କା ନେଇ ଛୁ ହୋଇଯାଇଥିଲେ । ପରେ ପୋଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିବା ସହିତ ପିରାହାଟ ଥାନା ଗଦି ସାମନ୍ତରାପୁରର ଦିପୁନ ବେହେରା ଓ ସିପୁନ ବାରିକଙ୍କୁ ଗିରଫ କରିଛି ।

Also Read:- ଗୋ-ମାଫିଆ ସକିଲ୍ ଖାନ୍‌ ବିରୋଧରେ NSA ଲାଗୁ, ଜାତୀୟ ନିରାପତ୍ତା ଆଇନ ଅଧୀନରେ ଜେଲ୍‌ରେ ରଖିବାକୁ ଜିଲ୍ଲାପାଳଙ୍କ ମଞ୍ଜୁରି

ଉଭୟ ଭଦ୍ରକାଳୀଙ୍କ ନିକଟସ୍ଥ ଏକ ଗ୍ରାମରେ ନିଜ ସଂପର୍କୀୟଙ୍କ ଘରେ କିଛି ଦିନ ହେବ ରହି ଆସୁଥିଲେ । ଏମାନଙ୍କ ନିକଟରୁ ପୋଲିସ ଚୋରି ଟଙ୍କା ମଧ୍ୟ ଜବତ କରିବା ସହ ଉଭୟଙ୍କୁ କୋର୍ଟ ଚାଲାଣ କରିଛି । ପଚରା ଉଚୁରା ବେଳେ ଦୁଇ ଜଣ ଅଭ୍ୟାସଗତ ଲୁଟେରା ବୋଲି ଜଣା ପଡ଼ିବା ସହ ଅନେକ ମନ୍ଦିର ଲୁଟ୍ରେ ସାମିଲ ଥିବା ଜାଣିବା ପାଇଁ ମିଳିଛି । ଭଦ୍ରକ ପୋଲିସ ଉଭୟ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରିବ ବୋଲି ଭଦ୍ରକ ଏସ୍ପି ସୂଚନା ଦେଇଛନ୍ତି ।