ନୂଆଦିଲ୍ଲୀରାହୁଲ ଗାନ୍ଧୀଙ୍କ ପିଛା ଛାଡ଼ୁ ନାହିଁ ସମସ୍ୟା। ପୂର୍ବରୁ ଏକାଧିକ ମାମଲାରେ ଆଇନଗତ ଲଢ଼େଇ ଜାରି ରହିଥିବା ବେଳେ ଏବେ ପୁଣି ଏକ ମାମଲା ରୁଜୁ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଦ୍ୱୈତ ନାଗରିକତା ମାମଲାରେ ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ଥାନାରେ ମାମଲା ରୁଜୁ କରିବାକୁ ଶୁକ୍ରବାର ଅଲ୍ଲାହବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ୍ ନିର୍ଦ୍ଦେଶ ଦେଇଛନ୍ତି। ଉତ୍ତର ପ୍ରଦେଶ ରାଇବରେଲିର କୋତୱାଲି ଥାନାକୁ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କାରଣ ରାହୁଲ ଏହି ଆସନରୁ ସାଂସଦ ଅଛନ୍ତି, ଓ ଲୋକସଭା ବିରୋଧୀ ଦଳର ନେତା ମଧ୍ୟ ଅଛନ୍ତି। 

ରାହୁଲଙ୍କ ବିରୁଦ୍ଧରେ ଅଭିଯୋଗ କ’ଣ

ମାମଲାଟି ରାହୁଲ ଗାନ୍ଧୀଙ୍କର ବ୍ରିଟିଶ ନାଗରିକତା ସହିତ ଜଡିତ ଘଟଣାକୁ ନେଇ ହେଇଛି। ଯାହାପରେ ରାହୁଲ ଗାନ୍ଧୀଙ୍କ ପାଖରେ ଭାରତୀୟ ଏବଂ ବ୍ରିଟିଶ ଉଭୟ ନାଗରିକତା ଅଛି କି ନାହିଁ ସେ ନେଇ ପ୍ରଶ୍ନ ଉଠିଛି। ତେବେ ଯଦି ରାହୁଲଙ୍କ ପାଖରେ ବ୍ରିଟିସ ନାଗରିକତା ଥାଏ, ତେବେ ସେ ଭାରତୀୟ ସାଂସଦ ହୋଇପାରିବେ ତ?

Alos Read- Rahul Gandhi: ମହିଳା ସଂରକ୍ଷଣ ଏବଂ ସୀମା ପୁନଃନିର୍ଦ୍ଧାରଣ ବିଲକୁ ନେଇ ସରକାରଙ୍କୁ ଘେରିଲେ ରାହୁଲ ଗାନ୍ଧୀ, ଆଣିଲେ ସଂଘାତିକ ଅଭିଯୋଗ

ବିଜେପି ନେତା ଭିଗ୍ନେଶ ଶିଶିର ଆଲ୍ଲାହାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରେ ଏକ ଆବେଦନ ଦାଖଲ କରିଥିଲେ, ଯେଉଁଥିରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ଦାବି କରାଯାଇଥିଲା। କାରଣ ତାଙ୍କ ପାଖରେ ବ୍ରିଟିଶ ନାଗରିକତା ଥିବା ସେ ଅଭିଯୋଗ କରିଥିଲେ। କର୍ଣ୍ଣାଟକର ବିଜେପି ସଦସ୍ୟ ବିଗ୍ନେଶ ଏହା ପୂର୍ବରୁ ମଧ୍ୟ ମାମଲାକୁ ଲକ୍ଷ୍ନୌର ସ୍ୱତନ୍ତ୍ର ଏମ୍‌ପି/ଏମଏଲ୍‌ଓ କୋର୍ଟରେ ମାମଲା ଦାୟ କରିଥିଲେ। ହେଲେ କୋର୍ଟ ଏହି ଆବେଦନକୁ ଜାନୁଆରୀ ୨୮ ତାରିଖରେ ଖାରଜ କରିଦେଇଥିଲେ।

​​​​​​​ଏହାକୁ ଚ୍ୟାଲେଞ୍ଜ କରି ଆଲ୍ଲାହାବାଦ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ବିଗ୍ନେଶ। ସେ ଦାବି କରିଥିଲେ ଯେ ତାଙ୍କ ପାଖରେ ୟୁକେ ସରକାରଙ୍କ ପକ୍ଷରୁ ଡକ୍ୟୁମେଣ୍ଟ ଏବଂ "ଗୋପନୀୟ ଇମେଲ୍" ଅଛି। ଯେଉଁଥିରେ ରାହୁଲ ଜଣେ ବ୍ରିଟିଶ ନାଗରିକ ବୋଲି ପ୍ରମାଣ କରିବ ହେବ ବୋଲି ସେ ଦାବି କରିଥିଲେ। କୋର୍ଟ ମାମଲାର ଶୁଣାଣି କରି ରାହୁଲଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେବା ପରେ ବିଗ୍ନେଶ କୋର୍ଟଙ୍କୁ ଧନ୍ୟବାଦ ଦେଇଛନ୍ତି। 

​​​​​​​

’ଣ କହୁଛି ଆଇନ ?

ଅଭିଯୋଗ ହେଉଛି ଯେ ରାହୁଲ ଗାନ୍ଧୀଙ୍କର ଦ୍ୱୈତ ନାଗରିକତା ଅଛି। ଅର୍ଥାତ୍ ସେ ଗୋଟିଏ ପଟେ ଭାରତୀୟ ନାଗରିକ ଏବଂ ଅନ୍ୟପଟେ ବ୍ରିଟିଶ ନାଗରିକ ମଧ୍ୟ। ହେଲେ ଭାରତୀୟ ଆଇନ କହୁଛି ଯେ ଜଣେ ବ୍ୟକ୍ତି କେବଳ ଗୋଟିଏ ଦେଶର ନାଗରିକତା ରଖିପାରିବେ। ଯଦି କାହା ପାଖରେ ଦ୍ୱୈତ ନାଗରିକତା ଅଛି ତେବେ ସେ ଭାରତରେ ନିର୍ବାଚନ ଲଢ଼ିପାରିବେ ନାହିଁ କିମ୍ବା ସାଂସଦ ହୋଇପାରିବେ ନାହିଁ।

୨୦୨୪ ଲୋକସଭା ନିର୍ବାଚନରେ ରାହୁଲ ଗାନ୍ଧୀ ରାୟବରେଲିରୁ ସାଂସଦ ନିର୍ବାଚିତ ହୋଇଥିଲେ। ଏହାପରେ, ଭିଗ୍ନେଶ ଶିଶିର କୋର୍ଟରେ ଏକ ଆବେଦନ ଦାଖଲ କରିଥିଲେ, ଯେଉଁଥିରେ ଯୁକ୍ତି ଦିଆଯାଇଥିଲା ଯେ ଯଦି ରାହୁଲ ଗାନ୍ଧୀଙ୍କ ପାଖରେ ବ୍ରିଟିଶ ନାଗରିକତା ଅଛି, ତେବେ ତାଙ୍କର ସଂସଦର ସଦସ୍ୟତା ଅବୈଧ।

’ଣ କହିଲେ କୋର୍ଟ ?

ବିଚାରପତି ସୁଭାଷ ବିଦ୍ୟାର୍ଥୀଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଆବେଦନର ଶୁଣାଣି କରି ଏକ ଏଫଆଇଆର ପଞ୍ଜିକରଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟ ରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲା ପଞ୍ଜିକରଣ କରିବାକୁ ରାୟବରେଲି ପୋଲିସ ଷ୍ଟେସନକୁ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ ସିବିଆଇକୁ ହସ୍ତାନ୍ତର କରିବା ପାଇଁ ଉତ୍ତର ପ୍ରଦେଶ ସରକାରଙ୍କ ଦାବିକୁ ମଧ୍ୟ କୋର୍ଟ ଗ୍ରହଣ କରିଛନ୍ତି।
ରାହୁଲଙ୍କ ବିରୁଦ୍ଧରେ ଆବେଦନ କରିଥିବା ଭିଗ୍ନେଶ ଶିଶିର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହ କୋର୍ଟ ସମ୍ମୁଖରେ ମାମଲା ସହିତ ଜଡିତ ଗୁପ୍ତ ଫାଇଲଗୁଡ଼ିକୁ ଉପସ୍ଥାପନ କରିବାକୁ ଅନୁମତି ଦେଇଛନ୍ତି। ଆଉ ଏହି ଫାଇଲଗୁଡ଼ିକ ହିଁ କୋର୍ଟ ତାଙ୍କର ନିଷ୍ପତ୍ତି ନେବାର କାରଣ।

ଆଗକୁ କ’ଣ ହେବ ?

ଏବେ ସିବିଆଇ ଏହି ମାମଲାର ତଦନ୍ତ କରିବ। ଏଫଆଇଆର ଦାଖଲ ହେବା ପରେ, ତଦନ୍ତକାରୀ ସଂସ୍ଥା ନିର୍ଣ୍ଣୟ କରିବ ଯେ ରାହୁଲ ଗାନ୍ଧୀ ପ୍ରକୃତରେ ବ୍ରିଟିଶ ନାଗରିକତା ରଖନ୍ତି କି ନାହିଁ। ଭିଗ୍ନେଶ ଶିଶିର ମଧ୍ୟ କହିଛନ୍ତି ଯେ ସେ ତଦନ୍ତରେ ପୋଲିସକୁ ସାହାଯ୍ୟ କରିବେ।