• ଭୋଟର ଲିଷ୍ଟରୁ ସବୁ ମୁସଲମାନ ଭୋଟରଙ୍କୁ ବାଦ ଦିଆଯାଇଛି, ଏପରିକି ବିଏଲଓ ମଧ୍ୟ ବାଦ ପଡିଛନ୍ତି
  • ଏହି ବିବାଦ ବସିରହାଟ ବ୍ଲକ-୨ ବେଗମପୁର, ବିବିପୁର ଗ୍ରାମପଞ୍ଚାୟତ ବୁଥ ନମ୍ବର ୫କୁ ନେଇ ଉପୁଜିଛି
  • ୩୫୮ ଜଣ ଭୋଟରଙ୍କୁ ସେମାନଙ୍କ ପାତ୍ରତାକୁ ନେଇ ଶୁଣାଣି ନିମନ୍ତେ ଡକା ଯାଇଥିଲା

ବସିରହାଟ ୨୬।୩: ପଶ୍ଚିମବଙ୍ଗ ବସିରହାଟ ଉତ୍ତର ବିଧାନସଭା ନିର୍ବାଚନମଣ୍ଡଳିର ପ୍ରକାଶିତ ସପ୍ଲିମିଣ୍ଟାରୀ ଭୋଟର ଲିଷ୍ଟ ଏବେ ବିବାଦର କାରଣ ପାଲଟିଛି। ଏହି ଭୋଟର ଲିଷ୍ଟରେ ଏକ ବିଶେଷ ସମୂଦାୟର ୩୪୦ ଭୋଟରଙ୍କ ନାମ ନଥିବା ଜଣାପଡିବା ପରେ ଉତ୍ତେଜନା ପ୍ରକାଶ ପାଇଛି। ତେବେ ପରିସ୍ଥିତି ସେତେବେଳେ ଜଟିଳ ରୂପ ଧାରଣ କଲା ଯେତେବେଳେ ବୁଥ ଲେବୁଲ ଅଫିସର (ବିଏଲଓ) ସିଫିଉଲ ଆଲମଙ୍କ ନାମ ଏଥିରେ ନଥିବା ଜଣାପଡିଲା। ଲୋକେ ରାସ୍ତାକୁ ଓହ୍ଲାଇ ବିରୋଧ ପ୍ରଦର୍ଶନ କରିଥିବା ବେଳେ ନିର୍ବାଚନରେ ଜାଣିଶୁଣି ବିଶେଷ ସମୂଦାୟକୁ ବଞ୍ଚିତ କରାଯାଉଥିବା ଅଭିଯୋଗ କରିଛନ୍ତି।

ଏହି ଘଟଣା ବୋରୋ ଗୋବରା ଗାଁର ବୁଥ ନମ୍ବର ୫ରେ ଘଟିଛି। ଭୋଟର ଲିଷ୍ଟରୁ ସବୁ ମୁସଲମାନ ଭୋଟରଙ୍କୁ ବାଦ ଦିଆଯାଇଛି, ଏପରିକି ବିଏଲଓ ମଧ୍ୟ ବାଦ ପଡିଛନ୍ତି। ପୂର୍ବରୁ ପ୍ରକାଶିତ ଡ୍ରାଫ୍ଟ ତାଲିକାରେ ୩୪୦ଜଣ ଭୋଟରଙ୍କ ନାମ ‘ବିଚାରାଧାନ’ ଥିଲା। ପ୍ରକାଶିତ ସପ୍ଲିମିଣ୍ଟାରୀ ଲିଷ୍ଟରୁ ସମସ୍ତଙ୍କୁ ହଟାଇ ଦିଆଯାଇଛି। ଏହି ସାମୁହିକ ବାଦ କୁ ନେଇ ଭୋଟରମାନେ ରାସ୍ତାରେ ଉଗ୍ର ବିରୋଧ ପ୍ରଦର୍ଶନ କରିବା ସହ ଅଧିକାରୀଙ୍କ ବାସଭବନ ଘେରାଉ କରିଛନ୍ତି। ପ୍ରଭାବିତ ଭୋଟର ଓ ସ୍ଥାନୀୟ ଅଧିକାରୀ ନିର୍ବାଚନ ଅଧିକାରୀଙ୍କ ପାରଦର୍ଶିତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

ବିଏଲଓ କହିଛନ୍ତି ଯେ ବସିରହାଟ ବ୍ଲକ-୨ର ବିଡିଓଙ୍କ ସମାଧାନ ପ୍ରୟାସକୁ ଏହା କହି ଟାଳି ଦିଆଯାଇଛି ଯେ ଏବେ କୌଣସି କାର୍ଯ୍ୟାନୁଷ୍ଠାନ କରାଯାଇ ପାରିବ ନାହିଁ। ତେବେ ମାମଲାରେ ମତଦାତା ପଞ୍ଜିକରଣ ଅଧିକାରୀଙ୍କ ସହ ସମ୍ପର୍କ ହୋଇ ପାରି ନାହିଁ। ପ୍ରଭାବିତ ଭୋଟରଙ୍କ ମଧ୍ୟରୁ ଜଣେ କାଜିଋଲ ମଣ୍ଡଳ କହିଛନ୍ତି ଯେ ଏସଆଇଆରରେ ନିର୍ବାଚନ ଆୟୋଗଙ୍କୁ ୧୧ ବୈଧ ଡକ୍ୟୁମେଣ୍ଟ ମଧ୍ୟରୁ କେବଳ ଗୋଟିକର ଆବଶ୍ୟକତା ରହିଛି। ହେଲେ ଲୋକେ ୩-୪ଟି ଡକ୍ୟୁମେଣ୍ଟ ଦେଇଥିଲେ ମଧ୍ୟ ସେମାନଙ୍କ ନାମ ଭୋଟର ଲିଷ୍ଟରୁ ହଟାଇ ଦିଆଯାଇଛି।

ତେବେ ଏହି ମାମଲାର ଆଇନଗତ ସମାଧାନ ନିମନ୍ତେ ବିଏଲଓ ଆଲମ ଟ୍ରିବ୍ୟୁନାଲକୁ ଯିବେ ବୋଲି ଘୋଷଣା କରିଛନ୍ତି। ଏହି ବିବାଦ ବସିରହାଟ ବ୍ଲକ-୨ ବେଗମପୁର, ବିବିପୁର ଗ୍ରାମପଞ୍ଚାୟତ ବୁଥ ନମ୍ବର ୫କୁ ନେଇ ଉପୁଜିଛି। ଏହି ବୁଥରେ ମୋଟ ୯୯୨ ପଞ୍ଜିକୃତ ଭୋଟର ଅଛନ୍ତି। ମୃତ୍ୟୁ ଅଥବା ସ୍ଥାନାନ୍ତରଣ କାରଣରୁ ୩୮ ନାମକୁ ନିର୍ବାଚନ ଆୟୋଗଙ୍କ ଉପାୟ ଅନୁସାରେ ହଟା ଯାଇଥିଲା। ସେହିପରି ୩୫୮ ଜଣ ଭୋଟରଙ୍କୁ ସେମାନଙ୍କ ପାତ୍ରତାକୁ ନେଇ ଶୁଣାଣି ନିମନ୍ତେ ଡକା ଯାଇଥିଲା। ଏଥିରୁ ୧୮ଟି ମାମଲାର ସମାଧାନ ହୋଇଥିବା ବେଳେ ୩୪୦ ମାମଲାକୁ ସପ୍ଲିମିଣ୍ଟାରୀ ସୂଚୀ ପ୍ରକାଶ ପର୍ଯ୍ୟନ୍ତ ବିଚାରାଧୀନ ରଖା ଯାଇଥିଲା। ଏହା ପରେ ସମସ୍ତ ଭୋଟରଙ୍କୁ ହଟାଯାଇଥିବା ଭୋଟରଙ୍କ ତାଲିକାରେ ପକାଇ ଦିଆଯାଇଛି।

ଆଲମ କହିଛନ୍ତି ଯେ ସେ ବ୍ୟକ୍ତିଗତ ଭାବେ ସେହି ଭୋଟରଙ୍କୁ ଫର୍ମ ପୂରଣରେ ସହାୟତା କରିଥିଲେ। ସେହିପରି ସବୁ କାଗଜପତ୍ର ନିର୍ବାଚନ ଆୟୋଗଙ୍କ ନିୟମାନୁସାରେ ଅପଲୋଡ କରାଯାଇଥିଲା। ତଥାପି ଲୋକଙ୍କ ନାମ ବାଛିବାଛି ହଟା ଯାଇଛି, ଯେଉଁଥିରେ ବିଏଲଓଙ୍କ ନାମ ମଧ୍ୟ ନାହିଁ। ଏଣୁ ମାମଲାରେ ସେ ଟ୍ରିବ୍ୟୁନାଲକୁ ଯିବେ ବୋଲି କହିଛନ୍ତି।

Also Read..
Assam Election: ଧନୀ ପ୍ରାର୍ଥୀଙ୍କ ତାଲିକାରେ ସେୱଲି ମୋହିଲାରୀ, ସବୁଠୁ ଆଗରେ ୭୦ ବର୍ଷୀୟ ମହମ୍ମଦ ବଦରୁଦ୍ଦିନ୍