ନୂଆଦିଲ୍ଲୀ: ଯଦି ଆପଣ ଏୟାରଟେଲର ଅନଲିମିଟେଡ୍ 5G ପ୍ଲାନ ବ୍ୟବହାର କରନ୍ତି ଏବଂ ନିଜ ଫୋନର ଇଣ୍ଟରନେଟକୁ ଅନ୍ୟ ଡିଭାଇସରେ ହଟସ୍ପଟ୍ ଜରିଆରେ ଚଲାନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ସୋସିଆଲ ମିଡିଆରେ ୟୁଜର ଅଭିଯୋଗ କରୁଛନ୍ତି ଯେ ଏୟାରଟେଲର ଅନଲିମିଟେଡ୍ 5G ପ୍ଲାନ୍ ହଟସ୍ପଟ୍ ସହ କନେକ୍ଟ କରି ଅନ୍ୟ ଡିଭାଇସ୍ ଗୁଡ଼ିକରେ ଚାଲୁନାହିଁ ।

ଏୟାରଟେଲର ଅଫିସିଆଲ୍ ଟର୍ମରେ ଉଲ୍ଲେଖ ରହିଛି ଯେ ଅନଲିମିଟେଡ୍ 5G ଡାଟାକୁ ମୋବାଇଲ୍ ହଟସ୍ପଟ୍ ଜରିଆରେ ଶେୟାର କରିବା ପାଇଁ ଅନୁମତି ନାହିଁ । ଏହି କଥାଟି ଏବେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାରେ ଅଛି ଏବଂ ଅନେକ ୟୁଜର୍ସ କହୁଛନ୍ତି ଯେ ସେମାନଙ୍କୁ ପୂର୍ବରୁ ଏ ବିଷୟରେ ସୂଚନା ନଥିଲା ।

 

ଏୟାରଟେଲ୍ ୱେବସାଇଟରେ ନିୟମ କଣ କହୁଛି ?

ଆଜତକର ରିପୋର୍ଟ ଅନୁସାରେ, ଏୟାରଟେଲର ୱେବସାଇଟରେ ଉପଲବ୍ଧ ଅନଲିମିଟେଡ୍ 5G ଅଫରର ସର୍ତ୍ତାବଳୀ ଅନୁଯାୟୀ, ଏହି ସର୍ଭିସ୍ କେବଳ ବ୍ୟକ୍ତିଗତ ବ୍ୟବହାର ପାଇଁ । କମ୍ପାନି ସ୍ପଷ୍ଟ ଭାବେ କହିଛି ଯେ ଯେଉଁ କନେକ୍ସନରେ ଅନଲିମିଟେଡ୍ 5G ଆକ୍ଟିଭ୍ ଅଛି, ତାର ଡାଟା ମୋବାଇଲ୍ ହଟସ୍ପଟ୍ ଜରିଆରେ ଅନ୍ୟ କୌଣସି ଡିଭାଇସ୍ ସହିତ ସେୟାର କରାଯାଇପାରିବ ନାହିଁ । ଅର୍ଥାତ୍ ଯଦି ଆପଣ ଲାପଟପ୍, ଟାବଲେଟ୍ କିମ୍ବା ଅନ୍ୟ କୌଣସି ଫୋନରେ ହଟ୍ସ୍ପଟ୍ ଜରିଆରେ ଅନଲିମିଟେଡ୍ 5G ଚଲାଇବାକୁ ଚାହୁଁଛନ୍ତି, ତେବେ ଏହା କମ୍ପାନିର ନିୟମ ଓ ସର୍ତ୍ତାବଳୀର ବିରୁଦ୍ଧ ।

 

ଏହି ଖବର ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ୟୁଜର୍ସ ଅନେକ ପ୍ରଶ୍ନ ଉଠାଇଛନ୍ତି । ଯେତେବେଳେ ପ୍ଲାନକୁ "ଅନଲିମିଟେଡ୍ 5G" କୁହାଯାଉଛି, ସେତେବେଳେ ଏଭଳି ସର୍ତ୍ତଗୁଡ଼ିକ ବିଷୟରେ ପୂର୍ବରୁ ସ୍ପଷ୍ଟ ଭାବେ କାହିଁକି ଜଣାଯାଇ ନଥାଏ । କିଛି ଲୋକ କହିଛନ୍ତି ଯେ ଏଭଳି ହଟସ୍ପଟ୍ ବ୍ୟବହାର ଉପରେ କଟକଣା ରହିଛି ବୋଲି ଏବେ ଜାଣୁଛନ୍ତି ।

 

କେବଳ ସେତିକି ନୁହେଁ, ଏୟାରଟେଲର କେତେକ ପ୍ରିପେଡ୍ ଏବଂ ପୋଷ୍ଟପେଡ୍ ସର୍ତ୍ତାବଳୀରେ ଏହା ମଧ୍ୟ ଲେଖାଅଛି ଯେ ଯଦି ୩୦ ଦିନରେ ଡାଟା ବ୍ୟବହାର ୩୦୦ ଜିବିରୁ ଅଧିକ ହୁଏ, ତେବେ ତାହାକୁ କମର୍ସିଆଲ୍ ୟୁଜ୍ ବୋଲି ଧରାଯିବ ।

ଏଭଳି କ୍ଷେତ୍ରରେ କମ୍ପାନୀ ଇଣ୍ଟରନେଟ୍ ସ୍ପିଡ୍ କମାଇ ଦେଇପାରେ, ଅଫର୍ ବଦଳାଇ ଦେଇପାରେ କିମ୍ବା ସେବା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ। ଅବଶ୍ୟ ଏହି ନିୟମ ପ୍ଲାନ୍ ଏବଂ ବ୍ୟବହାରର ସ୍ଥିତି ଆଧାରରେ ଲାଗୁ ହୋଇଥାଏ ।