ୟେଙ୍ଗୁନ: ମିଆଁମାର ମଧ୍ୟ ସାଗାଇଂଗ କ୍ଷେତ୍ରରେ ଏକ ଦୁଃଖଦ ଘଟଣା ଘଟିଛି। ଏଠାକାର ଏକ ବୌଦ୍ଧ ମଠ ଉପରେ ବାୟୁସେନା ଏୟାରଷ୍ଟ୍ରାଇକ୍ ଯୋଗୁ ୧୪ ଜଣଙ୍କ ମୃତ୍ୟୁ ହୋଇଥିବାର ଦାବି କରାଯାଉଛି। ଏହି ଆକାଶୀୟ ଆକ୍ରମଣ ମ୍ୟାଙ୍ଗ ଟାଉନସିପ୍ ର ସ୍ୱେଲ ଲେ ଓହ ଗାଁରେ ଘଟିଛି। ମଣ୍ଡାଲେ ସହରରୁ ୭୫ କିଲୋମିଟର ଦୂରରେ ଘଟିଥିବା ଏହି ଘଟଣା ଏବେ ବିଶ୍ୱବ୍ୟାପି ଚିନ୍ତାର କାରଣ ପାଲଟିଛି। କୁହାଯାଉଛି ବହୁ ସଂଖ୍ୟାରେ ଲୋକେ ବୌଦ୍ଧ ଲେଣ୍ଟ କାଳରେ ଏକ ସପ୍ତାହର ମେଡିଟେସନ ଓ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିଲେ।

ସିଭିଲ ଡିଫେନ୍ସ ଆଣ୍ଡ ସିକ୍ୟୁରିଟି ଅର୍ଗାନାଇଜେସନ ଅଫ ମ୍ୟାଙ୍ଗର ମୁଖପାତ୍ର ନ୍ୱେ ଉ ଙ୍କ ଅନୁସାରେ ଶୁକ୍ରବାର ସକାଳ ପାଖାପାଖି ୯ଟା ବେଳେ ଏକ ଯୁଦ୍ଧ ବିମାନ ମଠ ପରିସରକୁ ବୋମା ମାଡ଼ କରିଥିଲା। ଏହି ଘଟଣାରେ ୩ ଜଣ ମହିଳାଙ୍କ ସମେତ ୧୪ ଜଣ ପ୍ରାଣ ହରାଇଥିବା ବେଳେ ଅନ୍ୟ ୨୦ ଜଣ ଆହତ ହୋଇଥିଲେ। ସ୍ଥାନୀୟ ବାସିନ୍ଦାଙ୍କ ଅନୁସାରେ ୧୫ ମିନିଟ୍ ପରେ ଯୁଦ୍ଧ ବିମାନ ମଠ ନିକଟସ୍ଥ ଏକ ଘର ଉପରକୁ ପୁଣି ବୋମା ମାଡ଼ କରିଥିଲା। ସେଠାରେ ମଧ୍ୟ ବହୁ ସଂଖ୍ୟାରେ ଲୋକ ଥିଲେ। ଏଣୁ ସେଠାରେ ମଧ୍ୟ ଲୋକେ ମୃତାହତ ହୋଇଛନ୍ତି।

ସ୍ଥାନୀୟ ଲୋକଙ୍କ ଅନୁସାରେ ଘଟଣା କାଳରେ ମଠରେ ୧୦୦ରୁ ଅଧିକ ଲୋକ ଥିଲେ ଓ ସେମାନେ ସପ୍ତାହ ବ୍ୟାପୀ ଧାର୍ମିକ ରିଟ୍ରିଟରେ ଅଂଶଗ୍ରହଣ କରୁଥିଲେ। ଆକ୍ରମଣ ପରେ ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା ଓ ଲୋକେ ଜୀବନ ବଞ୍ଚାଇବାକୁ ଯିଏ ଯୁଆଡେ ପଳାଇଥିଲେ। ଏହି ଆକ୍ରମଣ ଏପରି ସମୟରେ ହୋଇଛି ଯେତେବେଳେ ମିଳିତ ଜାତିସଂଘ ସମ୍ପର୍କିତ ଇଣ୍ଡିପେଣ୍ଡେଣ୍ଟ ଇନଭେଷ୍ଟିଗେଟିଭ ମେକାନିଜିମ ଫର ମିଆଁମାର ରିପୋର୍ଟରେ ସେନା ସରକାରଙ୍କ ଉପରେ ନାଗରିକଙ୍କୁ ଲଗାତାର ଜାଣିଶୁଣି ଆକ୍ରମଣ କରୁଥିବା ଅଭିଯୋଗ ଆସିଛି।

ରିପୋର୍ଟରେ ଘର,ସ୍କୁଲ, ବିସ୍ଥାପିତ ହୋଇଥିବା ଲୋକଙ୍କ ଶିବିର ଉପରେ ବିମାନ ଆକ୍ରମଣ, ମନଇଛା ଗିରଫଦାରୀ, ନିର୍ଯାତନା ଓ ଯୌନ ହିଂସା ଯାଞ୍ଚର ଉଲ୍ଲେଖ ରହିଛି। ଉଲ୍ଲେଖଯୋଗ୍ୟ ଯେ ମିଆଁମାରରେ ଫେବୃଆରୀ ୨୦୨୧ରେ ସାମରିକ ବିଦ୍ରୋହ ପରେ ସଂଘର୍ଷ ଜାରି ରହିଛି। ସେନା ନିର୍ବାଚିତ ସରକାରଙ୍କୁ ହଟାଇ ଶୀର୍ଷ ନେତାଙ୍କୁ ଗିରଫ କରିଥିଲା। ଏହାପରେ ସାରା ଦେଶରେ ବିରୋଧ ଓ ସଶସ୍ତ୍ର ପ୍ରତିରୋଧ ଆରମ୍ଭ ହୋଇଥିଲା।