ନୂଆଦିଲ୍ଲୀ ୨୧।୩: ମଧ୍ୟପ୍ରାଚ୍ୟରେ ଜାରି ଯୁଦ୍ଧର ପ୍ରଭାବ ଏବେ ବେସାମରିକ ବିମାନ ଚଳାଚଳ ଉଦ୍ୟୋଗ ଉପରେ ପଡିଛି। ସିଧାସଳଖ କହିଲେ ୧ ଏପ୍ରିଲରୁ ବିମାନ ଟିକେଟ ମହଙ୍ଗା ହେବ। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାୟଡୁ ନିଜେ ଏହି ସଂକେତ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଯେବେବି କେଉଁ ଯୁଦ୍ଧ ହୁଏ ସର୍ବ ପ୍ରଥମେ ଅଶୋଧିତ ତୈଳ ମୂଲ୍ୟ ବଢିଥାଏ। ଏଥିରେ ଇରାନ ଓ ଆଖପାଖ ଦେଶମାନଙ୍କରେ ଚାଲିଥିବା ଯୁଦ୍ଧ ବିଶ୍ୱର ତୈଳ ଯୋଗାଣ ଉପରେ ସଂକଟ ସୃଷ୍ଟି କରିଛି। ଏଣୁ ନାୟଡୁ କହିଛନ୍ତି ଯେ ଯୁଦ୍ଧ ଯୋଗୁ ବିମାନ ଇନ୍ଧନ ଦର ବଢିବ।

ଏହି ମୂଲ୍ୟ ପ୍ରତିମାସର ପହିଲା ତାରିଖରେ ନିର୍ଦ୍ଧାରଣ ହୁଏ। ଏଣୁ ଏହାର ଅସଲି ପ୍ରଭାବ ଆମକୁ ଏପ୍ରିଲ ୧ ତାରିଖରୁ ଜଣାପଡିବ। ହେଲେ ଏବେ ପ୍ରଶ୍ନ ଉଠୁଛି ଇନ୍ଧନ ମୂଲ୍ୟ ବୃଦ୍ଧି ହେଲେ ଟିକେଟ୍ ମୂଲ୍ୟ କାହିଁକି ବଢିବ? ଏହାର ଗଣିତ ବେଶ୍ ସହଜ କୌଣସି ଏୟାରଲାଇନ ଚଳାଇବାକୁ ଯେଉଁ ଖର୍ଚ୍ଚ ହୋଇଥାଏ ତାର ୪୦% କେବଳ ଇନ୍ଧନ ବାବଦ ବ୍ୟୟ ଥାଏ। ଅର୍ଥାତ ଯଦି ଇନ୍ଧନ ଦାମ ବଢେ ତେବେ ଏୟାରଲାଇନ୍ସ ଙ୍କ ପାଖରେ ଟିକେଟ୍ ମୂଲ୍ୟ ବୃଦ୍ଧି ଛଡା ଅନ୍ୟ କୌଣସି ବିକଳ୍ପ ନାହିଁ। ଏଣୁ କେତେକ ଭାରତୀୟ ବିମାନ କମ୍ପାନୀ ଏବେଠୁ ଯାତ୍ରୀଙ୍କ ଠାରୁ ଫୁଏଲ ଚରଚାର୍ଜ ଆଦାୟ କରିବା ଆରମ୍ଭ କରିଦେଇଛନ୍ତି।

ତେବେ ସରକା ଉଦ୍ୟମ କରୁଛନ୍ତି ବିମାନ ଭଡ଼ା ଯେପରି ବୃଦ୍ଧି ନ ହୁଏ। ଏଥି ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଲଗାତାର ପେଟ୍ରୋଲିୟମ ମନ୍ତ୍ରାଳୟ ସହ ବୈଠକ କରୁଛି। ଏହା ଛଡା ଫ୍ଲାଇଟ ଯେପରି ସୁରକ୍ଷିତ ରହେ ଓ ଯାତ୍ରୀଙ୍କ ପକେଟ ଉପରେ ଯେପରି ଅଧିକ ବୋଝ ନ ପଡେ ସେ ନେଇ ରିତିମତ ଚର୍ଚ୍ଚା ହେଉଛି। ତେବେ ସତ କଥା ହେଉଛି ଯେଉଁ ପର୍ଯ୍ୟନ୍ତ ମଧ୍ୟପ୍ରାଚ୍ୟରେ ଶାନ୍ତି ନ ଫେରିଛି ସେ ପର୍ଯ୍ୟନ୍ତ ବିମାନ ଭଡ଼ା ବୃଦ୍ଧିର ଭୟ ଲାଗି ରହିବ। ହେଲେ ଏବେକା ପରିସ୍ଥିତିରୁ ଯାହା ଜଣାପଡୁଛି ୧ ଏପ୍ରିଲରୁ ବିମାନ ଯାତ୍ରା ମହଙ୍ଗା ହେବ।