ନୂଆଦିଲ୍ଲୀ: ଆମ ଦେଶରେ ବର୍ତ୍ତମାନ ସବୁ ମହଙ୍ଗା। ଛୋଟମୋଟ ବ୍ୟବସାୟୀଙ୍କୁ ଠାରୁ ଆରମ୍ଭ କରି ବଡ଼ ବଡ଼ ବିଜନେଶମ୍ୟାନ, ବିଭିନ୍ନ ସଂସ୍ଥା ଓ ବ୍ୟବସ୍ଥା ବର୍ତ୍ତମାନ ଜନତାଙ୍କୁ ଲୁଟିବାରେ ବ୍ୟସ୍ତ। ଏଇ କିଛି ବର୍ଷ ହେବ ଏହି ଲୁଟର ମାତ୍ରା ମାତ୍ରା ଏତେ ବଢ଼ି ହୋଇଯାଇଛି ଯେ ସରକାର କିଛି କରନ୍ତୁ ବା ନ କରନ୍ତୁ ସୁପ୍ରିମକୋର୍ଟ କିନ୍ତୁ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। କୋର୍ଟଙ୍କ ଅସନ୍ତୋଷର କାରଣ ବି ସେମିତି।

ଆଗକୁ ଆସୁଛି ରଙ୍ଗପର ପର୍ବ ହୋଲି। ତେଣୁ ପେଟପାଟଣା ପାଇଁ ଯିଏ ଯେଉଁଠି ବିଦେଶରେ ସେମାନେ ଘରକୁ ଫେରି ପରିବାର ଓ ଗାଁ ସାଥୀଙ୍କ ସହ ହୋଲି ମନେଇବାକୁ ବାହାରିଲେଣି। ହେଲେ ଲାଗୁଛି ସେମାନଙ୍କର ଏହି ଖୁସୀ ପୂରଣ ହେବନି। କାରଣ ଏୟାରଲାଇନ୍ସଗୁଡ଼ିକ ଭଡ଼ା ଏତେ ବଢ଼ାଇ ଦେଇଛନ୍ତି ଯେ ମଧ୍ୟମ ଆୟ କରୁଥିବା ଲୋକେ ଏତେ ଟଙ୍କା ଦେଇ ଘରକୁ ଫେରିବାକୁ ପଛଘୁଞ୍ଚା ଦେଉଛନ୍ତି। କହିବେ କାହାକୁ ଶୁଣିବ କିଏ? ଶେଷରେ ଏଇ ଖୁସୀ ଟିକେ ମାରିବାକୁ ପଡ଼ିବ ବୋଲି ଲୋକେ ଜାଣି ସାରିଲେଣି।

ହୋଲିର ପୂର୍ବ ୱିକେଣ୍ଡ ଅର୍ଥାତ ଫେବୃଆରୀ ୨୮ ଶନିବାର ଆଖାପାଖର ତାରିଖଗୁଡ଼ିକରେ ଅନେକ ପ୍ରମୁଖ ରୁଟରେ ବିମାନ ଭଡ଼ା ଆକାଶ ଛୁଆଁ ହୋଇଛି। ସେପଟେ ଟ୍ରେନଗୁଡ଼ିକ କଥା ଦେଖିଲେ ହୋଲି ପାଇଁ ଟ୍ରେନ୍ ସର୍ବାଧିକ ବୁକିଂ ହୋଇଛି। ଅନେକ ଯାତ୍ରୀ ରିଜର୍ଭେସନ ନେବା ବନ୍ଦ କରିଦେଇଛନ୍ତି। ବିମାନ ଭଡ଼ାରେ ଏତେ ବୃଦ୍ଧି ହୋଇଛି ଯେ ମାର୍ଚ୍ଚ ଶେଷର ଟିକେଟ୍ ମୂଲ୍ୟ ଅପେକ୍ଷା ଫେବୃଆରୀ ୨୮ ଓ ଏହାର ଆଖପାଖ ତାରିଖରେ ଟିକେଟ ମୂଲ୍ୟ ୧୮୫% ପର୍ଯ୍ୟନ୍ତ ବୃଦ୍ଧି ପାଇଛି। କିଛି କ୍ଷେତ୍ରରେ, କେବଳ ଯିବା ଟିକେଟ ହିଁ ୨୦,୦୦୦ ଟଙ୍କା ପାଖାପାଖି ହୋଇଯାଇଛି।

ଭଡ଼ାରେ ଏତେ ବୃଦ୍ଧି ଦେଖି ମଧ୍ୟବିତ୍ତଙ୍କ ଘରକୁ ଫେରିବାର ସ୍ୱପ୍ନ ଫିକା ପଡ଼ିଯାଇଛି। ଏନେଇ ଅକ୍ଷତ ନାମକ ଜଣେ ବ୍ୟକ୍ତି ଏକ୍ସରେ ଲେଖିଛନ୍ତି “ ହୋଲି ପର୍ବ ସମୟରେ, ବିମାନ ଟିକେଟ୍ ମୂଲ୍ୟ ଅତ୍ୟନ୍ତ ବଢ଼ି ଯାଇଛି। ମଧ୍ୟବିତ୍ତ ବର୍ଗ ପାଇଁ, ଘରକୁ ଯାତ୍ରା କରିବା ଏବଂ ପ୍ରିୟଜନଙ୍କ ସହ ହୋଲି ପାଳନ କରିବା କଷ୍ଟକର ହୋଇପଡୁଛି। ଟ୍ରେନ୍ ସମ୍ପୂର୍ଣ୍ଣ ବୁକ୍ ହୋଇସାରିଛି, ଏବଂ ବାଙ୍ଗାଲୋରରୁ ବାରାଣସୀକୁ ବିମାନ ମୂଲ୍ୟ ସାଧାରଣ ମୂଲ୍ୟଠାରୁ ପ୍ରାୟ ଦୁଇଗୁଣା ହୋଇଯାଇଛି। ଗତ ୧୦-୧୫ ଦିନ ଧରି ମୁଁ ଭଡ଼ା ଉପରେ ନଜର ରଖିଛି, କିନ୍ତୁ କୌଣସି ଆଶ୍ୱସ୍ତି ମିଳିବାର ନା ଗନ୍ଧ ନାହିଁ। ପର୍ବପର୍ବାଣୀରେ ଲୋକମାନଙ୍କୁ ଏକାଠି କରିବା ଉଚିତ, ଯାତ୍ରାକୁ ମହଙ୍ଗା କରିବା ଉଚିତ ନୁହେଁ।”

​​​​​​​ପଢ଼ନ୍ତୁ- ​​​​​​​ବିମାନ ଟିକେଟ୍ ମୂଲ୍ୟ ବୃଦ୍ଧିକୁ ନେଇ ଚିନ୍ତା ପ୍ରକାଶ କଲେ ସୁପ୍ରିମକୋର୍ଟ, ସରକାରଙ୍କୁ ମାଗିଲେ ଜବାବ

ଯାହା ସରକାର କରିବା କଥା ତାହା କରୁଛନ୍ତି ସୁପ୍ରିମକୋର୍ଟ

ହୋଲି ଏବଂ ଦୀପାବଳି ଭଳି ପର୍ବପର୍ବାଣୀ ସମୟରେ ବିମାନ ବଢ଼ାରେ ଅହେତୁକ ବୃଦ୍ଧି ହେବା ଏଇ କିଛି ବର୍ଷ ଏକ ନିୟମିତ ବ୍ୟାପାର ହୋଇଗଲାଣି। ଏଥିରେ ସରକାର ନିରବ ଦ୍ରଷ୍ଟା ସାଜୁଥିବା ବେଳେ ସୁପ୍ରିମକୋର୍ଟ ଚିନ୍ତା ବ୍ୟକ୍ତ କରିଛନ୍ତି। ବିମାନ ଟିକେଟର ମୂଲ୍ୟରେ ତୀବ୍ର ବୃଦ୍ଧି ଉପରେ ଚିନ୍ତା ବ୍ୟକ୍ତି କରି ଏହି ପ୍ରସଙ୍ଗକୁ ଗମ୍ଭୀର ବୋଲି ସର୍ବୋଚ୍ଚ ଅଦାଲତ। ଏନେଇ ଜଷ୍ଟିସ୍ ବିକ୍ରମ ନାଥ ଏବଂ ସନ୍ଦୀପ ମେହେଟ୍ଟାଙ୍କ ଖଣ୍ଡପୀଠ ସରକାରଙ୍କୁ ଚାରି ସପ୍ତାହ ମଧ୍ୟରେ ଏକ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ କୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର ହୋଇଥିଲା। କୋର୍ଟ ଏହାର ଶୁଣାଣି କରି ସରକାରଙ୍କୁ ନୋଟିସ କରିଛନ୍ତି।

ହେଲେ ଦୁର୍ଭାଗ୍ୟର କଥା ହେଲା ସୁପ୍ରିମକୋର୍ଟ ୪ ସପ୍ତାହ, ପାଖାପାଖି ମାସେ ପରେ ମାମଲାର ଶୁଣାଣି କରିବେ। ସେତେବେଳକୁ ହୋଲି ଯାଇ ସାରିଥିବା। ତେଣୁ ଲୋକଙ୍କୁ ହୋଲିରେ ତ କିଛି ରିଲିଫ ମିଳିବନି ଏକଥା ଥୟ। ମାର୍ଚ୍ଚ ୨୩ ତାରିଖରେ ମାମଲାର ଶୁଣାଣି ହେବ। ଫେବୃଆରୀ ୨୮ ପାଇଁ ବେଙ୍ଗାଲୁରୁ ଗୋରଖପୁର ରୁଟରେ ବିମାନ ଭଡ଼ା ଏବେ ୧୯,୫୮୯ ଟଙ୍କା (ଟ୍ୟାକ୍ସ ସହିତ) ତାଲିକାଭୁକ୍ତ ହୋଇଛି, ଯାହା ମାସକ ପରେ କମି ମାତ୍ର ୭,୦୦୦ ଟଙ୍କା ହୋଇଯିବ। ତେଣୁ ହୋଲି ବିମାନ ଭଡ଼ା ସାଧାରଣ ଟିକେଟ୍ ମୂଲ୍ୟ ତୁଳନାରେ ପ୍ରାୟ ୧୫୮% ଅଧିକ ହୋଇଯାଇଛି। ନୂଆଦିଲ୍ଲୀ, ବେଙ୍ଗାଲୁରୁ ଏବଂ ମୁମ୍ବାଇ ଭଳି ମେଟ୍ରୋଗୁଡ଼ିକୁ ପୂର୍ବ ଉତ୍ତର ପ୍ରଦେଶ ଏବଂ ବିହାରର ସହରଗୁଡ଼ିକ ସହିତ ସଂଯୋଗ କରୁଥିବା ରୁଟରେ ଭଡ଼ା ବୃଦ୍ଧି ଅଧିକ ହୋଇଛି। ହୋଲିର ମାସକ ପରେ, ମାର୍ଚ୍ଚ ୨୮ ସୁଦ୍ଧା, ଏହି ରୁଟଗୁଡ଼ିକର ଭଡ଼ା କମି ଆସିବ।

ହୋଲି ଭଳି ପର୍ବ ପୂର୍ବରୁ କାହିଁକି ବଢ଼ୁଛି ବିମାନ ଭଡ଼ା?

ବିମାନ ଭଡ଼ାରେ ବୃଦ୍ଧି ଋତୁକାଳୀନ ଚାହିଦା ସହିତ ଜଡିତ। ହୋଲି ଭଳି ପର୍ବରେ ଦିଲ୍ଲୀ, ମୁମ୍ବାଇ ଏବଂ ବେଙ୍ଗାଲୁରୁ ଭଳି ମହାନଗରଗୁଡ଼ିକରୁ ଉତ୍ତର ପ୍ରଦେଶ, ବିହାର ଏବଂ ପଶ୍ଚିମବଙ୍ଗର ଆଞ୍ଚଳିକ ସହରଗୁଡ଼ିକୁ ବଡ଼ ଧରଣର ଯାତ୍ରା ଆରମ୍ଭ ହୁଏ। ଏହି ମହାନଗରଗୁଡ଼ିକରେ ସର୍ବାଧିକ ଲୋକ କାମ କରୁଥିବାରୁ ସେମାନେ ହୋଲି ପାଳନ ପାଇଁ ଛୋଟ ସହରକୁ ଆସନ୍ତି। ତେଣୁ ଡାଇନାମିକ ପ୍ରାଇସିଂ(ଡିମାଣ୍ଡ ଅନୁସାରେ ଭଡ଼ା ବୃଦ୍ଧି ବ୍ୟବସ୍ଥା) ଯୋଗୁ ସିଟ୍ ପୂରଣ ହେବା ପରେ ଲୋକଙ୍କ ଯାତାୟାତର ଡିମାଣ୍ଡକୁ ଦେଖି ବିମାନ କମ୍ପାନୀଗୁଡ଼ିକ ଭଡ଼ା ବଢ଼ାଇ ଦିଅନ୍ତି। ଯାତ୍ରା ତାରିଖ ଯେତେ ନିକଟତର ହୁଏ, ଏବଂ ସିଟଗୁଡ଼ିକ ସେତେ ଶୀଘ୍ର ପୂରଣ ହୁଏ, ଆଉ ଭଡ଼ା ସେତେ ବଢ଼େ। କିଛି ରୁଟରେ ସୀମିତ ନନ୍-ଷ୍ଟପ୍ ବିକଳ୍ପ ଯୋଗୁ ଦିନକୁ କେବଳ ଗୋଟିଏ କିମ୍ବା ଦୁଇଟି ଉଡ଼ାଣ ହେଉଥିବା ରୁଟଗୁଡ଼ିକ ଉପରେ ଚାପ ପକାଏ।

ଜାତୀୟ ଗଣମଧ୍ୟମ ଇଣ୍ଡିଆଟୁଡେ ଭଢ଼ା ବୃଦ୍ଧି ନେଇ ଏକ ରିପୋର୍ଟ ପ୍ରକାଶ କରିଛି। ଯେଉଁଥିରେ ଫେବ୍ରୁଆରୀ ୨୮ ତାରିଖର ଭଡ଼ା ମାର୍ଚ୍ଚ ୨୮ ତାରିଖ ମଧ୍ୟରେ ଥିବା ଭଡ଼ାର ବ୍ୟବଧାନ ଦର୍ଶାଇ ଯାଇଛି। ରିପୋର୍ଟ ଅନୁସାରେ, ଆଗକୁ ହୋଲି ଥିବାରୁ ଫେବ୍ରୁଆରୀ ୨୮ ତାରିଖରେ ଦିଲ୍ଲୀ ରୁ ପାଟନା ରୁଟରେ ବିମାନ ବଢ଼ା ୧୧,୦୫୬କୁ ବୃଦ୍ଧି ପାଇଛି। ହେଲେ ମାର୍ଚ୍ଚ ୨୮ ତାରିଖରେ ଏହାର ବଢ଼ା ମାତ୍ର ୪,୫୦୨ ଟଙ୍କା ଦେଖାଉଛି। ଏଥିରେ ପାଖାପାଖି ୧୪୫% ବୃଦ୍ଧି ଦେଖିବାକୁ ମିଳିଛି। ସେହିପରି ନୂଆଦିଲ୍ଲୀ ଗୟା ସେକ୍ଟରରେ ଇଣ୍ଡିଗୋ ଫ୍ଲାଇଟ୍ ଭଡ଼ା ଫେବ୍ରୁଆରୀ ୨୮ ପାଇଁ ୧୧,୭୨୦ ଟଙ୍କା ଓ ହେଲେ ମାର୍ଚ୍ଚ ୨୮ରେ ଏହା ୪,୪୯୯ ଟଙ୍କା ହୋଇଛି। ଏଠିବି ଭଡ଼ା ବ୍ୟବଧାନ ୧୬୦ ପ୍ରତିଶତ ରହିଛି। ସେହିପରି ଦିଲ୍ଲୀରୁ ବିହାରକୁ ବିଭିନ୍ନ ରୁଟ୍ର ଭଢ଼ା ଅହେତକୁ ବଢ଼ି ଯାଇଛି।

​​​​​​​

ସେପରି ବେଙ୍ଗାଲୁରୁ- ପାଟନ ରାଟୁ ଟିକେଟ ଫେବ୍ରୁଆରୀରେ ୧୫,୫୮୫ ରହିଥିବା ବେଳେ ମାର୍ଚ୍ଚରେ ଏହା ୭୫୦୦ ରହିଛି। ହୋଲି ଥିବାରୁ ଏହି ରୁଟ୍ରେ ଭଡ଼ା ୧୦୦%ରୁ ଅଧିକ ବୃଦ୍ଧି ହୋଇଛି। ସେହିପରି କୋଲକାତା ରୁଟ୍ଗୁଡ଼ିକରେ ବିମାନ ୧୦୦ ପ୍ରତିଶତ ବଢ଼ିଛି। ବେଙ୍ଗାଲୁରୁ-ଗୋରଖପୁରଟ ରୁଟ୍ରେ ଟିକେଟ ବଢ଼ା ୨୦ ହଜାର ଅତିକ୍ରମ କରିଛି।

ଜନତାଙ୍କୁ ଲୁଟିବା ପାଇଁ ବିମାନ କମ୍ପାନୀଗୁଡ଼ିକର ଏହା ଏକ ରିତିମତ ଅଭ୍ୟାସ ହୋଇଯାଇଥିବା ବେଳେ ବେସାମିରକ ବିମାନ ଚଳାଚଳ ବିଭାଗ ଖାଲି ମୁକଦର୍ଶକ ସାଜୁଛି। ୨୦୨୫ରେ ମଧ୍ୟ ଏଭଳି ସ୍ଥିତି ଦେଖା ଦେଇଥିଲା। ସେତେବେଳେ ଡିଜିସିଏ କହିଥିଲା ଆମେ ବିମାନ କମ୍ପାନୀଗୁଡ଼ିକୁ ବିମାନ ଉଡ଼ାଣ ବଢାଇବାକୁ ପାଇଁ କହିଛୁ ଓ ଭଢ଼ା ବୃଦ୍ଧି ନିୟନ୍ତ୍ରଣ କରିବାକୁ କହିଛୁ। ହେଲେ ନା ସେତେବେଳେ ଭଡ଼ା ହ୍ରାସ ପାଇଥିଲା ନା ଏବେ। ତେବେ ଏହି ମାମଲାରେ ସୁପ୍ରିମକୋର୍ଟଙ୍କ ନୋଟିସ୍ ପରେ ସରକାର କଣ ଜବାବ ରଖୁଛନ୍ତି ତାହା ଦେଖିବା ବାକି ରହିଲା।