ନୂଆଦିଲ୍ଲୀ: ଏୟାର ମାର୍ଶଲ ଇନ୍ଦ୍ରପାଲ ସିଂହ ୱାଲିଆଙ୍କୁ ଭାରତୀୟ ବାୟୁସେନା (ଆଇଏଏଫ)ର ଉପମୁଖ୍ୟ ନିଯୁକ୍ତ କରାଯାଇଛି ଓ ସେ ରବିବାର ତାଙ୍କ ନୂଆ ଦାୟିତ୍ୱ ଗ୍ରହଣ କରିବେ। ବର୍ତ୍ତମାନ ସେ ଇଷ୍ଟର୍ଣ୍ଣ ଏୟାର କମାଣ୍ଡର ଏୟାର ଅଫିସର କମାଣ୍ଡିଂ-ଇନ୍-ଚିଫ ପଦବୀରେ ଅବସ୍ଥାପିତ ଅଛନ୍ତି। ଏୟାର ମାର୍ଶଲ ଆଶୁତୋଷ ଦିକ୍ଷୀତଙ୍କ ସ୍ଥାନ ନେବେ ୱାଲିୟା ଭାଇସ ଚିଫ୍ ଅଫ ଦି ଏୟାର ଷ୍ଟାଫ ଦାୟିତ୍ୱଗ୍ରହଣ କରିବେ। ଏୟାର ମାର୍ଶଲ ଦିକ୍ଷୀତ ଶନିବାର ଭାରତୀୟ ବାୟୁସେନାର ୨୯ତମ ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବେ।

ପାଖାପାଖି ୪ ଦଶନ୍ଧୀର କ୍ୟାରିୟରରେ ୱାଲିୟା କେତେକ କମାଣ୍ଡ ଓ ଷ୍ଟାଫ ପଦବୀରେ କାମ କରିଛନ୍ତି। ସେ ଏକ ଫ୍ରଣ୍ଟ ଲାଇନ୍ ଫାଇଟର ସ୍କ୍ୱାଡ୍ରନ ଓ ଟାକ୍ଟିକ୍ସ ଆଣ୍ଡ ଏୟାର କମ୍ବାଟ ଡେଭଲପମେଣ୍ଟ ଏଷ୍ଟାବ୍ଲିସମେଣ୍ଟ (ଟିଏସିଡିଇ)ର କମାଣ୍ଡ ସମ୍ଭାଳିଥିଲେ। ଏହଛଡା ସେ ବରେଲୀ ସ୍ଥିତ ଏୟାଫୋର୍ସ ଷ୍ଟେସନର ଏୟାର ଅଫିସର ଦାୟିତ୍ୱ ମଧ୍ୟ ତୁଲାଇଥିଲେ। ଇନ୍ଦ୍ରପାଲ ସିଂହ ୱାଲିୟା ଭାରତୀୟ ବାୟୁସେନାର ବିଭିନ୍ନ ପ୍ରକାରର ଯୁଦ୍ଧ ବିମାନ ଉଡାଇଛନ୍ତି। ଏଥିରେ ମିଗ୍-୨୧, ମିଗ୍-୨୩, ମିଗ୍-୨୭, ଜାଗୁଆର ଓ ସୁଖୋଇ-୩୦ ଏମକେଆଇର ବିଭିନ୍ନ ସଂସ୍କରଣ ମଧ୍ୟ ରହିଛି।

ନ୍ୟାସନାଲ ଡିଫେନ୍ସ ଆକାଡେମୀର ପୂର୍ବତନ ଛାତ୍ର ୱାଲିୟା ୧୧ଜୁନ ୧୯୮୮ରେ ଭାରତୀୟ ବାୟୁସେନାର ଫାଇଟର ଷ୍ଟ୍ରିମରେ କମିଶନ ପାଇଥିଲେ। ସେ ବ୍ରିଟେନରେ ଆଡଭାନ୍ସଡ କମାଣ୍ଡ ଆଣ୍ଡ ଷ୍ଟାଫ କୋର୍ସ ସହିତ ବାଂଲାଦେଶରେ ନ୍ୟାସନାଲ ଡିଫେନ୍ସ କୋର୍ସ (ଏନଡିସି) ପୁରା କରିଛନ୍ତି। ସେ ଭାରତୀୟ ବାୟୁସେନାର ଡାଇରେକ୍ଟୋରେଟ ଅଫ ଏୟାର ଷ୍ଟାଫ ଇନସ୍ପେକ୍ସନ (ଡିଏଏସଆଇ)ର ମଧ୍ୟ ନେତୃତ୍ୱ ନେଇଛନ୍ତି। ଏତଦ୍ ବ୍ୟତୀତ ସେ ଜାପାନ ଓ ଦକ୍ଷିଣ କୋରିଆ ଭାରତୀୟ ଦୂତାବାସରେ ଡିଫେନ୍ସ ଆଟାଚୀ ଭାବେ ମଧ୍ୟ କାମ କରିଛନ୍ତି।

ପଢିବାରେ ତାଙ୍କର ଖୁବ୍ ସୌକ, ଏଣୁ ତାଙ୍କ ପାଖରେ ଡିଫେନ୍ସ ଆଣ୍ଡ ଷ୍ଟ୍ରେଟେଜିକ୍ ଷ୍ଟଡିଜ୍ ରେ ୩ଟି ପୋଷ୍ଟ ଗ୍ରାଜୁଏଟ୍ ଡିଗ୍ରି ରହିଛି। ବିଶିଷ୍ଟ ସେବା ଲାଗି ତାଙ୍କୁ ୨୦୦୮ ମସିହାରେ ବାୟୁସେନା ମେଡାଲ ଓ ୨୦୧୮ ମସିହାରେ ଅତିବିଶିଷ୍ଟ ସେବା ମେଡାଲରେ ସମ୍ବର୍ଦ୍ଧିତ କରାଯାଇଛି।