ଭୁବନେଶ୍ୱର : ଦିଲ୍ଲୀରୁ ଆସିଛି ଏକ ହୃଦୟ ବିଦାରକ ଘଟଣା। ରବିବାର ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ହଠାତ୍ ଧସିପଡ଼ିଲା ଏକ ଉଚ୍ଚ ବିଲ୍ଡିଂ… ଭଗ୍ନାବଶେଷ ତଳେ ଚାପିହୋଇଗଲେ ଅନେକ ଲୋକ। ଆଉ ଏହାରି ଭିତରେ ଧ୍ୱଂସସ୍ତୂପ ତଳୁ ଆସିଛି ଏକ ଭୟଙ୍କର ଭିଡିଓ । ବିଲଡିଂ ଭଗ୍ନାବଶେଷ ତଳୁ ଜଣେ ଛାତ୍ରଙ୍କ SOS ଭିଡିଓ ଭାଇରଲ ହେଉଛି । ମାଟିତଳୁ ଜୀବନ ବଞ୍ଚାଇବା ପାଇଁ ଛାତ୍ର ଜଣକ ନିଜ ମୋବାଇଲ୍ କ୍ୟାମେରାରେ SOS ଭିଡିଓ କରି ସାହାଯ୍ୟ ନିବେଦନ କରିଥିଲେ ।

ମିଳିଥିବା ସୂଚନା ଅନୁଯାୟୀ, ଦିଲ୍ଲୀରେ ଘଟିଥିବା ଭୟଙ୍କର ବିଲ୍ଡିଂ ଧସିବା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଧ୍ୱଂସସ୍ତୂପ ତଳେ ଫସିଥିବା ଅନେକ ଲୋକଙ୍କୁ ଏବେ ଉଦ୍ଧାର କରାଯାଉଛି । ସେଥି ମଧ୍ୟରୁ ଜଣେ ଛାତ୍ର ନିଜ ମୋବାଇଲ୍ରେ ଏକ SOS ଭିଡିଓ ରେକର୍ଡ କରି ସାହାଯ୍ୟ ପାଇଁ ଆବେଦନ କରିଥିଲେ। ଯାହାକୁ ନେଇ ଚର୍ଚ୍ଚା ବଢିଛି । ରିପୋର୍ଟ ଅନୁସାରେ, ଦକ୍ଷିଣ ଦିଲ୍ଲୀର ସତ୍ୟ ନିକେତନରେ ଛାତ୍ରମାନଙ୍କ ରହୁଥିବା ଏକ ବହୁମହଲା PG ବା ହଷ୍ଟେଲ୍ ଘର ହଠାତ୍ ଧସିପଡ଼ିଥିଲା । ଏହି ଘଟଣା ପରେ ଅନେକ ଲୋକ ଧ୍ୱଂସସ୍ତୂପ ତଳେ ଫସିଥିବା ଆଶଙ୍କା କରାଯାଇଥିଲା। ଚାରିଆଡ଼େ କେବଳ ଭଙ୍ଗା କଂକ୍ରିଟ୍, ଧୂଳି ଏବଂ ଅନ୍ଧକାର ଥିଲା । ଏଭଳି ଭୟଙ୍କର ପରିସ୍ଥିତିରେ ମଧ୍ୟ ଛାତ୍ର ଜଣଙ୍କ ଆଶା ଛାଡ଼ି ନଥିଲେ। ନିଜ ପାଖରେ ଥିବା ମୋବାଇଲ୍ ଏବଂ ଉପସ୍ଥିତ ବୁଦ୍ଧିର ବ୍ୟବହାର କରି ସେ ନିଜର ଅବସ୍ଥା ରେକର୍ଡ କରିଥିଲେ ଏବଂ ସାହାଯ୍ୟ ପାଇଁ SOS ମେସେଜ ପଠାଇଥିଲେ।

ଭିଡିଓରେ ଦେଖାଯାଉଥିବା ଛାତ୍ରଙ୍କୁ ଆଦିତ୍ୟ ଭାବେ ଚିହ୍ନଟ କରାଯାଇଛି । ଧୂଳି ଓ ଭଙ୍ଗା କଂକ୍ରିଟ୍ ମଧ୍ୟରେ ଫସିଥିବା ଅବସ୍ଥାରେ ସେ ନିଜ ମୋବାଇଲ୍ କ୍ୟାମେରାରେ ଚାରିପାଖର ଭୟଙ୍କର ପରିସ୍ଥିତି ରେକର୍ଡ କରିଥିଲେ। ତାଙ୍କ ମୁହଁରେ ଧୂଳି ଏବଂ ଆଘାତର ଚିହ୍ନ ଦେଖିବାକୁ ମିଳିଥିଲା। ସେ ଏହି ଭିଡିଓଟି ଜଣେ ବନ୍ଧୁଙ୍କୁ ପଠାଇ ସାହାଯ୍ୟ ଚାହିଁଥିଲେ। ଆଉ ଏହି ଛୋଟ ୧୦ ସେକେଣ୍ଡର SOS ଭିଡିଓ ସୋସିଆଲ ମିଡିଆ ଏବଂ ଛାତ୍ରମାନଙ୍କ ମଧ୍ୟରେ ପହଞ୍ଚିବା ପରେ ଉଦ୍ଧାର କାର୍ଯ୍ୟକୁ ନୂଆ ଦିଗ ମିଳିଥିଲା। ତାଙ୍କୁ ଖୋଜିବା ପାଇଁ ଲୋକମାନେ ଓ ଉଦ୍ଧାରକାରୀ ଦଳ ଜୀବନମୃତ୍ୟୁର ଲଢ଼େଇ ଆରମ୍ଭ କରିଥିଲେ।

ସବୁଠାରୁ ବଡ଼ କଥା ହେଲା ପରବର୍ତ୍ତୀ ସମୟରେ ଉଦ୍ଧାରକାରୀ ଦଳ ଆଦିତ୍ୟଙ୍କୁ ଭଗ୍ନାବଶେଷ ତଳୁ ଜୀବନ୍ତ ଉଦ୍ଧାର କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ତୁରନ୍ତ ହସ୍ପିଟାଲକୁ ନିଆଯାଇଛି ଏବଂ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଭଲ ସ୍ଥିତିରେ ଥିବା ନେଇ ଅଗ୍ନିଶମ ବିଭାଗ ପକ୍ଷରୁ ସୂଚନା ମିଳିଛି। ଘଟଣାସ୍ଥଳରେ NDRF, ଦିଲ୍ଲୀ ପୋଲିସ, ଅଗ୍ନିଶମ ବିଭାଗ ଏବଂ ଅନ୍ୟ ଉଦ୍ଧାରକାରୀ ଟିମ୍ ଯୁଦ୍ଧକାଳୀନ ଭିତ୍ତିରେ କାମ କରିଥିଲେ। ଭଗ୍ନାବଶେଷ ତଳେ ଫସି ମଧ୍ୟ ଆଶା ଛାଡ଼ିନଥିଲେ ଆଦିତ୍ୟ। ତାଙ୍କ ମୋବାଇଲରେ ରେକର୍ଡ ହୋଇଥିବା ସେହି କିଛି ସେକେଣ୍ଡର SOS ଭିଡିଓ ଶେଷରେ ତାଙ୍କ ଜୀବନ ବଞ୍ଚାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ସଙ୍କେତ ହୋଇଥିଲା ।