ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶଙ୍କ କାର୍ଯ୍ୟାଳୟ ରାଜ୍ୟ ସଚିବାଳୟ (ମନ୍ତ୍ରାଳୟ)ରୁ ମୁମ୍ବାଇର ପ୍ରସିଦ୍ଧ ଏୟାର ଇଣ୍ଡିଆ ବିଲ୍ଡିଂକୁ ସିଫ୍ଟ ହେଉଛି। ଏହି ବିଲ୍ଡିଂଟି ନରିମନପଏଣ୍ଟ ନିକଟରେ ରହିଛି। ଏୟାର ଇଣ୍ଡିଆର ଘରୋଇକରଣ ଓ ଟାଟା ଗ୍ରୁପ ଏହାକୁ କିଣି ନେବା ପରେ ସମ୍ପତ୍ତିକୁ ଏୟାର ଇଣ୍ଡିଆ ଏସେଟସ୍ ହୋଲ୍ଡିଂ ଲିମିଟେଡ (ଏଆଇଏଏଚଏଲ)କୁ ଦେଇ ଦିଆଯାଇଛି। ମହାରାଷ୍ଟ୍ର ସରକାରଙ୍କୁ ଦକ୍ଷିଣ ମୁମ୍ବାଇର ପ୍ରମୁଖ ଅଞ୍ଚଳରେ ଅଫିସକୁ ସ୍ଥାନାଭାବର ସମ୍ମୁଖୀନ ହେବାକୁ ପଡୁଥିଲା।

ଫଡନବୀଶଙ୍କ କାର୍ଯ୍ୟାଳୟ ବ୍ୟତୀତ ଏବେ ମନ୍ତ୍ରାଳୟ ବାହାରେ ଚାଲୁଥିବା ସବୁ ସରକାରୀ ବିଭାଗଙ୍କୁ ମଧ୍ୟ ଏହି ବିଲ୍ଡିଂକୁ ସିଫ୍ଟ କରାଯିବ। ଏହି ପଦକ୍ଷେପ ଯୋଗୁ ରାଜ୍ୟ ରାଜକୋଷରୁ ଭଡ଼ା ବାବଦେ ବ୍ୟୟ ହେଉଥିବା ୨୦୦ କୋଟି ଟଙ୍କା ସଞ୍ଚୟ ହେବ ବୋଲି କୁହାଯାଉଛି। ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରାଳୟ ୧୯୫୫ ମସିହାରେ ନିର୍ମିତ ହୋଇଥିଲା। ଏବେ ସେଠାରେ ସ୍ଥାନାଭାବ ଯୋଗୁ ରାଜ୍ୟ ସରକାରଙ୍କୁ ଆଖପାଖ ଅଞ୍ଚଳରେ ପାଖାପାଖି ୯ଲକ୍ଷ ବର୍ଗଫୁଟ ଜମି ଭଡାରେ ନେଇଛନ୍ତି। ଏଣୁ ଏୟାର ଇଣ୍ଡିଆ ବିଲ୍ଡିଂକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଛି।

ଏହି ସମ୍ପୂର୍ଣ୍ଣ ଯୋଜନା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଉପସ୍ଥିତିରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ। ଏଥିରେ ବିଲ୍ଡିଂର ସଭା ଉପର ମହଲାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଲାଗି ଉପଯୋଗ କରାଯିବ କ୍ୟାବିନେଟ୍ ହଲ ୨୨ ତମ ମହଲାରେ ରହିବ। ଏହି ମହଲାରେ ୧୩,୩୬୩ ବର୍ଗଫୁଟର ଖୋଲା ସ୍ଥାନ ରହିଛି। ମହାରାଷ୍ଟ୍ର ପିଡବ୍ଲୁଡି ମନ୍ତ୍ରୀ ଶିବେନ୍ଦ୍ର ସିଂହ ଭୋସଲେ କହିଛନ୍ତି ଯେ ଏୟାର ଇଣ୍ଡିଆ ବିଲ୍ଡିଂକୁ ମହାରାଷ୍ଟ୍ର ସରକାରଙ୍କୁ ହସ୍ତାନ୍ତରଣ ରାଜ୍ୟର ପ୍ରଶାସନିକ ଢାଞ୍ଚାକୁ ମଜଭୁତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି।

ଗତମାସରେ ଏହାର ମାଲିକାନା ହକ୍ ହସ୍ତାନ୍ତରଣ କାଳରେ ଭୋସଲେ କହିଥିଲେ ଯେ ଏହି ବିଲ୍ଡିଂକୁ ଏକ ମଡେଲ ସରକାରୀ କମ୍ପ୍ଲେକ୍ସ ଭାବେ ବିକଶିତ କରାଯିବ, ଯେଉଁଥିରେ କ୍ୱାଲିଟି, ସ୍ଥିରତା ଓ ନାଗରିକଙ୍କୁ ପ୍ରାଥମିକତା ମିଳିବ।