ଚେନ୍ନାଇ: ତାମିଲନାଡୁର ପ୍ରମୁଖ ବିରୋଧୀ ଦଳ ଏଆଇଏଡିଏମକେକୁ ଆଉ ଏକ ବଡ଼ ଝଟକା ଲାଗିଛି । ତାମିଲନାଡୁ ବିଧାନସଭା ବାଚସ୍ପତି ଜେ.ସି.ଡି. ପ୍ରଭାକର ମଙ୍ଗଳବାର ଅମ୍ବାସମୁଦ୍ରମ ଆସନରୁ ଏଆଇଏଡିଏମକେ ବିଧାୟକ ଇସାକ୍କି ସୁବୈୟାଙ୍କ ଇସ୍ତଫା ଗ୍ରହଣ କରିଛନ୍ତି । ଏହି ଚତୁର୍ଥ ଇସ୍ତଫା ପରେ ୨୩୪ ଆସନ ବିଶିଷ୍ଟ ତାମିଲନାଡୁ ବିଧାନସଭାରେ ଦଳର ସଦସ୍ୟ ସଂଖ୍ୟା ହ୍ରାସ ପାଇ ୪୩ରେ ପହଞ୍ଚିଛି ।

ପ୍ରଥମେ ସୁବୈୟା ଏକ ଟାଇପ୍ କରାଯାଇଥିବା ଇସ୍ତଫା ପତ୍ର ପଠାଇଥିଲେ, ଯାହାକୁ ବାଚସ୍ପତି ପ୍ରତ୍ୟାଖ୍ୟାନ କରିଦେଇଥିଲେ । ନିୟମ ଅନୁଯାୟୀ, ତାଙ୍କୁ ନିଜ ହାତଲେଖା କପି ଦେବାକୁ କୁହାଯାଇଥିଲା । ଏହାପରେ ମଙ୍ଗଳବାର ସକାଳେ ସୁବୈୟା ବାଚସ୍ପତିଙ୍କ କାର୍ଯ୍ୟାଳୟରେ ହାଜର ହୋଇ ନିଜ ହାତରେ ଲେଖାଯାଇଥିବା ଏକ ଇସ୍ତଫା ପତ୍ର ଦାଖଲ କରିଥିଲେ, ଯାହାକୁ ବାଚସ୍ପତି ତୁରନ୍ତ ଗ୍ରହଣ କରିଥିଲେ ।

ଏହା ପୂର୍ବରୁ ସୋମବାର ଏଆଇଏଡିଏମକେର ତିନିଜଣ ବିଧାୟକ, ମରଗଥମ କୁମାରଭେଲ, ପି.ସତ୍ୟଭାମା ଏବଂ ଏସ୍. ଜୟକୁମାର ବିଧାନସଭାରୁ ଇସ୍ତଫା ଦେଇଥିଲେ । ଏହି ତିନିଜଣ ଇସ୍ତଫା ଦେବା ପରେ ମୁଖ୍ୟମନ୍ତ୍ରୀ ସି.ଜୋସେଫ ବିଜୟଙ୍କ ନେତୃତ୍ୱାଧୀନ ଶାସକ ଦଳ ଟିଭିକେରେ ସାମିଲ ହୋଇଥିଲେ । ଇସାକ୍କି ସୁବୈୟା ମଧ୍ୟ ଖୁବଶୀଘ୍ର ଟିଭିକେରେ ଯୋଗ ଦେବେ ବୋଲି ଆଶା କରାଯାଉଛି ।

ସୂତ୍ର ଅନୁସାରେ, ଏଆଇଏଡିଏମକେର ବର୍ତ୍ତମାନର ବିଧାୟକମାନଙ୍କ ମଧ୍ୟରେ ତୀବ୍ର ମତଭେଦ ଦେଖାଦେଇଛି । ବାକି ଥିବା ବିଧାୟକଙ୍କ ମଧ୍ୟରୁ ୨୭ ଜଣ ବିଧାୟକ ଦଳର ସାଧାରଣ ସମ୍ପାଦକ କେ. ପାଲାନିସ୍ୱାମୀଙ୍କ ସମର୍ଥନରେ ଅଛନ୍ତି । ଅନ୍ୟ ୧୬ ଜଣ ବିଧାୟକ ବିଦ୍ରୋହୀ ଗୋଷ୍ଠୀର ଦୁଇ ବରିଷ୍ଠ ନେତା ଏସ୍.ପି.ଭେଲୁମଣି ଏବଂ ସି.ଭି.ସନମୁର୍ଗନଙ୍କ ଶିବିରରେ ଅଛନ୍ତି । ଇସାକ୍କି ସୁବୈୟା ଏହି ବିଦ୍ରୋହୀ ଗୋଷ୍ଠୀର ସଦସ୍ୟ ଥିଲେ ଏବଂ ମେ ୧୩ରେ ବିଧାନସଭାରେ ହୋଇଥିବା ଆସ୍ଥା ଭୋଟ୍ ସମୟରେ ସେ ଶାସକ ଦଳ ଟିଭିକେ ସରକାର ସପକ୍ଷରେ ଭୋଟ୍ ଦେଇଥିଲେ । ବିଦ୍ରୋହୀ ଶିବିରରେ ଥିବା ବାକି ୧୬ ଜଣ ବିଧାୟକ ମଧ୍ୟ ଆଗାମୀ ଦିନରେ ବିଧାନସଭାରୁ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ଯଦି ଏହି ୧୬ ଜଣ ବିଧାୟକ ଇସ୍ତଫା ଦିଅନ୍ତି, ତେବେ ଏଆଇଏଡିଏମକେର ସଦସ୍ୟ ସଂଖ୍ୟା ଆହୁରି ହ୍ରାସ ପାଇ ୨୭ରେ ପହଞ୍ଚିବ ।

ବିଧାନସଭାରେ ବିରୋଧୀ ଦଳର ମାନ୍ୟତା ବଜାୟ ରଖିବା ପାଇଁ ଏଆଇଏଡିଏମକେକୁ ଅତି କମରେ ୨୪ ଜଣ ବିଧାୟକଙ୍କ ଆବଶ୍ୟକତା ରହିଛି । ଯଦି ପାଲାନିସ୍ୱାମୀଙ୍କ ଗୋଷ୍ଠୀରୁ ଆଉ କିଛି ବିଧାୟକ ଦଳ ଛାଡନ୍ତି, ତେବେ ଏଆଇଏଡିଏମକେ ହାତରୁ ମୁଖ୍ୟ ବିରୋଧୀ ଦଳର ମାନ୍ୟତା ଚାଲିଯିବାର ଆଶଙ୍କା ମଧ୍ୟ ସୃଷ୍ଟି ହୋଇଛି ।