ନୂଆଦିଲ୍ଲୀ: ଗୁରୁବାର ଭାରତ ଓ ଜାପାନ ମଧ୍ୟରେ ଏକାଧିକ ଚୁକ୍ତି ନାମା ଘୋଷଣା ହୋଇଛି। ଏଆଇ ଠାରୁ ଆରମ୍ଭ କରି, ଅର୍ଥନୈତିକ ସୁରକ୍ଷା, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ପ୍ରତିରକ୍ଷା, ସ୍ୱାସ୍ଥ୍ୟସେବା ଏବଂ ଶକ୍ତି କ୍ଷେତ୍ରରେ ଏକାଧିକ ଚୁକ୍ତିନାମା ଉନ୍ମୋଚନ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଜାପାନର ପ୍ରଧାନମନ୍ତ୍ରୀ ସାନାଏ ତାକାଇଚି ନୂଆଦିଲ୍ଲୀରେ ଆୟୋଜିତ ୧୬ତମ ଭାରତ-ଜାପାନ ବାର୍ଷିକ ଶିଖର ସମ୍ମିଳନୀ ପରେ ଏହି ଚୁକ୍ତିଗୁଡ଼ିକର ଘୋଷଣା କରିଛନ୍ତି। ବିଶ୍ୱରେ ବର୍ତ୍ତମାନ ବଢ଼ୁଥିବା ଅନିଶ୍ଚିତତା ମଧ୍ୟରେ ଜାପାନ ଓ ଭାରତ କିନ୍ତୁ ପ୍ରଯୁକ୍ତିବିଦ୍ୟା, ଯୋଗାଣ ଶୃଙ୍ଖଳାର ସ୍ଥିରତା, ଅର୍ଥନୈତିକ ସୁରକ୍ଷା ଏବଂ ଆଞ୍ଚଳିକ ସ୍ଥିରତା ପ୍ରସଙ୍ଗରେ କିଭଳ ଏକ ହୋଇପାରୁଛନ୍ତି, ଏହି ଚୁକ୍ତିରୁ ତାହା ସ୍ପଷ୍ଟ ଜଣାପଡ଼ୁଛି।

ଜାପାନର ପ୍ରଧାନମନ୍ତ୍ରୀ ଭାବେ ତାକାଇଚିଙ୍କର ଏହା ପ୍ରଥମ ଭାରତ ଗସ୍ତ। ଆଜିର ସମ୍ମିଳନୀରେ ତାକାଇଚିଙ୍କର ଭାରତ ଗସ୍ତକୁ ସ୍ୱାଗତ କରି ପ୍ରଧାନମନ୍ତ୍ରୀ ମୋଦି ଦୁଇ ଦେଶ ମଧ୍ୟରେ ଥିବା ସଭ୍ୟତାଗତ ସମ୍ପର୍କକୁ ଉଲ୍ଲେଖ କରିଥିଲେ। ଏନେଇ ମୋଦୀ କହିଛନ୍ତି "ଭାରତ-ଜାପାନ ବାର୍ଷିକ ଶିଖର ସମ୍ମିଳନୀ ପାଇଁ ଜାପାନର ପ୍ରଧାନମନ୍ତ୍ରୀ ସାନାଏ ତାକାଇଚିଙ୍କୁ ଭାରତରେ ସ୍ୱାଗତ କରି ମୁଁ ଅତ୍ୟନ୍ତ ଆନନ୍ଦିତ। ସେ ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଏବଂ ଜଣେ ଦୂରଦର୍ଶୀ ଓ ଲୋକପ୍ରିୟ ନେତ୍ରୀ। ଏହାଛଡ଼ା ସେ ଜାପାନର ନାରା ପ୍ରିଫେକ୍ଚରର ବାସିନ୍ଦା, ଯାହା ଭାରତ ଓ ଜାପାନର ସାଧାରଣ ବୌଦ୍ଧ ଐତିହ୍ୟର ଏକ ପ୍ରମୁଖ କେନ୍ଦ୍ର।"

ଭାରତ ଓ ଜାପାନ ମଧ୍ୟରେ ହୋଇଥିବା ଏହି ଶିଖର ସମ୍ମିଳନୀରେ ପ୍ରମୁଖ କେନ୍ଦ୍ରବିନ୍ଦୁ ଥିଲା ଏଆଇ ଟେକ୍ନୋଲୋଜୀ। ଉଭୟ ଦେଶ ଏଆଇ ସମ୍ପର୍କିତ ଏକ ମିଳିତ ବିବୃତ୍ତି ଜାରି କରିବା ସହ ଏହି କ୍ଷେତ୍ରରେ ସହଯୋଗ ବଢ଼ାଇବାକୁ ଏକାଧିକ ଚୁକ୍ତି ସ୍ୱାକ୍ଷର କରିଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି “ପ୍ରଯୁକ୍ତିବିଦ୍ୟା ଭିତ୍ତିକ ସହଭାଗିତା ଆମର ସହଯୋଗର ସବୁଠାରୁ ଶକ୍ତିଶାଳୀ ସ୍ତମ୍ଭ ହେବ। ବୋଲି ପ୍ରଧାନମନ୍ତ୍ରୀ ତାକାଇଚି ଓ ମୁଁ ବିଶ୍ୱାସ ରହିଛି।"

ସେ ଆହୁରି କହିଛନ୍ତି "ଭାରତର AI ପରିବେଶ ବ୍ୟବସ୍ଥାର ଅନେକ ପ୍ରମୁଖ ସଂସ୍ଥା ଆଜି ସେମାନଙ୍କର ଜାପାନୀ ଭାଗୀଦାରଙ୍କ ସହ ଚୁକ୍ତି ସ୍ୱାକ୍ଷର କରିଛନ୍ତି। ଜାପାନର ସଠିକ୍ ପ୍ରଯୁକ୍ତିବିଦ୍ୟା ଏବଂ ଭାରତର ସଫ୍ଟୱେର କ୍ଷମତାର ମିଶ୍ରଣ ବିଶ୍ୱ AI ବିକାଶକୁ ନୂଆ ଗତି ଓ ଶକ୍ତି ଦେବ।"

ଦ୍ୱାପାକ୍ଷିକ ଆଲୋଚନାରେ ଦୁଇ ଦେଶର ନେତା ସେମିକଣ୍ଡକ୍ଟର, କ୍ୱାଣ୍ଟମ୍ ଟେକ୍ନୋଲୋଜୀ, ଗୁରୁତ୍ୱପୂର୍ଣ୍ଣ ଖଣିଜ, ଉନ୍ନତ ଉତ୍ପାଦନ ବ୍ୟବସ୍ଥା ଏବଂ ପରବର୍ତ୍ତୀ ପିଢ଼ିର ଗତିଶୀଳତା (ନେକ୍ସଟ୍ ଜେନେରେସନ୍ ମୋବିଲିଟି) କ୍ଷେତ୍ରରେ ସହଯୋଗକୁ ଗୁରୁତ୍ୱ ଦେଇଥିଲେ। ଏହି କ୍ଷେତ୍ରଗୁଡ଼ିକୁ ବର୍ତ୍ତମାନ ଅର୍ଥନୈତିକ ସୁରକ୍ଷା ଏବଂ ସ୍ଥିର ଯୋଗାଣ ଶୃଙ୍ଖଳା ପାଇଁ ଅତ୍ୟନ୍ତ ଜରୁରୀ ବୋଲି ବିବେଚନା କରାଯାଉଛି। ଏହି ଚୁକ୍ତିଗୁଡ଼ିକର ସଫଳତା ପରେ ଏହି ସମ୍ମିଳନୀ ପ୍ରତିରକ୍ଷା ସହଯୋଗ କ୍ଷେତ୍ରରେ ମଧ୍ୟ ଏକ ବଡ଼ ପଦକ୍ଷେପ ଭାବେ ପ୍ରମାଣିତ ହୋଇଛି।

ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କରିଥିଲେ ଯେ, ଭାରତ ଓ ଜାପାନ ନୌସେନା ରେଡିଓ ଆଣ୍ଟେନା 'ୟୁନିକର୍ଣ୍ଣ' (Unicorn) ସମ୍ପର୍କିତ ପ୍ରଥମ ପ୍ରତିରକ୍ଷା ସହ-ବିକାଶ (Co-development) ପ୍ରକଳ୍ପ ପାଇଁ ଚୁକ୍ତି ସ୍ୱାକ୍ଷର କରିଛନ୍ତି।

ଏନେଇ ମୋଦି କହିଛନ୍ତି "ଏହି ପ୍ରକଳ୍ପ ଆମ ପ୍ରତିରକ୍ଷା ଟେକ୍ନୋଲୋଜୀ ସହଭାଗିତାରେ ଏକ ନୂଆ ଅଧ୍ୟାୟର ଆରମ୍ଭ କରିବ। ଏବେ ଆମେ ମିଳିତ ଭାବେ ଏପରି ପ୍ରତିରକ୍ଷା ଟେକ୍ନୋଲୋଜୀ ବିକଶିତ କରିବୁ, ଯାହା ଆଞ୍ଚଳିକ ଶାନ୍ତି, ସାମୁଦ୍ରିକ ସୁରକ୍ଷା ଏବଂ ନିୟମ-ଆଧାରିତ ବିଶ୍ୱ ବ୍ୟବସ୍ଥାକୁ ସୁଦୃଢ଼ କରିବ।" ଦୁଇ ଦେଶ ଔଷଧ ଉତ୍ପାଦନ, ଚିକିତ୍ସା ଉପକରଣ ଏବଂ ଜୈବ ପ୍ରଯୁକ୍ତି (ବାୟୋଟେକ୍ନୋଲୋଜି) କ୍ଷେତ୍ରରେ ମଧ୍ୟ ସହଯୋଗ ବିସ୍ତାର କରିଛନ୍ତି। ଏହି ସହଯୋଗ ବିଶ୍ୱ ସ୍ୱାସ୍ଥ୍ୟ ସୁରକ୍ଷାକୁ ମଜବୁତ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଭାରତର ବୃହତ୍ କ୍ଷମତା ଏବଂ ଜାପାନର ଉଚ୍ଚ ମାନର ଉତ୍ପାଦନକୁ ଏକାଠି କରି ଆମେ ବିଶ୍ୱକୁ ସୁଲଭ, ନିର୍ଭରଯୋଗ୍ୟ ଏବଂ ଉନ୍ନତ ସ୍ୱାସ୍ଥ୍ୟ ସମାଧାନ ପ୍ରଦାନ କରିବା ଦିଗରେ କାମ କରିବୁ। ବୋଲି ମୋଦୀ କହିଛନ୍ତି।

ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ଦ୍ୱିପାକ୍ଷିକ ଆଲୋଚନା ସମୟରେ ଅର୍ଥନୈତିକ ସହଯୋଗକୁ ମଧ୍ୟ ବିଶେଷ ପ୍ରାଧାନ୍ୟ ଦିଆଯାଇଥିଲା। ଆଗାମୀ ଦଶ ବର୍ଷ ମଧ୍ୟରେ ଜାପାନରୁ ଭାରତକୁ ୧୦ ଟ୍ରିଲିୟନ୍ ୟେନ୍ ବିନିଯୋଗ ଆଣିବା ଏବଂ ଭାରତରେ କାର୍ଯ୍ୟରତ ଜାପାନୀ କମ୍ପାନୀ ସଂଖ୍ୟାକୁ ଦ୍ୱିଗୁଣିତ କରିବା ଉଭୟ ଦେଶର ସାଧାରଣ ଲକ୍ଷ୍ୟ ବୋଲି ମୋଦୀ ପୁଣିଥରେ ଦୋହରାଇଥିଲେ।

ଦୁଇ ଦେଶର ସମ୍ପର୍କକୁ ନେଇ ମୋଦୀ କହିଛନ୍ତି ଯେ ଭାରତ-ଜାପାନ ବିନିଯୋଗ ସହଭାଗିତା କ୍ରମାଗତ ଭାବେ ସୁଦୃଢ଼ ହେଉଛି। ଗତ ଏକ ବର୍ଷ ମଧ୍ୟରେ ପ୍ରାୟ ୧୨୦ଟି ନୂଆ ବ୍ୟବସାୟିକ ଚୁକ୍ତି ସ୍ୱାକ୍ଷର ହୋଇଛି, ଯାହା ମାଧ୍ୟମରେ ଭାରତକୁ ୧୦ ବିଲିୟନ୍ ଡଲାରରୁ ଅଧିକ ଜାପାନୀ ବିନିଯୋଗ ଆସିବ ବୋଲି ମୋଦୀ କହିଥିଲେ।

ଉଭୟ ଦେଶ ଅର୍ଥନୈତିକ ସୁରକ୍ଷା ସହଯୋଗ ପାଇଁ ଏକ ରୋଡମ୍ୟାପ୍ ଗ୍ରହଣ କରିଛନ୍ତି। ଏହାସହ ଭାରତ-ଜାପାନ ବାୟୋଗ୍ୟାସ୍ ପଦକ୍ଷେପ (India-Japan Bio-gas Initiative) ଅଧୀନରେ ଭାରତର ବିଭିନ୍ନ ସ୍ଥାନରେ ୧,୦୦୦ଟି ବାୟୋଗ୍ୟାସ୍ ଏବଂ ଜୈବ ସାର କାରଖାନା ସ୍ଥାପନ କରାଯିବ ବୋଲି ଘୋଷଣା କରାଯାଇଛି। ଏହି ପଦକ୍ଷେପ ସ୍ଥାୟୀ ବିକାଶ, ଉର୍ଜା ସୁରକ୍ଷା ଏବଂ ଗ୍ରାମୀଣ ଜୀବିକାକୁ ସୁଦୃଢ଼ କରିବା ସହ ଭାରତର ସ୍ୱଚ୍ଛ ଉର୍ଜା ପରିବର୍ତ୍ତନକୁ ଆଗକୁ ବଢ଼ାଇବ ବୋଲି ମୋଦୀ କହିଛନ୍ତି।

ଚୁକ୍ତିଗୁଡ଼ିକ ବ୍ୟତୀତ ଏହି ଶିଖର ସମ୍ମିଳନୀ ଇଣ୍ଡୋ-ପାସିଫିକ୍ ଅଞ୍ଚଳ ପ୍ରତି ଉଭୟ ଦେଶର ରଣନୀତିକ ଗୁରୁତ୍ୱକୁ ମଧ୍ୟ ସ୍ପଷ୍ଟ କରିଛି। ଏନେଇ ମୋଦୀ କହିଛନ୍ତି "ଆଜି ଭାରତ ଏବଂ ଜାପାନ ବିଶ୍ୱର ଦୁଇଟି ବୃହତ୍ତମ ଅର୍ଥନୀତି ମଧ୍ୟରେ ରହିଛନ୍ତି। ଏକ ସ୍ୱାଧୀନ, ସମୃଦ୍ଧ ଏବଂ ନିୟମ-ଆଧାରିତ ଇଣ୍ଡୋ-ପାସିଫିକ୍ ଆମର ସାଧାରଣ ପ୍ରାଥମିକତା ରହିବ। ଏହି ଅଞ୍ଚଳର ସର୍ବବୃହତ୍ ଗଣତାନ୍ତ୍ରିକ ଏବଂ ବଜାରମୁଖୀ ଅର୍ଥନୀତି ଭାବେ ଆମେ ଆଜି ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛୁ। ଏହି ପଦକ୍ଷେପଗୁଡ଼ିକ ସମଗ୍ର ଅଞ୍ଚଳରେ ଶାନ୍ତି, ସ୍ଥିରତା ଏବଂ ପ୍ରଗତିର ପଥ ପ୍ରଶସ୍ତ କରିବ।"

ଦିନିଆ ଗସ୍ତରେ ଜାପାନ ପ୍ରଧାନମନ୍ତ୍ରୀ

ଜାପାନର ପ୍ରଧାନମନ୍ତ୍ରୀ ସାନାଏ ତାକାଇଚି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମେ ଦ୍ୱିପାକ୍ଷିକ ବୈଠକ କରିଥିଲେ। ଏହାପରେ ଉଭୟ ନେତା ପ୍ରତିନିଧି ସ୍ତରୀୟ ଆଲୋଚନାର ନେତୃତ୍ୱ ନେଇଥିଲେ। ଭାରତୀୟ ପ୍ରତିନିଧି ଦଳରେ ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କର, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ବିଦେଶ ସଚିବ ବିକ୍ରମ ମିଶ୍ରୀଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ସାମିଲ ଥିଲେ। ଏହାପୂର୍ବରୁ ସକାଳ ସମୟରେ ରାଷ୍ଟ୍ରପତି ଭବନର ଫୋରକୋର୍ଟରେ ଜାପାନର ପ୍ରଧାନମନ୍ତ୍ରୀ ସାନାଏ ତାକାଇଚିଙ୍କୁ ଔପଚାରିକ ସମ୍ମାନ (Ceremonial Reception) ପ୍ରଦାନ କରାଯାଇଥିଲା।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ନିଜ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କ ସହିତ ଅନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସହ ପରିଚିତ କରାଇଥିଲେ। ଏହି ଔପଚାରିକ ସ୍ୱାଗତ ବିଷୟରେ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୈସ୍ୱାଲ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଥିଲେ।

ସୂଚନା ଥାଉକି, ଜାପାନର ପ୍ରଧାନମନ୍ତ୍ରୀ ସାନାଏ ତାକାଇଚି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣ କ୍ରମେ ଜୁଲାଇ ୧ରୁ ୩ ତାରିଖ ପର୍ଯ୍ୟନ୍ତ ତିନି ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ଏହି ତିନି ଦିନିଆ ଗସ୍ତ ସମୟରେ ସେ ୧୬ତମ ଭାରତ-ଜାପାନ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ଥିଲା। ଏହି ଭାରତ ଗସ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଗଷ୍ଟ ୨୦୨୫ର ଟୋକିଓ ଗସ୍ତ ପରେ ହେଉଛି। ସେତେବେଳେ ପ୍ରଧାନମନ୍ତ୍ରୀ ମୋଦି ୧୫ତମ ଭାରତ-ଜାପାନ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗଦେଇଥିଲେ।