ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଆଗ୍ରାରେ ତାଜମହଲ ନିକଟରେ ଥିବା ଏକ ରିସର୍ଟକୁ ବୋମା ବିସ୍ଫୋରଣର ଧମକ ମିଳିବା ପରେ ହଇଚଇ ସୃଷ୍ଟି ହୋଇଛି। ତାଜଗଞ୍ଜ ଅଞ୍ଚଳର ଜଲମା ସଂସ୍ଥାନ ନିକଟରେ ଥିବା ତାଜ ରିସର୍ଟକୁ ଏକ ଧମକପୂର୍ଣ୍ଣ ଇ-ମେଲ୍ ଆସିଥିଲା। ରିସର୍ଟ ଭିତରେ ବୋମା ରଖାଯାଇଛି। ଏବଂ ପ୍ରାୟ ୮ ଦିନ ମଧ୍ୟରେ ଯେକୌଣସି ସମୟରେ ଏହା ବିସ୍ଫୋରଣ କରିପାରେ ବୋଲି ଇ-ମେଲ୍‌ରେ ଧମକ ଦିଆଯାଇଥିଲା।

ଧମକପୂର୍ଣ୍ଣ ଇ-ମେଲ୍ ମିଳିବା ପରେ ରିସର୍ଟ ମାଲିକ ମହେଶ କର୍ଦମ ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ। ଘଟଣାର ଗମ୍ଭୀରତାକୁ ଦେଖି ତାଜ ସୁରକ୍ଷାରେ ଥିବା ଏସ୍ପିଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍ ବୋମା ଡିସପୋଜାଲ୍ ସ୍କ୍ୱାଡ୍ ରିସର୍ଟ ଭିତରେ ପଶି ବୋମା ଖୋଜାଖୋଜି କରିଥିଲେ।

ବୋମା ନିଷ୍କ୍ରିୟକାରୀ ଦଳ ରିସର୍ଟର ପ୍ରତ୍ୟେକ ଅଂଶକୁ ଯାଞ୍ଚ କରିଥିଲା। ରିସର୍ଟ ଭିତର ସମେତ ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ତଲାସୀ ଚାଲିଥିଲା। ଦୀର୍ଘ ସମୟ ଧରି ଯାଞ୍ଚ ପରେ ମଧ୍ୟ ଟିମ୍କୁ କୌଣସି ବୋମା, ବିସ୍ଫୋରକ କିମ୍ବା ସନ୍ଦେହଜନକ ସାମଗ୍ରୀ ମିଳି ନଥିଲା। ଫଳରେ ଏହା ଏକ ମିଛ ଧମକ ହୋଇପାରେ ବୋଲି ସନ୍ଦେହ କରାଯାଉଛି।

ତେବେ ଧମକପୂର୍ଣ୍ଣ ଇ-ମେଲ୍କୁ ପୋଲିସ ଗମ୍ଭୀରତାର ସହ ନେଇଛି। ଇ-ମେଲ୍ ସହ ଜଡ଼ିତ ଡିଜିଟାଲ୍ ଡାଟାକୁ ସାଇବର ସେଲ୍କୁ ପଠାଯାଇଛି। ଇ-ମେଲ୍ କେଉଁଠାରୁ ଆସିଥିଲା, କିଏ ଏହାକୁ ପଠାଇଥିଲା ଏବଂ ଧମକ ପଛରେ କାହାର ଉଦ୍ଦେଶ୍ୟ ରହିଛି, ତାହା ଜାଣିବା ପାଇଁ ସାଇବର ଟିମ୍ ତଦନ୍ତ କରୁଛି।

ଏସିପି ତାଜ ସୁରକ୍ଷା ଯତେନ୍ଦ୍ର ନାଗର କହିଛନ୍ତି, ରିସର୍ଟ ମାଲିକଙ୍କଠାରୁ ଧମକପୂର୍ଣ୍ଣ ମେଲ୍ ସମ୍ପର୍କରେ ସୂଚନା ପାଇବା ପରେ ବୋମା ଡିସପୋଜାଲ୍ ସ୍କ୍ୱାଡ୍କୁ ଡକାଯାଇ ସମଗ୍ର ରିସର୍ଟର ଯାଞ୍ଚ କରାଯାଇଥିଲା। ଯାଞ୍ଚରେ କୌଣସି ବିସ୍ଫୋରକ କିମ୍ବା ସନ୍ଦେହଜନକ ବସ୍ତୁ ମିଳିନାହିଁ। ବର୍ତ୍ତମାନ ପୋଲିସ ଓ ସାଇବର ସେଲ୍ ଧମକପୂର୍ଣ୍ଣ ଇ-ମେଲ୍ କେଉଁଠୁ ଆସିଲା ତାହା ଖୋଜିବାରେ ଲାଗିପଡ଼ିଛି।