ଭୁବନେଶ୍ୱର, ୨୨।୧୧ : ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସମ୍ଭାବନା। ଆସନ୍ତା ୩୦ ତାରିଖବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର ନିକଟରେ ଏହି ଲଘୁଚାପ ସୃଷ୍ଟି ହୋଇପାରେ। ଲଗାତାର ୩ଟି ବାତ୍ୟା ଆନ୍ଧ୍ର-ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବା ପରେ ପୁଣି ଏକ ଲଘୁଚାପ ସମ୍ଭାବନାକୁ ନେଇ ଚିନ୍ତା ବଢ଼ିଛି।

Also Read :- ଚଳିତ ସପ୍ତାହରେ ୧୨ ହଜାର ଟଙ୍କା କମିଲା ସୁନା ମୂଲ୍ୟ, ରୁପା କମିଲା ୨୪ ହଜାରରୁ ଅଧିକ

ଭାରତୀୟ ପାଣିପାଗ ବିଜ୍ଞାନ (ଆଇଏମଡି )ର ବିସ୍ତାରିତ ପୂର୍ବାନୁମାନରେ ମଧ୍ୟ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ଆକଳନ କରାଯାଇଛି । ମାତ୍ର ଏହାର ତୀବ୍ରତା, ଗତିପଥ ଓ ପ୍ରଭାବ ନେଇ କୌଣସି ପୂର୍ବାନୁମାନ କରିନାହିଁ ଆଇଏମଡି। କେତେକ ମଡେଲ୍ ଅନୁସାରେ ସମ୍ଭାବ୍ୟ ଲଘୁଚାପ ଶ୍ରୀଲଙ୍କା ଆଡ଼କୁ ଯାଇପାରେ। ଆଉ ଏକ ମଡେଲ୍ ପୂର୍ବାନୁମାନ ଅନୁସାରେ ଏହା ଘନୀଭୂତ ହୋଇପାରେ । କିନ୍ତୁ, ଏବେ ଠାରୁ ସ୍ପଷ୍ଟ ଆକଳନ କରିବା ସହଜ ନୁହେଁ।ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି )ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ସାଧାରଣତଃ ବର୍ଷର ଦୁଇଟି ସମୟରେ ବାତ୍ୟା ଆସିଥାଏ । ଏପ୍ରିଲରୁ ଜୁନ୍ (ପ୍ରାକ୍ ମୌସୁମୀ) ଓ ଅକ୍ଟୋବରରୁ ଡିସେମ୍ବର ( ମୌସୁମୀ ପରବର୍ତ୍ତୀ) ସମୟରେ ଆରବ ସାଗର ଓ ବଙ୍ଗୋପସାଗରରେ ବାତ୍ୟା ଆସିଥାଏ। ହାରହାରି ବର୍ଷରେ ୫/୬ଟି ବାତ୍ୟା ହୋଇଥାଏ।

ଏପ୍ରିଲରୁ ଜୁନ୍ ଭିତରେ ୧/୨ଟି ଓ ଅକ୍ଟୋବର-ଡିସେମ୍ବର ଭିତରେ ୩/୪ଟି। ଏହାର ଅର୍ଥ ନୁହେଁ ଯେ ପ୍ରତିବର୍ଷ ଏତିକି ସଂଖ୍ୟାରେ ବାତ୍ୟା ହେବା ନିଶ୍ଚିତ। ଚଳିତବର୍ଷ ପ୍ରାକ୍ ମୌସୁମୀ ବାତ୍ୟା ଆସିନଥିଲା। ଏଇ କିଛି ଦିନ ଭିତରେ ବଙ୍ଗୋପସାଗରରେ ଆଗ ପଛ ହୋଇ ଲଗାତାର ୩ଟି ବାତ୍ୟା (ଅର୍ଣ୍ଣବ, ମୁରାସୁ, ଅକଭାନ) ଆସିଛି। ସମସ୍ତ ୩ଟି ବାତ୍ୟା ଆନ୍ଧ୍ର– ଓଡ଼ିଶା ଉପକୂଳ ମୁହାଁ ହୋଇଛି। ୧୯୮୭ରେ ଏଭଳି ସ୍ଥିତି ଆସିଥିଲା । ବଡ଼ କଥା ହେଲା, ଚଳିତବର୍ଷ ଶକ୍ତିଶାଳୀ ଏଲ୍-ନିନୋ ରହିଛି। ୧୯୮୭ରେ ବି ଶକ୍ତିଶାଳୀ ଏଲ୍-ନିନୋ ସ୍ଥିତି ଥିଲା।

ଆଇଏମଡି ପକ୍ଷରୁ କୁହାଯାଇଛି, ବର୍ତ୍ତମାନ ରାଜ୍ୟରେ ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବା ସମ୍ଭାବନା ଅଛି। ୩ ଦିନ ଯାଏ ରାତି ତାପମାତ୍ରା ବିଶେଷ ବଦଳିବନି। ଏହାପରେ ପରବର୍ତ୍ତୀ ୪ ଦିନରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ କମିପାରେ।