ନୂଆଦିଲ୍ଲୀ:  ଦେଶରେ ୧୪.୨ କେଜି ରୋଷେଇ ଗ୍ୟାସ୍ ସିଲିଣ୍ଡର ଦର ପୁଣି ବଢିଛି। ମୂଲ୍ୟ ବୃଦ୍ଧି ପରେ ସରକାର ପ୍ରତିକ୍ରିୟା ରଖିଛନ୍ତି। ସରକାରଙ୍କ ଅନୁସାରେ ଘରୋଇ ଏଲପିଜି ସିଲିଣ୍ଡର ପିଛା ବ୍ୟୟ ୧,୬୦୦ ଟଙ୍କାରୁ ବି ଅଧିକ ହୋଇଗଲାଣି। ଏଣୁ ପ୍ରତି ସିଲିଣ୍ଡର ଉପରେ ପାଖାପାଖି ୭୦୦ ଟଙ୍କା କ୍ଷତି (ଅଣ୍ଡର ରିକୋଭରି) ହେଉଛି, ଯାହାକୁ ସରକାର ଓ ସାର୍ବଜନିକ କ୍ଷେତ୍ରର ମାର୍କେଟିଂ କମ୍ପାନୀମାନେ ବହନ କରୁଥିବା  କୁହାଯାଇଛି।

ଗ୍ୟାସ୍ ସିଲିଣ୍ଡର ଏପରି ମୂଲ୍ୟ ବଢିବା ଇଣ୍ଟରନ୍ୟାସନାଲ ବେଞ୍ଚମାର୍କରେ ହୋଇଥିବା ବୃଦ୍ଧି କାରଣରୁ ବୋଲି ସରକାର କହିଛନ୍ତି। ହର୍ମୁଜ ପ୍ରଣାଳୀରେ ଉପୁଜିଥିବା ବାଧା ଯୋଗୁ ସାଉଦୀ ଆରାମକୋର ଏଲପିଜି କଣ୍ଟ୍ରାକ୍ଟ ପ୍ରାଇସ୍ ରେ ୪୬% ବୃଦ୍ଧି ହୋଇଛି। ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରାଳୟ ଅନୁସାରେ ହର୍ମୁଜ ସ୍ୱଭାବିକ ଥିବା ବେଳେ ଫେବୃଆରୀରେ ପ୍ରୋପେନ-ବ୍ୟୁଟେନ ୫୦:୫୦ ମିକ୍ସ ନିମନ୍ତେ  ବ୍ଲେଣ୍ଡେଡ ସାଉଦୀ ସିପି ପ୍ରତି ଟନ ୫୪୨.୫୦ ଆମେରିକୀୟ ଡଲାର ଥିଲା। ତେବେ ହର୍ମୁଜରେ ଯୋଗାଣ ବନ୍ଦ ହେବା ପରେ ଏପ୍ରିଲରେ ପ୍ରତି ଟନ ବଢି ୭୭୫ ଡଲାରକୁ ପହଞ୍ଚିଥିବା ବେଳେ ଏବେ ଜୁନରେ ବଢି ଟନପିଛା ୭୯୦ ଡଲାର ହୋଇଯାଇଛି।  

ଇତି ମଧ୍ୟରେ ପ୍ରୋପେନ ସିପିରେ ୩୯ ଓ ବ୍ୟୁଟେନରେ ୫୨% ବୃଦ୍ଧି ହୋଇଛି। ଏହା ସହିତ ଇମ୍ପୋର୍ଟ କରାଯାଉଥିବା ମଲିକ୍ୟୁଲର ଲ୍ୟାଣ୍ଡେଡ୍ କଷ୍ଟ ମଧ୍ୟ ବଢି ଯାଇଛି। ଏଣୁ ଘରୋଇ ୧୪.୨ କେଜି ଏଲପିଜି ସିଲିଣ୍ଡରର ଇମ୍ପୋର୍ଟ ଲିଂକଡ୍ ସପ୍ଲାଇ କଷ୍ଟ ୧,୬୦୦ ଟଙ୍କାରୁ ଅଧିକ ହୋଇଯାଇଛି। ଏଣୁ ସରକାର ବାଧ୍ୟ ହୋଇ ସିଲିଣ୍ଡର ପିଛା କିଛି ମୂଲ୍ୟ ବୃଦ୍ଧି କରିଛନ୍ତି। ତେବେ ପଶ୍ଚିମ ଏସିୟା ସଂକଟ ପରେ ଭାରତରେ ସରକାର ୨ ଥର ଘରୋଇ ଏଲପିଜି ଦର ବୃଦ୍ଧି କରିଛନ୍ତି।