କୋଲକାତା: ରାଷ୍ଟ୍ରପତିଙ୍କୁ ଅପମାନ କରିବା ପ୍ରସଙ୍ଗ ନେଇ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୁହାଁମୁହିଁ ହୋଇଛନ୍ତି। ନିକଟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଶ୍ଚିମବଙ୍ଗ ଗସ୍ତ ବେଳେ ମମତା ସରକାର ତାଙ୍କୁ ଅପମାନ କରିଥିବା କହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମମତା ସରକାରଙ୍କ ଉପରେ ବର୍ଷିଥଲେ। ଆଉ ମମତ ବାନାର୍ଜୀ ତୁରନ୍ତ ଏହାର ଉତ୍ତର ପ୍ରଧାନମନ୍ତ୍ରୀଙ୍କୁ ଦେଇ କାଉଣ୍ଟର ଆଟାକ୍ କରିଛନ୍ତି। ଏଥିପାଇଁ ସେ ୨୦୨୪ରେ ରାଷ୍ଟ୍ରପତି ଛିଡ଼ା ହୋଇଥିବାର ଓ ପ୍ରଧାନମନ୍ତ୍ରୀ ବସିଥିବାର ଏକ ଫଟୋ ଶେୟାର କରିଛନ୍ତି।

ମମତା ଟ୍ୱିଟ୍ କରିଥିବା ଫଟୋଟି ମାର୍ଚ୍ଚ ୨୦୨୪ର। ଯେତେବେଳେ ରାଷ୍ଟ୍ରପତି ମୁର୍ମୁ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ ପ୍ରଦାନ କରୁଥିଲେ, ସେତେବେଳେ ପ୍ରଧାନମନ୍ତ୍ରୀ ମୋଦି ଆଡଭାନୀଙ୍କ ପାଖରେ ବସିଥିଲେ।

ଉତ୍ତର ବଙ୍ଗରେ ଆୟୋଜିତ ଏକ ଆଦିବାସୀ ସମ୍ପ୍ରଦାୟ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ମୁର୍ମୁଙ୍କ ମନ୍ତବ୍ୟ ପରେ ଏହି ବିବାଦ ସୃଷ୍ଟି ହୋଇଛି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଏବଂ ଶାସକ ଟିଏମସି ମଧ୍ୟରେ ବର୍ତ୍ତମାନ ଏହା ରାଜନୈତିକ ମୁକାବିଲାରେ ପରିଣତ ହୋଇଛି। ତେବେ ମମତା ବାନାର୍ଜୀ କିନ୍ତୁ ତାଙ୍କ ସରକାର ରାଷ୍ଟ୍ରପତିଙ୍କୁ ଅପମାନିତ କରିଥିବା ଅଭିଯୋଗକୁ ବାରମ୍ବାର ଖଣ୍ଡନ କରିଆସିଛନ୍ତି ଏବଂ ବିଜେପି ଏହି ପ୍ରସଙ୍ଗକୁ ରାଜନୀତି କରୁଛି ବୋଲି ସେ ଅଭିଯୋଗ କରିଛନ୍ତି।

 

ମମତା ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି "ଏବେ ତୁମେ କହୁଛ ଯେ ମୁଁ ପ୍ରଧାନମନ୍ତ୍ରୀଙ୍କୁ ଅପମାନିତ କରିଛି। ମୁଁ ସେଠାକୁ କିପରି ଯାଇପାରିବି? ମୁଁ ଧାରଣାରେ ବସିଛି ଏବଂ ମୁଁ ସମସ୍ତଙ୍କ ପାଇଁ ଲଢ଼ୁଛି।" ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (SIR) ଉପରେ ଚାଲିଥିବା ପ୍ରତିବାଦକୁ ମମତା ଏଥିରେ ଉଲ୍ଲେଖ କରିଛନ୍ତି। ଏହା ଛଡ଼ା ୨୦୨୪ରେ ରାଷ୍ଟ୍ରପତି ଆଡଭାନୀଙ୍କୁ ଭାରତ ରତ୍ନ ଦେବା ବେଳର ଫଟୋ ଶେୟାର କରି ପ୍ରଧାନମନ୍ତ୍ରୀଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି ମମତା।

ଏଥିରେ ସେ ଲେଖିଛନ୍ତି “ଏହା ଆପଣଙ୍କ ପାଇଁ, ବିଶେଷକରି ପ୍ରଧାନମନ୍ତ୍ରୀଙ୍କ ପାଇଁ। ଆପଣ ଜଣେ ଆଦିବାସୀ ନେତା ଏବଂ ଭାରତର ରାଷ୍ଟ୍ରପତିଙ୍କୁ ସମ୍ମାନ କରିବେ ନାହିଁ। ରାଷ୍ଟ୍ରପତି ଠିଆ ହୋଇଛନ୍ତି ଏବଂ ପ୍ରଧାନମନ୍ତ୍ରୀ ବସିଛନ୍ତି। ମୁଁ ଏହା ଦେଖାଉଛି କାରଣ ଆମେ ସମ୍ମାନ କରୁ, କିନ୍ତୁ ସେମାନେ ସମ୍ମାନ ଦିଅନ୍ତି ନାହିଁ। ଆମେ ରାଷ୍ଟ୍ରପତିଙ୍କ ଚୌକି ଏବଂ ଭାରତର ସମ୍ବିଧାନକୁ ପୂର୍ଣ୍ଣ ସମ୍ମାନ କରୁ, ଯାହାକୁ ଆମେ ଆମର ମାତା ବୋଲି ମାନୁ। ଆମକୁ ଦୋଷ ଦିଅ ନାହିଁ।"

ନିର୍ବାଚନ ସମୟ ପାଖେଇ ଆସୁଥଇବା ବେଳେ ପ୍ରଧାନମନ୍ତ୍ରୀ ମୋଦି ଜାଣିଶୁଣି ରାଜ୍ୟକୁ ଆକ୍ରମଣ କରୁଛନ୍ତି ବୋଲି ମମତା ଅଭିଯୋଗ କରିଛନ୍ତି। ଏନେଇ ସେ କହିଛନ୍ତି "ଯେତେବେଳେ ନିର୍ବାଚନ ଆସେ, ପ୍ରଧାନମନ୍ତ୍ରୀ ଭୋଟ ପକ୍ଷୀ ପରି ବଙ୍ଗଳା ଉପରେ ଆକ୍ରମଣ କରନ୍ତି।"

ଶନିବାର ରାଷ୍ଟ୍ରପତି ମୁର୍ମୁ ତାଙ୍କର ଉତ୍ତର ବଙ୍ଗ ଗସ୍ତ ସମୟରେ ବାଗଡୋଗ୍ରା ନିକଟରେ ୯ମ ଅନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀରେ ପଶ୍ଚିମବଙ୍ଗ ସରକାର କରିଥିବା ବ୍ୟବସ୍ଥା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଏହାପରେ ଘଟଣାକୁ ନେଇ ବିବାଦ ଆରମ୍ଭ ହୋଇଥିଲା। କାର୍ଯ୍ୟକ୍ରମରେ ଯୋଗ ଦେଇ ରାଷ୍ଟ୍ରପତି ମୁର୍ମୁ କାର୍ଯ୍ୟକ୍ରମରେ କମ୍ ଜନସମାଗମ ଏବଂ କାର୍ଯ୍ୟକ୍ରମ ସ୍ଥାନ ପରିବର୍ତ୍ତନ ନିଷ୍ପତ୍ତି ନେଇ ପ୍ରଶ୍ନ ଉଠାଇଥିଲେ ଏବଂ ତାଙ୍କ ଗସ୍ତ ସମୟରେ ମମତା ବାନାର୍ଜୀ ଏବଂ ରାଜ୍ୟ ମନ୍ତ୍ରୀମାନଙ୍କ ଅନୁପସ୍ଥିତିକୁ ମଧ୍ୟ ରାଷ୍ଟ୍ରପତି ଉଲ୍ଲେଖ କରିଥିଲେ।

ମୁର୍ମୁ କହିଥିଲେ “ସାଧାରଣତଃ, ଯେତେବେଳେ ରାଷ୍ଟ୍ରପତି ଆସୁଛନ୍ତି, ମୁଖ୍ୟମନ୍ତ୍ରୀ ତାଙ୍କୁ ସ୍ୱାଗତ କରିବା ଉଚିତ ଏବଂ ଅନ୍ୟ ମନ୍ତ୍ରୀମାନେ ଉପସ୍ଥିତ ରହିବା ଉଚିତ। କିନ୍ତୁ ସେ ଆସି ନଥିଲେ। ଯଦି କାର୍ଯ୍ୟକ୍ରମଟି ପୂର୍ବ ନିର୍ଦ୍ଧାରିତ ସ୍ଥାନରେ ହୋଇଥାନ୍ତା ତେବେ ଭଲ ହୋଇଥାନ୍ତା। ମୁଁ ଜାଣିନାହିଁ କାହିଁକି ରାଜ୍ୟ ପ୍ରଶାସନ ସେଠାରେ ବୈଠକକୁ ଅନୁମତି ଦେଲା ନାହିଁ।” ରାଷ୍ଟ୍ରପତି ମୁର୍ମୁ ଆହୁରି କହିଛନ୍ତି ଯେ ମମତା ବାନାର୍ଜୀ ତାଙ୍କ "ସାନ ଭଉଣୀ" ପରି ଏବଂ ସେ ନିଜେ "ବଙ୍ଗଳାର ଝିଅ" ଥିଲେ। ମମତାଙ୍କ ସହିତ ତାଙ୍କର କୌଣସି ବ୍ୟକ୍ତିଗତ ମତାନ୍ତର ନାହିଁ। ତଥାପି କାହିଁକି ଏପରି ହେଲା ବୋଲି କହି ରାଷ୍ଟ୍ରପତି ଦୁଃଖ ପ୍ରକାଶ କରିଥିଲେ।

ପ୍ରୋଟୋକଲ କୋହଳ ଅଭିଯୋଗର ଜବାବରେ, ସୁଶ୍ରୀ ବାନାର୍ଜୀ ରାଷ୍ଟ୍ରପତି ମୁର୍ମୁଙ୍କ ଉପରେ ଅଭିଯୋଗ ଆଣିଥିଲେ। ରାଷ୍ଟ୍ରପତି ବିଜେପିର ପରାମର୍ଶରେ ଏପରି କହୁଛନ୍ତି ବୋଲି ସେ ଅଭିଯୋଗ କରିଥିଲେ ଏବଂ ମଣିପୁର ଓ ଛତିଶଗଡ଼ ଭଳି ରାଜ୍ୟରେ ଆଦିବାସୀଙ୍କ ଉପରେ କଥିତ ଅତ୍ୟାଚାର ଉପରେ ତାଙ୍କର ନୀରବତା ନେଇ ପ୍ରଶ୍ନ ଉଠାଇଥିଲେ। ସେ ଏହା ମଧ୍ୟ କହିଥିଲେ ଯେ ରାଷ୍ଟ୍ରପତିଙ୍କ ଯୋଗ ଦେଇଥିବା କାର୍ଯ୍ୟକ୍ରମ ରାଜ୍ୟ ସରକାରଙ୍କ ଦ୍ୱାରା ଆୟୋଜିତ ହୋଇନଥିଲା ଏବଂ ସିଲିଗୁଡ଼ି ମେୟର ଗୌତମ ଦେବ ପ୍ରଶାସନର ପ୍ରତିନିଧିତ୍ୱ କରିଥିଲେ।

ମମତା ବାନାର୍ଜୀ ଆହୁରି କହିଥିଲେ ଯେ ରାଜ୍ୟ ସରକାରଙ୍କୁ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମର ବିବରଣୀ ବିଷୟରେ ଅବଗତ କରାଯାଇ ନଥିଲା ଏବଂ ଘରୋଇ ଆୟୋଜକମାନଙ୍କ ଦ୍ୱାରା ସେମାନଙ୍କ ସହିତ ପରାମର୍ଶ କରାଯାଇ ନଥିଲା। ସେ ଯୁକ୍ତି ଦେଇଥିଲେ ଯେ କାର୍ଯ୍ୟକ୍ରମରେ ଅଳିଆ ଆବର୍ଜନା, ଗ୍ରୀନ ରୁମର ସମସ୍ୟା କିମ୍ବା ମହିଳା ଶୌଚାଳୟର ଅନୁପସ୍ଥିତି ସମ୍ବନ୍ଧୀୟ ଯେକୌଣସି ସମସ୍ୟା କାର୍ଯ୍ୟକ୍ରମ ଆୟୋଜକ ଏବଂ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଦାୟିତ୍ୱ ହେବା ଉଚିତ, ଯାହାଙ୍କ ଜମିରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ତା’ପରେ ସେ ବିଜେପିକୁ "ନିଜର ଦଳୀୟ ଏଜେଣ୍ଡା ପାଇଁ ଦେଶର ସର୍ବୋଚ୍ଚ ଚୌକିକୁ ଅସମ୍ମାନ ଏବଂ ଅପବ୍ୟବହାର" କରିବା ଅଭିଯୋଗ କରି ସମାଲୋଚନା କରିଥିଲେ। ଏହା ସବୁଠାରୁ ଦୁର୍ଭାଗ୍ୟଜନକ ବୋଲି ମମତା କହିଥିଲେ।

ପ୍ରୋଟୋକଲ ଉଲ୍ଲଂଘନର ରିପୋର୍ଟ ମାଗିଲା କେନ୍ଦ୍ର

କିପରି ଉଲ୍ଲଂଘନ ହେଲା ରାଷ୍ଟ୍ରପତିଙ୍କ ପ୍ରୋଟୋକଲ ? ଭୁଲ ପାଇଁ ଦାୟୀ କିଏ ? ପଶ୍ଚିମବଙ୍ଗ ସରକାରଙ୍କଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି କେନ୍ଦ୍ର ସରକାର। ଆଜି ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଦାର୍ଜିଲିଂ ସାନ୍ତାଳୀ ସମ୍ମିଳନୀ ବେଳେ ରାଷ୍ଟ୍ରପତିଙ୍କ ପ୍ରୋଟୋକଲରେ ତ୍ରୁଟି ନେଇ ଅଭିଯୋଗ ହୋଇଥିବା। ଏହା ପରେ ଆକ୍ସନ ମୁଡ୍ରେ ଗୃହ ମନ୍ତ୍ରାଳୟ। କେନ୍ଦ୍ର ଗୃହ ସଚିବ ପଶ୍ଚିମବଙ୍ଗର ମୁଖ୍ୟ ସଚିବଙ୍କୁ ଚିଠି ଲେଖି ସିଲିଗୁଡ଼ିରେ ଘଟିଥିବା ଘଟଣାର ବିସ୍ତୃତ ରିପୋର୍ଟ ମାଗିଛନ୍ତି। ଚିଠିରେ ଅସନ୍ତୋଷ ପ୍ରକାଶ କରି ଗୃହ ସଚିବ ପଚାରିଛନ୍ତି ଯେ କିପରି ଏବଂ କାହିଁକି ପ୍ରୋଟୋକଲ୍ ମାନଦଣ୍ଡ ଉଲ୍ଲଂଘନ କରାଯାଇଥିଲା, କାର୍ଯ୍ୟକ୍ରମର ସ୍ଥାନ ହଠାତ୍ କାହିଁକି ପରିବର୍ତ୍ତନ କରାଯାଇଥିଲା ଏବଂ ଏହା କ’ଣ ପାଇଁ ହୋଇଥିଲା।

କେନ୍ଦ୍ର ଗୃହ ସଚିବ ଏହି ସମ୍ପୂର୍ଣ୍ଣ ଘଟଣା ଉପରେ ବିସ୍ତୃତ ସୂଚନା ମାଗିଛନ୍ତି। ଜବାବରେ ରାଜ୍ୟ ସରକାରଙ୍କୁ ଆଜି ସନ୍ଧ୍ୟା ୫ଟା ସୁଦ୍ଧା କେନ୍ଦ୍ର ସରକାରଙ୍କୁ ଏକ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୭ ମାର୍ଚ୍ଚ ୨୦୨୬ରେ ପଶ୍ଚିମବଙ୍ଗର ଦାର୍ଜିଲିଂ ଜିଲ୍ଲାର ସିଲିଗୁଡ଼ିରେ ୯ମ ଅନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।

ଏହା ରାଷ୍ଟ୍ରପତିଙ୍କୁ'ଗମ୍ଭୀର ଅପମାନ'ଅଭିଯୋଗ କଲେ ପ୍ରଧାନମନ୍ତ୍ରୀ

ଅନ୍ତର୍ଜାତୀୟ ମହିଳା ଦିବସରେ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଟିଏମସି ସରକାର ରାଷ୍ଟ୍ରପତିଙ୍କ ପ୍ରତି "ଗମ୍ଭୀର ଅପମାନ" କରିଛି। ରାଷ୍ଟ୍ରପତି ନିଜେ ଏକ ଆଦିବାସୀ ସମ୍ପ୍ରଦାୟରୁ ଆସିଛନ୍ତି। ମୋଦୀ କହିଛନ୍ତି “ଆଜି, ଯେତେବେଳେ ଦେଶ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରୁଛି, ଏହା ଗଭୀର ଭାବରେ ଚିନ୍ତାର ବିଷୟ ଯେ ଗତକାଲି, ପଶ୍ଚିମବଙ୍ଗର ଟିଏମସି ସରକାର ଭାରତର ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଏକ ଗମ୍ଭୀର ଅପମାନ ପ୍ରଦର୍ଶନ କରିଛି।”

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ଘଟଣା କେବଳ ଆଦିବାସୀ କାର୍ଯ୍ୟକ୍ରମର ପରିଚାଳନାଗତ ତ୍ରୁଟିର କାରଣ ହୋଇନାହିଁ ବରଂ ଏହା ସମ୍ବିଧାନ ଏବଂ ଗଣତାନ୍ତ୍ରିକ ପରମ୍ପରାର ଅପମାନ। "ପଶ୍ଚିମବଙ୍ଗର ପ୍ରବୁଦ୍ଧ ଜନତା ଜଣେ ମହିଳାଙ୍କୁ ଅପମାନିତ କରିବା, ଜଣେ ଆଦିବାସୀଙ୍କୁ ଅପମାନିତ କରିବା ଏବଂ ଦେଶର ମାନ୍ୟବର ରାଷ୍ଟ୍ରପତିଙ୍କୁ ଅପମାନିତ କରିବା ପାଇଁ ଟିଏମସିକୁ କେବେ କ୍ଷମା କରିବେ ନାହିଁ।"