ଭୁବନେଶ୍ୱର: ଗଞ୍ଜାମ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆକାଶମାର୍ଗରୁ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ସହ ସ୍ଥିତିର ସମୀକ୍ଷା କରିବେ। ମଧ୍ୟାହ୍ନ ପ୍ରାୟ ୧୨ଟାରେ ଗଞ୍ଜାମ ଓ ଗଜପତି ଜିଲ୍ଲା ଗସ୍ତ କରିବେ। ପ୍ରଥମେ ଆକାଶମାର୍ଗରୁ ଉଭୟ ଜିଲ୍ଲାର ବନ୍ୟା ସ୍ଥିତି ଅନୁଧ୍ୟାନ କରିବେ। ଏହାପରେ ରଙ୍ଗେଇଲୁଣ୍ଡାରେ ଅବତରଣ କରି ସ୍ଥିତିର ସମୀକ୍ଷା କରିବେ।

ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଓ ପରିବହନ ମନ୍ତ୍ରୀ ବିଭୁତି ଜେନା ମଧ୍ୟ ଗଞ୍ଜାମ ଗସ୍ତରେ ଯିବେ। ଆସିକା, ସୋରଡ଼ା, ହିଞ୍ଜିଳି, ବେଲଗୁଣ୍ଠା ଓ ଭଞ୍ଜନଗରରେ ବନ୍ୟା ଯୋଗୁଁ କେତେ କ୍ଷୟକ୍ଷତି ହୋଇଛି, କେତେ ଘର ଭାଙ୍ଗିଛି, ତାହା ଆକାଶମାର୍ଗରୁ ଅନୁଧ୍ୟାନ କରିବେ।

ବାତ୍ୟା ଅର୍ଣ୍ଣବ ଆନ୍ଧ୍ରପ୍ରଦେଶରେ ଲ୍ୟାଣ୍ଡଫଲ୍ କରିଥିଲେ ମଧ୍ୟ ଦକ୍ଷିଣ ଓଡ଼ିଶାରେ ଛାଡ଼ିଯାଇଛି ବ୍ୟାପକ କ୍ଷୟକ୍ଷତିର ଚିହ୍ନ। ବାତ୍ୟା ପ୍ରଭାବରେ ହୋଇଥିବା ଲଗାଣ ବର୍ଷାରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ଗଞ୍ଜାମ ଜିଲ୍ଲା। ଜିଲ୍ଲାର ବିଭିନ୍ନ ସ୍ଥାନରେ ଅତି ପ୍ରବଳ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ଉପୁଜିବା ସହ ଜନଜୀବନ ପ୍ରଭାବିତ ହୋଇଛି । ଅନ୍ୟପଟେ ଗଜପତି ଓ କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୂସ୍ଖଳନ ମଧ୍ୟ ହୋଇଛି । ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତ ଓ ଆକାଶମାର୍ଗରୁ କ୍ଷୟକ୍ଷତି ଅନୁଧ୍ୟାନ ଉପରେ ରହିଛି ନଜର ।

ବାତ୍ୟା ପରେ ଏବେ ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା ବଢ଼ିଛି। ଅନେକ ଅଞ୍ଚଳରେ ବନ୍ୟା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଥିବା ବେଳେ କ୍ଷୟକ୍ଷତିର ପରିମାଣ ମଧ୍ୟ ଅଧିକ ରହିଛି। ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ ବନ୍ୟା ପରବର୍ତ୍ତୀ ସ୍ଥିତି, ରିଲିଫ୍ ବଣ୍ଟନ ଓ ପୁନରୁଦ୍ଧାର କାର୍ଯ୍ୟ ଉପରେ ରହିବ ଗୁରୁତ୍ୱ।