ନୂଆଦିଲ୍ଲୀ ୩୦।୧୦; ଭୁଟାନରେ ପ୍ରକୃତିର ପ୍ରଳୟଙ୍କରୀ ରୂପ! ଫାଟିଲା ଗ୍ଲେସିଅର ଲେକ୍ , ଏବେ ଭାରତରେ ବନ୍ୟା ବିପଦ। ପାହାଡ଼ ଉପରୁ ମାଡ଼ି ଆସୁଛି ପ୍ରବଳ ପାଣି। ନଦୀରେ ହଠାତ୍ ବଢ଼ିପାରେ ଜଳସ୍ତର। ଆଉ ଏହାକୁ ନେଇ ଆସାମ ଓ ପଶ୍ଚିମବଙ୍ଗରେ ଜାରି ହୋଇଛି ହାଇଆଲର୍ଟ। ସଙ୍କୋଶ ନଦୀ କୂଳରେ ରହୁଥିବା ଲୋକଙ୍କୁ ଘର ଛାଡ଼ି ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ନିର୍ଦ୍ଦେଶ। ଦିଆଯାଇଛି ଉଦ୍ଧାରକାରୀ ଦଳ ମୁତୟନ ହେବା ସହ ସାଇରନ୍ ବଜାଇ ଲୋକଙ୍କୁ ସତର୍କ କରାଯାଉଛି । ତେବେ କେତେ ଭୟଙ୍କର ହୋଇପାରେ ଏହି ବନ୍ୟା ବିପଦ… କେଉଁ କେଉଁ ଅଞ୍ଚଳ ରହିଛି ବିପଦ ଘେରରେ ଆସନ୍ତୁ ଜାଣିବା ।

ଭୁଟାନର ପାହାଡ଼ିଆ ଅଞ୍ଚଳରେ ଗ୍ଲେସିଅର ଲେକ ଫାଟିବା ପରେ ଏବେ ଭାରତରେ ବନ୍ୟା ଆଶଙ୍କା। ଭୁଟାନର ଗାସା ଜିଲ୍ଲା ଅନ୍ତର୍ଗତ ଲୁନାନା ଅଞ୍ଚଳରେ ଥିବା ଶିନ୍ତାଫୁ ହ୍ରଦ ଫାଟିଯାଇଥିବା ଖବର ମିଳିଛି। ଏହାପରେ ନଦୀରେ ଜଳସ୍ତର ଦ୍ରୁତଗତିରେ ବଢ଼ିବା ଆଶଙ୍କା କରାଯାଉଛି। ଭୁଟାନରୁ ଭାରତକୁ ପ୍ରବାହିତ ପୁନାତ୍ସାଙ୍ଗଚୁ ନଦୀ ଭାରତ ସୀମାରେ ପ୍ରବେଶ କରିବା ପରେ ସଙ୍କୋଶ ନଦୀ ଭାବେ ପରିଚିତ ହୋଇଛି। ତେଣୁ ଏହି ନଦୀର ତଳମୁଣ୍ଡରେ ଥିବା ଅଞ୍ଚଳଗୁଡ଼ିକ ଏବେ ବିପଦ ଘେରରେ।

ଭାରତୀୟ କର୍ତ୍ତୃପକ୍ଷଙ୍କ ଆକଳନ ଅନୁସାରେ, ଉପର ମୁଣ୍ଡରୁ ଆସୁଥିବା ପ୍ରବଳ ଜଳରାଶି ୬ରୁ ୮ ଘଣ୍ଟା ମଧ୍ୟରେ ଭାରତ-ଭୁଟାନ ସୀମାରେ ପହଞ୍ଚିପାରେ। ଏହାଦ୍ୱାରା ସଙ୍କୋଶ ନଦୀର ଜଳସ୍ତର ହଠାତ୍ ବଢ଼ିବା ସହ ନଦୀକୂଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ସୃଷ୍ଟି ହୋଇପାରେ। ଘରଦ୍ୱାର, ଚାଷ ଜମି, ରାସ୍ତାଘାଟ, ପୋଲ ଏବଂ ଗୃହପାଳିତ ପଶୁଙ୍କ ପ୍ରତି ମଧ୍ୟ ବିପଦ ରହିଛି। ଭୁଟାନ କର୍ତ୍ତୃପକ୍ଷ ନଦୀ କୂଳରେ ସାଇରନ୍ ବଜାଇ ଲୋକଙ୍କୁ ସତର୍କ କରିବା ସହ ସ୍ଥାନାନ୍ତର ଆରମ୍ଭ କରିଛନ୍ତି।

ଏପଟେ ପଶ୍ଚିମବଙ୍ଗରେ ମଧ୍ୟ ଚିନ୍ତା ବଢ଼ିଛି । ରାଜ୍ୟର ଜଙ୍ଗଲ ମନ୍ତ୍ରୀ ଭିଡିଓ ଜାରି କରି ସଙ୍କୋଶ ନଦୀ କୂଳରେ ରହୁଥିବା ଲୋକଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ଅନୁରୋଧ କରିଛନ୍ତି। ବିଶେଷକରି କୁମାରଗ୍ରାମ ଅଞ୍ଚଳ ପ୍ରତି ରହିଛି ସତର୍କ ନଜର। ଅନ୍ୟପଟେ ବିଜେପି ସାଂସଦ ରାଜୁ ବିଷ୍ଟ ମଧ୍ୟ ସୋସିଆଲ ମିଡିଆରେ ସତର୍କ ସୂଚନା ଜାରି କରିଛନ୍ତି। ନଦୀ ଅବବାହିକାରେ ରହୁଥିବା ଲୋକଙ୍କୁ ନିଜ ସୁରକ୍ଷା ପାଇଁ ଉଚ୍ଚ ସ୍ଥାନକୁ ଚାଲିଯିବାକୁ ସେ ପରାମର୍ଶ ଦେଇଛନ୍ତି।

ସମ୍ଭାବ୍ୟ ବିପଦକୁ ଦେଖି ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଜରୁରୀକାଳୀନ ପଦକ୍ଷେପ। ପଶ୍ଚିମବଙ୍ଗର କୁଚବିହାର ଜିଲ୍ଲାର ତୁଫାନଗଞ୍ଜ ଓ ବକ୍ସିରହାଟରେ NDRF ଏବଂ SDRF ଟିମ୍ ମୁତୟନ କରାଯାଇଛି। ନଦୀକୂଳିଆ ଗାଁ’ ଗୁଡ଼ିକରେ ଲାଉଡସ୍ପିକର ଯୋଗେ ଲୋକଙ୍କୁ ସତର୍କ କରାଯାଉଛି। ଦାର୍ଜିଲିଂ, ଅଲିପୁରଦୁଆର, ଜଲପାଇଗୁଡ଼ି, କୁଚବିହାର ସହ ଆସାମର ଧୁବରୀ ଜିଲ୍ଲାରେ ପ୍ରଶାସନକୁ ସଜାଗ ରଖାଯାଇଛି। ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ଜରୁରୀକାଳୀନ ସଂସ୍ଥାଗୁଡ଼ିକ ପ୍ରସ୍ତୁତ ରହିଛନ୍ତି।