ନୂଆଦିଲ୍ଲୀ ୨୬।୩: ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମ (ଏଡିଆର) ଦ୍ୱାରା ପ୍ରସ୍ତୁତ ଏକ ନୂଆ ରିପୋର୍ଟ ଅନୁସାରେ ୨୦୨୪-୨୫ରେ ଜାତୀୟ ରାଜନୈତିକ ଦଳମାନଙ୍କ ଚାନ୍ଦା ପିଛିଲା ଆର୍ଥିକ ବର୍ଷ ତୁଳନାରେ ୧୬୧% ବଢିଛି। ଏଥିରେ ଶାସକ ବିଜେପିକୁ ସବୁଠୁ ଅଧିକ ଚାନ୍ଦା ମିଳିଛି, ଯାହା ଅନ୍ୟ ସବୁ ଜାତୀୟ ଦଳଙ୍କୁ ମିଳିଥିବା ମୋଟ ଚାନ୍ଦାର ୧୦ ଗୁଣାରୁ ଅଧିକ ବୋଲି କୁହାଯାଇଛି। ରିପୋର୍ଟରେ କୁହାଯାଇଛି ଯେ ୨୦୨୫ ଆର୍ଥିକ ବର୍ଷରେ ଜାତୀୟ ରାଜନୈତିକ ଦଳଙ୍କ ଦ୍ୱାରା ଘୋଷିତ ୨୦,୦୦୦ରୁ ଅଧିକ ଚାନ୍ଦାର ସଂଖ୍ୟା ୧୧,୩୪୩ ଥିଲା। ଏଥିରୁ ମୋଟ ୬,୬୪୮.୫୬୩ କୋଟି ଟଙ୍କା ସଂଗ୍ରହ ହୋଇଛି। ଏଥିରେ କେବଳ ବିଜେପି ୫,୫୨୨ଟି ଚାନ୍ଦାରୁ ୬,୦୭୪.୦୧୫କୋଟି ଟଙ୍କା ପାଇଛି। ଏହି ସମୟରେ କଂଗ୍ରେସକୁ ୨,୫୦୧ଟି ଚାନ୍ଦାରୁ ୫୧୭.୩୯୪ କୋଟି ଟଙ୍କା ମିଳିଛି।

ବିଜେପିର ଚାନ୍ଦା ଅନ୍ୟ ଦଳଙ୍କ ଠାରୁ ଢେର ଅଧିକ
ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ବିଜେପି ଦ୍ୱାରା ଘୋଷିତ ଚାନ୍ଦା କଂଗ୍ରେସ, ଆମ ଆଦମୀ ପାର୍ଟି (ଆପ), କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ-ମାର୍କସବାଦୀ (ସିପିଆଇ-ଏମ) ଓ ନ୍ୟାସନାଲ ପ୍ୟୁପିଲସ ପାର୍ଟି (ଏନପିଇପି)ର ମୋଟ ଚାନ୍ଦାରୁ ୧୦ ଗୁଣରୁ ବି ଅଧିକ ଥିଲା। ଏଥି ମଧ୍ୟରେ ବହୁଜନ ସମାଜପାର୍ଟି (ବସପା) ଘୋଷଣ କରିଛି ଯେ ଗତ ୧୯ ବର୍ଷ ଭଳି ଏ ବର୍ଷ ମଧ୍ୟ ଗୋଟିଏବି ୨୦,୦୦୦ ଟଙ୍କାରୁ ଅଧିକ ଚାନ୍ଦା ମିଳି ନାହିଁ। ଜାତୀୟ ଦଳଙ୍କୁ ମିଳିଥିବା ମୋଟ ଚାନ୍ଦାରେ ୨୦୨୩-୨୪ ତୁଳନାରେ ୨୦୨୪-୨୫ରେ ୪,୧୦୪.୨୮୫ କୋଟି ଟଙ୍କା ବୃଦ୍ଧି ହୋଇଛି। ବିଜେପି ଚାନ୍ଦାରେ ଗତବର୍ଷର ୨,୨୪୩.୯୪୭ କୋଟି ଟଙ୍କା ତୁଳନାରେ ୧୭୧% ବୃଦ୍ଧି ରେକର୍ଡ ହୋଇଛି।

କର୍ପୋରେଟ ଚାନ୍ଦାର ପ୍ରଭାବ
ରାଜନୈତିକ ଚାନ୍ଦାରେ କର୍ପୋରେଟ ଚାନ୍ଦାର ବେଶ୍ ଦବଦବା ରହିଛି, ଯାହା ୩,୨୪୪ ଚାନ୍ଦା ମାଧ୍ୟମରେ ମୋଟ ଚାନ୍ଦାର ୯୨.୧୮% ଅର୍ଥାତ ୬,୧୨୮.୭୮୭ କୋଟି ଟଙ୍କା ରହିଛି। ବ୍ୟକ୍ତିଗତ ଦାତାମାନେ ୭,୯୦୦ ଚାନ୍ଦା ମାଧ୍ୟମରେ ୫୦୫.୬୬ କୋଟି ଟଙ୍କା ଯୋଗାଦନ ଦେଇଛନ୍ତି, ଯାହା ମୋଟ ଚାନ୍ଦାର ୭.୬୧%। ବିଜେପିକୁ ୨,୭୯୪ କର୍ପୋରେଟ ଚାନ୍ଦା ମାଧ୍ୟମରେ ୫,୭୧୭.୧୬୭ କୋଟି ଟଙ୍କା ମିଳିଛି, ଯାହା ଅନ୍ୟ ସବୁ ଜାତୀୟ ଦଳଙ୍କୁ ମିଳିଥିବା ମୋଟ ଚାନ୍ଦା (୪୧୧.୬୨କୋଟି)ର ୧୩ ଗୁଣାରୁ ବି ଅଧିକ।

ଶୀର୍ଷ ଦାତାଙ୍କ ଯୋଗଦାନ
ଶୀର୍ଷ ଡୋନରଙ୍କ ମଧ୍ୟରେ ପ୍ରୁଡେଣ୍ଟ ଇଲେକ୍ଟୋରଲ ଟ୍ରଷ୍ଟ ବିଜେପି, କଂଗ୍ରେସ ଓ ଆପକୁ ମୋଟ ୨୪୧୩.୪୬୫ କୋଟି ଟଙ୍କା ଦାନ କରିଛି। ଏଥିରୁ ୨,୧୮୦.୭୧୧୯ କୋଟି ଟଙ୍କା ବିଜେପିକୁ ଯାଇଥିବା ବେଳେ ୨୧୬.୩୩୫କୋଟି କଂଗ୍ରେସକୁ ଓ ୧୬.୪୧୭୮କୋଟି ଆପକୁ ମିଳିଛି।