ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୮୦ତମ ସ୍ୱାଧୀନତା ଦିବସ ପୂର୍ବ ସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି ଯେ ୨୦୪୭ ମସିହା ସୁଦ୍ଧା ଭାରତକୁ ‘ବିକଶିତ ଭାରତ’ ନିର୍ମାଣ ଲକ୍ଷ୍ୟ ସହିତ ଆମେ ଆଗକୁ ବଢୁଛୁ। ଏ କ୍ଷେତ୍ରରେ ଦେଶର ପ୍ରତ୍ୟେକ ନାଗରିକ ରାଷ୍ଟ୍ରନିର୍ମାଣରେ ଯୋଗଦାନ ଦେଉଥିବା ରାଷ୍ଟ୍ରପତି କହିଛନ୍ତି। ରାଷ୍ଟ୍ରପତି ମୁର୍ମୁ କହିଛନ୍ତି ଯେ ‘ଅପରେସନ ସିନ୍ଦୂର’ ଆତଙ୍କବାଦୀ ନେଟୱାର୍କ ବିରୋଧରେ ସଠିକ ଆକ୍ରମଣ କରିବାରେ ଭାରତୀୟ ସଶସ୍ତ୍ର ବଳର କ୍ଷମତାକୁ ସାବ୍ୟସ୍ତ କରିଛି। ସେ କହିଛନ୍ତି ଯେ ଆତଙ୍କବାଦୀଙ୍କ ଶରଣଦାତା ଦେଶ ସହ ସିନ୍ଧୁ ଜଳସନ୍ଧି ନିଲମ୍ବନ କରିବା ଦେଶର ସ୍ୱାର୍ଥ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ,ଖାସ କରି ଦେଶର ଚାଷୀଙ୍କ ଲାଗି ଏହା ଏକ ନିର୍ଣ୍ଣାୟକ ପଦକ୍ଷେପ।

ନକ୍ସଲଙ୍କଠୁ ମୁକ୍ତି ବଡ଼ ଉପଲବ୍ଧି
ଆତଙ୍କବାଦ ସହିତ ରାଷ୍ଟ୍ରପତି ଦେଶ ଭିତରେ ନକ୍ସଲବାଦ ବିରୋଧରେ ମିଳିଥିବା ସଫଳତାକୁ ମଧ୍ୟ ଦେଶ ପାଇଁ ଏକ ବଡ଼ ଉପଲବ୍ଧି ବୋଲି କହିଛନ୍ତି। ସେ କହିଛନ୍ତି ଯେ ଦୀର୍ଘ ଦଶନ୍ଧୀ ଧରି ନକ୍ସଲବାଦ ଦେଶ ପାଇଁ ଏକ ବଡ଼ ଆହ୍ୱାନ ପାଲଟିଥିଲା। ଭାରତକୁ ନକ୍ସଲ ମୁକ୍ତ କରିବା ଏକ ବଡ଼ ଉପଲବ୍ଧି ବୋଲି ସେ କହିଛନ୍ତି। ନକ୍ସଲବାଦ ଦମନ ପରେ ଏବେ ପ୍ରଭାବିତ ଅଞ୍ଚଳରେ ଉତ୍ସବର ପରିବେଶ ସୃଷ୍ଟି ହୋଇଛି ଓ ସମାଜର ସବୁ ବର୍ଗଙ୍କ ପର୍ଯ୍ୟନ୍ତ ବିକାଶର ପହଞ୍ଚ ସୁଗମ ହୋଇଛି।

ରାଷ୍ଟ୍ରପତି କହିଲେ ସ୍ୱାଧୀନତା ପରେ କିପରି ଆଗକୁ ବଢୁଛି ଭାରତ?
ରାଷ୍ଟ୍ରପତି ମୁର୍ମୁ କହିଛନ୍ତି ଯେ ୧୫ ଅଗଷ୍ଟ ୧୯୪୭ରେ ଭାରତ ସ୍ୱାଧୀନ ହୋଇଥିଲା ଓ ସବୁ ଦେଶବାସୀ ସ୍ୱାଧୀନ ଭାରତର ଭବିଷ୍ୟତ ନିର୍ମାତା ପାଲଟିଥିଲେ। ସେ କହିଛନ୍ତି ଯେ ଆଜି ନିଷ୍ଠାବାନ ଛାତ୍ର, ଶିକ୍ଷକ, ବୈଜ୍ଞାନିକ, ଇଞ୍ଜିନିୟର, ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ଶ୍ରମିକ ଓ ଚାଷୀ ସମସ୍ତେ ନିଜ କଠୋର ପରିଶ୍ରମ ବଳରେ ରାଷ୍ଟ୍ରନିର୍ମାଣ କରୁଛନ୍ତି। ଭାରତୀୟ ସଂସ୍କୃତି ଓ ସ୍ୱାଧୀନତା ସଂଗ୍ରାମର ଆଦର୍ଶକୁ ବିକାଶର ମୂଳଦୁଆ କହି ରାଷ୍ଟ୍ରପତି ମୁର୍ମୁ ବେଦବାକ୍ୟ ‘ବୟଂ ରାଷ୍ଟ୍ରେ ଜାଗୃୟମ’ର ଉଲ୍ଲେଖ କରିଛନ୍ତି ଓ କହିଛନ୍ତି ଏହି ବାକ୍ୟ ଆମକୁ ଦେଶ ଲାଗି ସର୍ବଦା ସଜାଗ ରହିବାକୁ ପ୍ରେରଣା ଦେଇ ଆସୁଛି।

ବିଭାଜନ ସ୍ମୃତି ଦିବସର ଉଲ୍ଲେଖ
ରାଷ୍ଟ୍ରପତି ଅଗଷ୍ଟ ୧୪ ତାରିଖକୁ ‘ବିଭାଜନ ବିଭିଷିକା ସ୍ମୃତି ଦିବସ’ର ଉଲ୍ଲେଖ କରି କହିଛନ୍ତି ଯେ ବିଭାଜନ ଯୋଗୁ ସାମ୍ପ୍ରଦାୟିକ ହିଂସା କାରଣରୁ ଲକ୍ଷଲକ୍ଷ ଲୋକଙ୍କୁ ଶରଣାର୍ଥୀ କରିଦେଇଥିଲା। ହେଲେ ବି ବିକଟ ପରିସ୍ଥିତିରେ ସେମାନେ ନିଜର ପରିଚୟ ହରାଇ ନଥିଲେ। ରାଷ୍ଟ୍ରପତି ଦେଶକୁ ଏକଜୁଟ କରିବାରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଐତିହାସିକ ଭୂମିକାକୁ ମନେ ପକାଇ କହିଛନ୍ତି ଯେ ସ୍ୱାଧୀନତାର ତୁରନ୍ତ ବାଦେ ୫୫୦ରୁ ଅଧିକ କ୍ଷୁଦ୍ର ରାଜ୍ୟଙ୍କୁ ଗଣତନ୍ତ୍ରର ମୁଖ୍ୟଧାରାରେ ଯୋଡିବା ଏକ ଅସାଧାରଣ କାର୍ଯ୍ୟ ଥିଲା, ଯାହାକୁ ସର୍ଦ୍ଦାର ପଟେଲ ଅତ୍ୟନ୍ତ କୁଶଳତାର ସହ ସମ୍ପୂର୍ଣ୍ଣ କରିଥିଲେ।

ଭାରତ ଗଣତନ୍ତ୍ରର ଜନନୀ
ରାଷ୍ଟ୍ରପତି ସାମ୍ବିଧାନିକ ସଂସ୍ଥା ଓ ଗଣତନ୍ତ୍ରର ଶକ୍ତି ଉପରେ ଜୋର ଦେଇଛନ୍ତି। ସେ କହିଛନ୍ତି ଭାରତ ଗଣତନ୍ତ୍ରର ଜନନୀ ଓ ସାଧାରଣ ପୃଷ୍ଠଭମିରୁ ଆସିଥିବା ଲୋକେ ମଧ୍ୟ ଅସାଧାରଣ ସଫଳତା ହାସଲ କରିପାରୁଛନ୍ତି। ସେ କହିଛନ୍ତି ଯେ ବିଧାୟିକାର କାମ ଜନତାଙ୍କ ସ୍ୱର ହେବା, କାର୍ଯ୍ୟପାଳିକାର କାମ ହେଉଛି ଜନହୀତ ଯୋଜନାକୁ କାର୍ଯ୍ୟରେ ରୂପାନ୍ତରିତ କରିବା ଓ ନ୍ୟାୟପାଳିକାର କର୍ତ୍ତବ୍ୟ କୌଣସି ନାଗରିକକୁ ସମ୍ବଳ ଅଭାବରୁ ଯେପରି ନ୍ୟାୟରୁ ବଞ୍ଚିତ ହେବାକୁ ନ ପଡେ।

୭୮ତମ ବୀରତା ପୁରସ୍କାରକୁ ମଞ୍ଜୁରୀ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨୦୨୬ ସ୍ୱାଧୀନତା ଦିବସ ପୂର୍ବ ସନ୍ଧ୍ୟାରେ ପ୍ରତିରକ୍ଷା ଓ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସଙ୍କ ନିମନ୍ତେ ୭୮ତମ ବୀରତା ପୁରସ୍କାରକୁ ମଞ୍ଜୁରୀ ଦେଇଛନ୍ତି। ଏଥିରେ ୧୩ ଜଣ ବୀର ସୈନିକଙ୍କୁ ମରଣୋପରାନ୍ତ ସମ୍ବର୍ଦ୍ଧିତ କରାଯିବ। ଏହି ପୁରସ୍କାର ତାଲିକାରେ ୯ କିର୍ତ୍ତି ଚକ୍ର(୭ ମରଣୋପରାନ୍ତ),ଶୌର୍ଯ୍ୟ ଚକ୍ର ଲାଗି ଜଣେ (ଯୁଦ୍ଧ), ୧୯ ଶୌର୍ଯ୍ୟ ଚକ୍ର (୧ ମରଣୋପରାନ୍ତ), ୫ ସେନା ମେଡାଲ (ଯୁଦ୍ଧ ପାଇଁ) , ୩୬ ସେନା ମେଡାଲ (ବୀରତା ପାଇଁ) (୫ ଜଣଙ୍କୁ ମିଳିବ ମରଣୋପରାନ୍ତ), ବୀରତା ଲାଗି ୩ ନୌସେନା ମେଡାଲ ଓ ବୀରତା ଲାଗି ୫ ବାୟୁସେନା ମେଡାଲ ସାମିଲ ଅଛି।