କୋଲକାତା: ବଲିଉଡର ଅନେକ ଫିଲ୍ମରେ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରିଥିବା ଅଭିନେତା ରାଜେଶ ଶର୍ମା ଏବେ ପଶ୍ଚିମବଙ୍ଗର ଏକ ହସ୍ପିଟାଲରେ ଜୀବନ ଓ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଏକ ଫିଲ୍ମ ସେଟରେ ତାଙ୍କୁ କୌଣସି ଏକ ପୋକ କାମୁଡ଼ି ଦେବା ପରେ ତାଙ୍କ ଅବସ୍ଥା ଗୁରୁତର ହେବାରେ ଲାଗିଥିଲା । ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ବର୍ତ୍ତମାନ ସେ ଡାକ୍ତରଙ୍କ ନରୀକ୍ଷଣରେ ଅଛନ୍ତି ।

ବଙ୍ଗାଳୀ ଅଭିନେତ୍ରୀ ସୁଦୀପା ଚାଟାର୍ଜୀ ଏକ ପ୍ରେସ୍ ନୋଟ୍ ଜାରି କରି ଏହି ଘଟଣା ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦେଇଛନ୍ତି । ସେ ସୂଚନା ଦେଇଛନ୍ତି ଯେ, ରାଜେଶ ଶର୍ମା ହାଇଦ୍ରାବାଦରେ ପ୍ରଭାସଙ୍କ ଫିଲ୍ମର ସୁଟିଂ କରୁଥିଲେ । ଏହି ସମୟରେ ତାଙ୍କ ଗୋଡ଼ରେ ଏକ ପୋକ କାମୁଡ଼ି ଦେଇଥିଲା ଏବଂ ପରେ ତାର ବିଷ ସାରା ଶରୀରରେ ବ୍ୟାପି ଯାଇଥିଲା ।

ସୁଦୀପା ଲେଖିଛନ୍ତି, ରାଜେଶ ଶର୍ମାଙ୍କୁ ଫିଲ୍ମ ସୁଟିଂ ସମୟରେ କୌଣସି ପୋକ କିମ୍ବା ବିଷାକ୍ତ ବୁଢ଼ିଆଣୀ କାମୁଡ଼ି ଦେଇଥିବା କୁହାଯାଉଛି । ଏହି ଘଟଣା ପ୍ରଭାସଙ୍କ ଫିଲ୍ମର ସୁଟିଂ ସମୟରେ ରାମୋଜୀ ଫିଲ୍ମ ସିଟିରେ ଘଟିଥିଲା । ସୁଟିଂ ସରିବା ପରେ ରାଜେଶ ସେଠାରେ ଥିବା ସ୍ଥାନୀୟ ଟେକ୍ନିସିଆନମାନଙ୍କ ସହ କଥା ହେଉଥିଲେ । ସେତିକି ବେଳେ ତାଙ୍କୁ କୌଣସି ଏକ ପୋକ କାମୁଡ଼ି ଦେଇଥିଲା । ସେହି ସମୟରେ ଏହା ଏତେ ଗମ୍ଭୀର ଜଣାପଡ଼ି ନ ଥିଲା, ତେଣୁ ସେ ତୁରନ୍ତ ଡାକ୍ତରଙ୍କ ପାଖକୁ ଯାଇ ନ ଥିଲେ ।

ସେ ଜଣାଇଛନ୍ତି, "ପ୍ରାୟ ୬ ଘଣ୍ଟା ପରେ ତାଙ୍କ ଡାହାଣ ଗୋଡ଼ରେ ପ୍ରବଳ ଯନ୍ତ୍ରଣା ଆରମ୍ଭ ହୋଇଥିଲା ଏବଂ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାକୁ ଲାଗିଲା । ଏହା ସତ୍ତ୍ୱେ ସେ କୋଲକାତା ଯାଉଥିବା ବିମାନରେ ବସିପଡ଼ିଲେ । ଯାତ୍ରା ସମୟରେ ତାଙ୍କୁ ପ୍ରବଳ ଜ୍ୱର ହେଲା ଏବଂ ଅବସ୍ଥା ଆହୁରି ଖରାପ ହୋଇଗଲା । ପରଦିନ ତାଙ୍କୁ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଗଲା । ଏବେ ଗୋଟିଏ ଦିନରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ତାଙ୍କୁ ପ୍ରବଳ ଜ୍ୱର ହେଉଛି ଏବଂ ନିଶ୍ୱାସ ନେବାରେ କଷ୍ଟ ହେଉଛି । ତାଙ୍କ ଡାହାଣ ଗୋଡ଼ର ସଂକ୍ରମଣ ବ୍ୟାପିଯାଇଛି । ଗୋଡ଼ର ଆଙ୍ଗୁଠିରୁ ଆରମ୍ଭ କରି ଆଣ୍ଠୁ ପର୍ଯ୍ୟନ୍ତ ସଂକ୍ରମଣ ବ୍ୟାପିଛି । ଗୋଡ଼ ସାରା ବଡ଼ ବଡ଼ ଫୋଟକା ହୋଇଯାଇଛି ।"

ସୁଦୀପାଙ୍କ କହିବା ଅନୁସାରେ, ରାଜେଶ ଶର୍ମାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ବର୍ତ୍ତମାନ ଡାକ୍ତରମାନେ ମଧ୍ୟ ସ୍ପଷ୍ଟ ଭାବେ କିଛି କହିପାରୁନାହାନ୍ତି। ସେମାନେ ଅଭିନେତାଙ୍କ ଉପରେ ନଜର ରଖିଛନ୍ତି । ଡାକ୍ତରମାନେ ଚିନ୍ତିତ ଯେ ଯଦି ସଂକ୍ରମଣ ବଢ଼େ, ତେବେ ରକ୍ତ ଜମାଟ ବାନ୍ଧିପାରେ । ଯଦି ଏହି ରକ୍ତ ଜମାଟ ଫୁସଫୁସ ପର୍ଯ୍ୟନ୍ତ ପହଞ୍ଚିଯାଏ, ତେବେ ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ ।