ଭୁବନେଶ୍ବର: ବସ୍ତିବାସିନ୍ଦା ପାଇଥିବା ଘର ଯଦି ଭଡ଼ାରେ ଦେବେ ତା’ହେଲେ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ। ଏଭଳି କଡ଼ା ଚେତାବନୀ ଦେଇଛନ୍ତି ମେୟର ସୁଲୋଚନା ଦାସ। ମଙ୍ଗଳବାର ବିଏମସି ପକ୍ଷରୁ ଶତାଧିକ ପରିବାରଙ୍କୁ ଲଟେରୀ ମାଧ୍ୟମରେ ଗୃହ ଆବଣ୍ଟନ କରାଯାଇଛି। ଏକାମ୍ର ଭିଲ୍ଲା, ମା’ ଭଗବତୀ ବସ୍ତି, ସାଲିଆ ସାହି, ଭୋଇ ନଗର ଏବଂ ସରସ୍ୱତୀ ବସ୍ତିର ମୋଟ ୧୩୮ଟି ପରିବାରଙ୍କୁ ଚନ୍ଦ୍ରଶେଖରପୁର ବୁଦ୍ଧ ବିହାର ଆଫର୍ଡେବୁଲ ହାଉସିଂ ପ୍ରକଳ୍ପ ଜରିଆରେ ଗୃହ ପ୍ରଦାନ କରାଯାଇଛି।

ଭୁବନେଶ୍ୱର ମେୟରଙ୍କ ସମେତ ଡେପୁଟି ମେୟର, କମିଶନର, ଅତିରିକ୍ତ କମିଶନର, ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷା ଏବଂ କର୍ପୋରେଟରମାନେ ହିତାଧିକାରୀଙ୍କୁ ଗୃହ ଆବଣ୍ଟନ କରିଛନ୍ତି। ବସ୍ତିବାସିନ୍ଦାଙ୍କୁ ସେମାନଙ୍କ ସ୍ୱପ୍ନର ଘର ସହ ସମସ୍ତ ପ୍ରକାର ସୁବିଧା ବିଏମସି ପକ୍ଷରୁ ଯୋଗାଇ ଦିଆଯାଉଛି।

ମିଳିଥିବା ଘର ଭଡ଼ାରେ ଦେଲେ ହେବ କାର୍ଯ୍ୟାନୁଷ୍ଠାନ: ମେୟର

ହେଲେ ହିତାଧିକାରୀମାନେ ଯେପରି ଏହି ଘରକୁ ଭଡ଼ାରେ ନଦିଅନ୍ତି, ସେଥିପ୍ରତି ସଚେତନ ରହିବା ଦରକାର। ଯଦି କେହି ଭଡ଼ା ଦେଇଥିବା ବିଏମସି ନଜରକୁ ଆସିଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାଇ ଦେଇଛନ୍ତି ମେୟର। ସ୍ଥାନାନ୍ତର ହେଉଥିବା ଲୋକେ ଯେପରି ହାତ ପାଆନ୍ତାରେ ପାନୀୟ ଜଳ, ବିଦ୍ୟୁତ, ବର୍ଜ୍ୟ ନିଷ୍କାସନ ଭଳି ସମସ୍ତ ପ୍ରକାର ସୁବିଧା ପାଇପାରିବେ ତା’ର ବ୍ୟବସ୍ଥା କରାଯାଇଛି।