ପାଟଣାଗଡ଼ ୧୬।୧୧ : ସାମାନ୍ୟ ବଚସାରୁ ବଡ଼ଭାଇକୁ ହତ୍ୟା । କାଠରେ ପିଟି ପିଟି ବଡ଼ଭାଇଙ୍କ ଜୀବନ ନେଇଗଲା ସାନଭାଇ। ହତ୍ୟା ଅଭିଯୋଗରେ ଅଭିଯୁକ୍ତ ସାନଭାଇକୁ ଗିରଫ କରି କୋର୍ଟ ଚାଲାଣ କରିଛି ପାଟଣାଗଡ଼ ପୋଲିସ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ ବାଲିପଟା ଗାଁରେ।

ଖବର ଅନୁଯାୟୀ, ସାମାନ୍ୟ କଥାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ବଚସା ହୋଇଥିଲା। ଆଉ ଏହି ବଚସାରୁ ଘଟିଗଲା ଭୟଙ୍କର ପରିଣତି। ଉତ୍ତ୍ୟକ୍ତ ସାନଭାଇର ଆକ୍ରମଣରେ ଚାଲିଗଲା ବଡ଼ଭାଇଙ୍କ ଜୀବନ। ଦୁଃଶାସନ ମାଝୀଙ୍କ ଦୁଇ ପୁଅ ଭୃମରାଜ ଓ ପ୍ରେମାନନ୍ଦ ରାତିରେ ଘରେ ଖାଇସାରିବା ପରେ ନିଜ ଜମିରେ ଥିବା ଘରକୁ ଶୋଇବା ପାଇଁ ଯାଇଥିଲେ। ସେଠାରେ କୌଣସି କାରଣକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ଯୁକ୍ତିତର୍କ ଓ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ସାନଭାଇ ପ୍ରେମାନନ୍ଦ ଖଟର କାଠରେ ବଡ଼ଭାଇ ଭୃମରାଜଙ୍କୁ ଆକ୍ରମଣ କରିଥିଲେ। ଫଳରେ ଭୃମରାଜଙ୍କ ମୃତ୍ୟୁ ହୋଇଥିଲା।

Also Read:-ୟୁକ୍ରେନ୍ ଆଗରେ ଆମେରିକାର ଅଜବ ସର୍ତ୍ତ : 'ଡୋନବାସ୍ ଛାଡ଼ିଲେ ନାଟୋରେ ମିଶାଇବୁ'

ସେପଟେ ଏ ସମ୍ପର୍କରେ ଜାଣିବା ପରେ ବାପା ଦୁଃଶାସନ ମାଝୀ ପାଟଣାଗଡ଼ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଅଭିଯୁକ୍ତ ପ୍ରେମାନନ୍ଦ ମାଝୀଙ୍କୁ ଗିରଫ କରିଛି। ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। କାଠରେ ପିଟି ପିଟି ବଡ଼ଭାଇଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଏବେ ଜେଲ୍ ଯାଇଛି ସାନଭାଇ।