ନୂଆଦିଲ୍ଲୀ, ୧୬।୧୧ : ତୁର୍କୀ ଠାରୁ ପାକିସ୍ତାନ ୧ ଲକ୍ଷ ମର୍କୁଟ ଏଫବିଭି ଡ୍ରୋନ୍ ଓ ଅନ୍ୟ କେତେକ ମାନବ ବିହୀନ ଡ୍ରୋନ୍ କିଣିବ । ଏଥିପାଇଁ ପାକିସ୍ତାନର ଏନଆରଟିସି କର୍ପୋରେସନ ଓ ତୁର୍କୀର ପ୍ରତିରକ୍ଷା କମ୍ପାନି ପ୍ୟାସିଫିକ ଟେକ୍ନୋଲୋଜି ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି। ୩ ବର୍ଷ ଭିତରେ ତୁର୍କୀ ଏସବୁ ଡ୍ରୋନ ପାକିସ୍ତାନକୁ ପ୍ରଦାନ କରିବ ବୋଲି ବୁଝାମଣା କରାଯାଇଛି।

ଏହା ପୂର୍ବରୁ ତୁର୍କୀଠାରୁ ପାକିସ୍ତାନ ୧୦ଟି ଆଲପିନ୍ ମାନବ ବିହୀନ ହେଲିକପ୍ଟର, ୨୫ଟି ଡୁମୁରୁଲ ଇଲେକ୍ଟ୍ରିକ ମିନି ହେଲିକପ୍ଟର, ୫୦୦ଟି ଡେଲି ଲୟଟରିଂ ମ୍ୟୁନିସନ ଏବଂ ୨୫୦ କୋରଗାନ୍ ଗ୍ରାଉଣ୍ଡ ସିଷ୍ଟମ କିଣିବାକୁ ବୁଝାମଣା କରିଥିଲା । ଏସବୁ ପ୍ରତିରକ୍ଷା ସାମଗ୍ରୀର ପରୀକ୍ଷା ନୀରିକ୍ଷା କରାଯିବା ପରେ ତାହା ପାକିସ୍ତାନୀ ସେନାକୁ ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି।

Also Read :-ମାଡ଼ି ଆସୁଛି ଅକଭାନ୍ : ଜଣା ପଡିଲା କେଉଁଠି କରିବ ଲ୍ୟାଣ୍ଡଫଲ୍, ଏଇଠି ବେଶି ବିପଦ !

ତୁର୍କୀ ସହ ହୋଇଥିବା ବୁଝାମଣା ଅନୁସାରେ ପାକିସ୍ତାନ କେବଳ ଡ୍ରୋନ କିଣିବ ନାହିଁ, ବରଂ ପାକିସ୍ତାନରେ ଉକ୍ତ ଡ୍ରୋନ ମଧ୍ଯ ନିର୍ମାଣ କରାଯିବ। ଏଥିପାଇଁ ତୁର୍କୀ ଆବଶ୍ୟକ ସମସ୍ତ ବୈଷୟିକ କୌଶଳ ଓ ଯନ୍ତ୍ରାଂଶ ଯୋଗାଇଦେବ। ମର୍କୁଟ ଏଫବିଭି ଡ୍ରୋନ ୨୦ରୁ ୩୦ ମିନିଟ୍ ପର୍ଯ୍ୟନ୍ତ ଆକାଶରେ ରହିବା ସହ ଏହାର ଲକ୍ଷ୍ୟଭେଦ କ୍ଷମତା ୮ କି.ମି ରହିଛି । ଏହା ପ୍ରାୟ ୧ ହଜାର ଷ୍ଟିଲ ବଲ୍ ବହନ କରିପାରିବ ଏବଂ ୨୦ ମିଟର ପରିସରକୁ ଧ୍ବଂସ କରିପାରିବ।

ସେହିଭଳି ଆଲପିନ୍ ହେଲିକପ୍ଟର ୨୦୦ କି.ଗ୍ରା ପର୍ଯ୍ୟନ୍ତ ଇନ୍ଧନ କିମ୍ବା ଯୁଦ୍ଧାସ୍ତ୍ର ସାମଗ୍ରୀ ବହନ କରିପାରିବ। ଏହା ଉଭୟ ଦିନ ଓ ରାତିରେ କାର୍ଯ୍ୟ କରିପାରିବ। ଏଥିରେ ଥର୍ମାଲ ଇମେଜିଂ କ୍ୟାମେରା ଓ ନାଇଟ ଭିଜନ କ୍ୟାମେରା ଲଗାଯାଇଛି। ଡୁମରୁଲ ଇଲେକ୍ଟ୍ରିକ ମିନି ହେଲିକପ୍ଟର ଅଳ୍ପ ଦୂରତାରୁ ଶତ୍ରୁର ଗତିବିଧି ଉପରେ ନଜର ରଖିବା ସହ ଆକ୍ରମଣ ମଧ୍ଯ କରିପାରିବ । ଏହା ବିନା ଶବ୍ଦରେ ଦୁଇଘଣ୍ଟା ଯର୍ଯ୍ୟନ୍ତ ଆକାଶରେ ରହିପାରିବ ଏବଂ ପରବର୍ତ୍ତୀ ସମୟରେ ଏହାର ସମୟକୁ ପରବର୍ଦ୍ଧିତ କରିହେବ।

ଦୁଇଦେଶ ମଧ୍ୟରେ ପ୍ରତିରକ୍ଷା ସାମଗ୍ରୀ କଣିବାକୁ ହୋଇଥିବା ବୁଝାମଣା ତୁର୍କୀ ଓ ପାକିସ୍ତାନ ମଧ୍ୟରେ ରହିଥିବା ସମ୍ପର୍କକୁ ପ୍ରମାଣିତ କରୁଛି। ୨୦୨୫ରେ ଉଭୟ ଦେଶ ମିଳିତ ଭାବେ ବିମାନ ଉତ୍ପାଦନ କରିବାକୁ ଘୋଷଣା କରିଛନ୍ତି। ତୁର୍କୀର ପଞ୍ଚମ ପିଢ଼ିର କାନ୍ ଯୁଦ୍ଧ ବିମାନ ଉଭୟ ଦେଶ ମିଳିତ ଭାବେ ନିର୍ମାଣ କରିବେ।