ନୂଆଦିଲ୍ଲୀ: ଆମେରିକାର ଡିଟେନସନ୍‌ ସେଣ୍ଟର ବା ଅଟକ କେନ୍ଦ୍ରରେ ଜଣେ ଲେବାନନ୍‌ ମହିଳାଙ୍କୁ ଯୌନ ନିର୍ଯାତନା ନେଇ ଅଭିଯୋଗ ହୋଇଛି । ଜଣେ ୨୧ ବର୍ଷୀୟ ମହିଳାଙ୍କ ଇମିଗ୍ରେସନ୍ ଆଣ୍ଡ କଷ୍ଟମ୍ସ ଏନଫୋର୍ସମେଣ୍ଟ ଅଧିକାରୀ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ କରିଛନ୍ତି ପୀଡ଼ିତା ।
ରାହାଫ୍ ଅଲି ଅଲମରହିଜ୍ ନାମକ ମହିଳା ଅଭିଯୋଗ କରିଛନ୍ତି ଯେ, ଆମେରିକାର ଇମିଗ୍ରେସନ୍ ଆଣ୍ଡ କଷ୍ଟମ୍ସ ଏନଫୋର୍ସମେଣ୍ଟର ଜଣେ ଅଧିକାରୀ ମାର୍କେଲ୍ ୱାଲେସ୍ ତାଙ୍କୁ ଏକ ନିର୍ଜନ କୋଠରୀକୁ ନେଇ ଅସଦାଚରଣ କରିଥିଲେ । ଏହାସହ ଶାରୀରିକ ସମ୍ପର୍କ ରଖିବା ବଦଳରେ ତାଙ୍କୁ ଆମେରିକାର 'ଗ୍ରୀନ୍ କାର୍ଡ' କରାଇଦେବାକୁ ପ୍ରଲୋଭନ ଦେଖାଇଥିଲେ । 

ଅନ୍ତର୍ଜାତୀୟ ଗଣମାଧ୍ୟମ 'ନ୍ୟୁଜୱିକ୍' କୁ ଦେଇଥିବା ଏକ ସାକ୍ଷାତକାରରେ ପୀଡ଼ିତା କହିଛନ୍ତି ଯେ, ରେମଣ୍ଡଭିଲେସ୍ଥିତ ଏଲ୍ ଭାଲେ ଡିଟେନସନ୍ ଫେସିଲିଟିରେ ତାଙ୍କୁ ଅଟକ ରଖାଯାଇଥିବା ବେଳେ ଏହି ଘଟଣା ଘଟିଥିଲା । ଅଧିକାରୀ ଜଣକ ତାଙ୍କୁ ଏକ ଆପେଆପେ ବନ୍ଦ କୋଠରୀ ଭିତରକୁ ଡାକିନେଇ ତାଙ୍କ ବିନା ଅନୁମତିରେ ତାଙ୍କୁ ସ୍ପର୍ଶ କରିଥିଲେ । କେବଳ ସେତିକି ନୁହେଁ, ଯଦି ସେ ଏଥିରେ ରାଜି ନ ହୁଅନ୍ତି ତେବେ ତାଙ୍କ ସ୍ୱାମୀଙ୍କୁ ଜେଲରେ ପୂରାଇବା ସହ ଦେଶରୁ ବହିଷ୍କାର କରିଦେବାକୁ ମଧ୍ୟ ଧମକ ଦେଇଥିଲେ । ଅଧିକାରୀ ଜଣକ ତାଙ୍କୁ କହିଥିଲେ ଯେ,‘ମୁଁ ତୁମକୁ ଗ୍ରୀନ୍ କାର୍ଡ ଦେବି, ତୁମ ସ୍ୱାମୀ ଜଣେ ବୟସ୍କ ବ୍ୟକ୍ତି ଏବଂ ସେ ତୁମ ପାଇଁ କିଛି କରିପାରିବେ ନାହିଁ । କେବଳ ମୁଁ ହିଁ ତୁମକୁ ସାହାଯ୍ୟ କରିପାରିବି ।’

ସୂଚନା ଅନୁଯାୟୀ, ୨୦୨୪ ଅଗଷ୍ଟ ମାସରେ ମଣ୍ଟ୍ରିଲରୁ ବେଆଇନ ଭାବେ ଆମେରିକାରେ ପ୍ରବେଶ କରିଥିବା ଅଭିଯୋଗରେ ଅଲମରହିଜଙ୍କୁ ଗତ ଫେବୃଆରୀ ମାସରେ ରିଓ ଗ୍ରାଣ୍ଡେ ଭ୍ୟାଲି ନିକଟରୁ ଗିରଫ କରାଯାଇଥିଲା । ଏପ୍ରିଲ ୨୦୨୬ରେ ତାଙ୍କ ଓକିଲ ମାମଲାରୁ ଓହରିଯିବା ପରେ ସେ ବିନା କୌଣସି ଆଇନଗତ ସହାୟତାରେ ଅଟକ କେନ୍ଦ୍ରରେ ଥିଲେ । ଏହି ସମୟରେ ଅନ୍ୟ ତଦନ୍ତକାରୀଙ୍କ ସହ ସାକ୍ଷାତକାର ପୂର୍ବରୁ ମାମଲା ବିଷୟରେ ଆଲୋଚନା କରିବା ବାହାନାରେ ଅଧିକାରୀ ୱାଲେସ୍ ତାଙ୍କୁ ଏକ ଛୋଟ ନିର୍ଜନ କୋଠରୀକୁ ନେଇଯାଇଥିଲେ । 

ମହିଳା କହିଛନ୍ତି ଯେ, କୋଠରୀ ଭିତରେ ସେମାନେ ଏକୁଟିଆ ଥିବା ବେଳେ ଅଧିକାରୀ ଜଣକ ଅତ୍ୟନ୍ତ ଅମାନୁଷିକ ଭାବେ ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ । ସମ୍ପୃକ୍ତ ଅଧିକାରୀଙ୍କ ହାତରେ ତାଙ୍କ ମାମଲା, ମୁକ୍ତି ଓ ଚିକିତ୍ସା ସୁବିଧାର ନିୟନ୍ତ୍ରଣ ଥିବାରୁ ସେ ଭୟରେ ସେଠାରୁ ବାହାରି ପାରିନଥିଲେ । ଏପରିକି ଅଧିକାରୀ ଜଣକ ତାଙ୍କୁ ନିଜ ଫୋନ୍ ନମ୍ବର ଦେଇଥିଲେ ଏବଂ ମେକ୍ସିକୋ ଆସି ଭେଟିବାକୁ ମଧ୍ୟ ପ୍ରସ୍ତାବ ଦେଇଥିଲେ । 

ଅନ୍ୟପଟେ, ମହିଳାଙ୍କ ସ୍ୱାମୀ ସାମ୍ ୱାଇଜ୍ କହିଛନ୍ତି ଯେ, ତାଙ୍କ ପତ୍ନୀ ଅଟକ କେନ୍ଦ୍ରରୁ ମୁକୁଳିବାର ଅନେକ ମାସ ପରେ ଅଗଷ୍ଟରେ ଜଣେ ବନ୍ଧୁଙ୍କ ଜରିଆରେ ସେ ଏହି ଘଟଣା ବିଷୟରେ ଜାଣିବାକୁ ପାଇଥିଲେ । ଲୋକଲଜ୍ଜା ଏବଂ ସ୍ୱାମୀ ତାଙ୍କୁ ଛାଡ଼ି ଚାଲିଯିବା ଭୟରେ ସେ ଏହି କଥାକୁ ଲୁଚାଇ ରଖିଥିଲେ । ସାମ୍ କହିଛନ୍ତି ଯେ, ସେ ନିଜ ପତ୍ନୀଙ୍କୁ ସୁରକ୍ଷା ଦେଇପାରିନଥିବାରୁ ନିଜକୁ ଦୋଷୀ ମନେ କରୁଛନ୍ତି ଏବଂ ସେ ଏତେ ମାସ ଧରି ଏକାକୀ ଏହି ଯନ୍ତ୍ରଣା ସହିଥିବାରୁ ତାଙ୍କୁ ବହୁତ କଷ୍ଟ ହେଉଛି । ତେବେ ଏଥିରେ ଲଜ୍ଜା ତାଙ୍କ ପତ୍ନୀଙ୍କର ନୁହେଁ ବରଂ ସମ୍ପୃକ୍ତ ଅଧିକାରୀଙ୍କର ହେବା ଉଚିତ । 

ଏହି ଘଟଣାକୁ ନେଇ ଆମେରିକାର ହୋମଲ୍ୟାଣ୍ଡ ସିକ୍ୟୁରିଟି ବିଭାଗ ପ୍ରତିକ୍ରିୟା ଦେଇଛି । ଜଣେ ମୁଖପାତ୍ର କହିଛନ୍ତି ଯେ, ଏଲ୍ ଭାଲେ ଡିଟେନସନ୍ ଫେସିଲିଟିରେ ଅସଦାଚରଣ ନେଇ ହେଉଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା । ଏଭଳି ଅଭିଯୋଗକୁ ବିଭାଗ ପକ୍ଷରୁ ଅତ୍ୟନ୍ତ ଗମ୍ଭୀରତାର ସହ ନିଆଯାଇ ନିରପେକ୍ଷ ତଦନ୍ତ କରାଯାଏ ଏବଂ ଯଦି କୌଣସି ସତ୍ୟତା ମିଳେ ତେବେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ ବୋଲି ସେ ସ୍ପଷ୍ଟ କରିଛନ୍ତି । ତେବେ ଆମେରିକାର ଏକ ଅଟକ କେନ୍ଦ୍ରରେ ମହିଳାମାନଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରକ୍ଷକ ହୋଇ ଭକ୍ଷକ ସାଜୁଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି ପୀଡ଼ିତା ଏବଂ ତାଙ୍କ ପରିବାର ।