ନୂଆଦିଲ୍ଲୀ, ୧୬।୧୧ : ୟୁକ୍ରେନକୁ ନାଟୋ ସଦସ୍ୟତା ମିଳିବ। କିନ୍ତୁ ତା ବଦଳରେ ୟୁକ୍ରେନକୁ ସମ୍ପୂର୍ଣ୍ଣ ଡୋନବାସ ଅଞ୍ଚଳକୁ ରୁଷ ହାତରେ ଟେକି ଦେବାକୁ ହେବ। ଆମେରିକା ପକ୍ଷରୁ ୟୁକ୍ରେନକୁ ଏଭଳି ପ୍ରସ୍ତାବ ଦିଆଯାଇଛି। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଆବୁଧାବିରେ ରୁଷ, ୟୁକ୍ରେନ ଓ ଆମେରିକା ମଧ୍ୟରେ ହୋଇଥିବା ଶାନ୍ତି ଆଲୋଚନା ବେଳେ ମାର୍କିନ ଅଧିକାରୀମାନେ ଏଭଳି ପ୍ରସ୍ତାବ ରଖିଥିଲେ। ସେମାନେ କହିଥିଲେ ୟୁକ୍ରେନ ଯଦି ଡୋନବାସରୁ ନିଜ ସେନାକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବ ତେବେ ତାକୁ ନାଟୋ ସଦସ୍ୟ ଭାବେ ସାମିଲ କରା ନରାଯିବ। କିନ୍ତୁ ୟୁକ୍ରେନ କୌଣସି ପରିସ୍ଥିତିରେ ନିଜର ଜମି ରୁଷ ହାତରେ ଟେକିଦେବ ନାହିଁ ବୋଲି ଜେଲେନସ୍କି ସ୍ପଷ୍ଟ କରିଦେଇଛନ୍ତି ।

ତେବେ ଜେଲେନସ୍କି କହିଛନ୍ତି ଯଦି ଆମେରିକା ଓ ନାଟୋ ସଦସ୍ୟ ରାଷ୍ଟ୍ରମାନେ ୟୁକ୍ରେନକୁ ସୁରକ୍ଷା ଗ୍ୟାରେଣ୍ଟି ଦିଅନ୍ତି ତେବେ ଡୋନବାସରୁ ସେନା ପ୍ରତ୍ୟାହାର କରିବା ପ୍ରସ୍ତାବ ଉପରେ ଦେଶବାସୀଙ୍କ ମତ ଲୋଡିବେ । ଏଥିପାଇଁ ଦେଶରେ ଜନମତ ସଂଗ୍ରହ କରାଯିବ। କାରଣ ସେ ଏତେବଡ ନିଷ୍ପତ୍ତି ଏକାକୀ ନେଇପାରିବେ ନାହିଁ । ୟୁକ୍ରେନ ପାଖରେ ନିଜର ମଜଭୁତ ସେନା ରହିବା ଆବଶ୍ୟକ ଏବଂ ନାଟୋ ଦେଶ ନିକଟରୁ ସୁରକ୍ଷା ଗ୍ୟାରେଣ୍ଟି ମିଳିବା ଦରକାର। ତେବେ ଏଭଳି ପ୍ରସ୍ତାବ ଉପରେ ହୁଏତ ବିଚାର କରାଯାଇପାରେ।

ଦୀର୍ଘ ୯ ମାସରେ ଆମେରିକାର ମଧ୍ୟସ୍ଥତାରେ ରୁଷ ଓ ୟୁକ୍ରେନ ମଧ୍ୟରେ ଆବୁଧାବିରେ ପ୍ରଥମ ପ୍ରତ୍ୟକ୍ଷ ବୈଠକ ହୋଇଥିଲା। କିନ୍ତୁ ବୈଠକରେ କୌଣସି ବଡ ନିଷ୍ପତ୍ତି ନିଆଯାଇପାରି ନଥିଲା। କେବଳ ଉଭୟ ଦେଶ ୧ ହଜାରରୁ ଅଧିକ କଏଦୀ ଅଦଳବଦଳ କରିବା ନେଇ ସହମତ ହୋଇଥିଲେ।

ପୂର୍ବାଞ୍ଚଳରେ ଦୁଇଟି ପ୍ରଦେଶ

ୟୁକ୍ରେନର ପୂର୍ବାଞ୍ଚଳରେ ରହିଛି ଦୁଇଟି ପ୍ରଦେଶ । ଡୋନବାସ୍ ଡୋନେସ୍କ ଓ ଲୁହଂସ୍କକୁକୁ ନେଇ ଗଠିତ । ରୁଷ ବହୁଦିନ ହେଲା ଏହି ଅଞ୍ଚଳକୁ କବଜା କରିବା ଲାଗି ଉଦ୍ୟମ କରିଆସୁଛି। ଏହାର ସର୍ବାଧିକ ଅଞ୍ଚଳ ରୁଷୀୟ ସେନା ନିୟନ୍ତ୍ରଣରେ ରଖିଛି। କିନ୍ତୁ ୟୁକ୍ରେନ ସେନାର ପ୍ରବଳ ବିରୋଧ ଯୋଗୁ ସମ୍ପୂର୍ଣ ଅଞ୍ଚଳକୁ କବଜା କରିବା ସମ୍ଭବ ହୋଇପାରିନାହିଁ । ୟୁକ୍ରେନ ନାଟୋରେ ସାମିଲ ହେବାକୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବିରୋଧ କରି ଆସୁଛନ୍ତି । ତାଙ୍କର ଯୁକ୍ତି ନାଟୋର ସମ୍ପ୍ରସାରଣ ହେଲେ ତାହା ଆଗାମୀ ଦିନରେ ରୁଷ ପ୍ରତି ବିପଦ ସୃଷ୍ଟି କରିବ।

Also Read :- ବଡ଼ ପ୍ଲାନ୍ କରୁଛି ପାକିସ୍ତାନ : ତୁର୍କୀରୁ କିଣିବ ୧ ଲକ୍ଷ ଡ୍ରୋନ୍ ! ଭାରତ ସହ କରିବ କି ଯୁଦ୍ଧ ?

ଗତ ୨୦୨୨ ଫେବ୍ରୁଆରୀରେ ୟୁକ୍ରେନ ଉପରେ ରୁଷ ଆକ୍ରମଣ କରିଥିଲା। ୟୁକ୍ରେନ ନାଟୋରେ ସାମିଲ ହେବାକୁ ଉଦ୍ୟମ କରୁଥିବା ଅଭିଯୋଗ ଆଣି ରୁଷ ଏହି ଆକ୍ରମଣ କରିଥିଲା। ଯୁଦ୍ଧ ଯୋଗୁ ୟୁକ୍ରେନର ପ୍ରାୟ ୨୦ ପ୍ରତିଶତ ଅଞ୍ଚଳକୁ ରୁଷ ନିଜ ନିୟନ୍ତ୍ରଣକୁ ନେଇଯାଇଛି।