ନୂଆଦିଲ୍ଲୀ: ପାକିସ୍ତାନ ସେନାର ଜଣେ ପୂର୍ବତନ କ୍ୟାପ୍ଟେନ୍ ରେହମାନ ଗୁଲ୍ ଓରଫ ମୁରିଦ୍ ଏବେ ବିଦ୍ରୋହୀ ସଂଗଠନ 'ବଲୁଚ୍ ଲିବରେସନ୍ ଆର୍ମି' (BLA) ର ନୂତନ ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। 'ଦ ବଲୁଚିସ୍ତାନ ପୋଷ୍ଟ' ର ଏକ ରିପୋର୍ଟ ଅନୁଯାୟୀ, ସଂଗଠନର ବରିଷ୍ଠ କମାଣ୍ଡ କାଉନସିଲର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶନିବାର ଦିନ ଏହି ନେତୃତ୍ୱ ପରିବର୍ତ୍ତନ ପ୍ରକ୍ରିୟା ଶେଷ ହୋଇଛି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ରେହମାନ ଗୁଲ୍‌ ସେହି ପାକିସ୍ତାନୀ ସେନା ବିରୋଧରେ ଅସ୍ତ୍ର ଉଠାଇଛନ୍ତି, ଯେଉଁଠି ସେ ଦିନେ କାର୍ଯ୍ୟ କରୁଥିଲେ । ସେ ପୂର୍ବରୁ ପାକିସ୍ତାନ ସେନାରେ କ୍ୟାପ୍ଟେନ୍ ଭାବେ କାର୍ଯ୍ୟ କରିବା ସହ ୱାଜିରିସ୍ତାନରେ ପାକିସ୍ତାନୀ ତାଲିବାନ ବିରୋଧୀ ଅଭିଯାନରେ ମଧ୍ୟ ସାମିଲ ଥିଲେ। ସେନା ଚାକିରି ଛାଡ଼ିବାର ପ୍ରାୟ ୧୬ ବର୍ଷ ପରେ, ସେ ଏବେ ଇସଲାମାବାଦକୁ ସିଧାସଳଖ ଚ୍ୟାଲେଞ୍ଜ ଦେଉଛନ୍ତି ।

ଏହି ନେତୃତ୍ୱ ପରିବର୍ତ୍ତନ ପୂର୍ବରୁ ବିଏଲଏର ପୂର୍ବତନ କମାଣ୍ଡର-ଇନ୍-ଚିଫ୍ ବଶିର ଜେବ୍ ବଲୁଚ୍ ନିଜ ପଦରୁ ଇସ୍ତଫା ଦେଇଥିଲେ ।  ସଂଗଠନର ସମସ୍ତ ପ୍ରଶାସନିକ, ସାମରିକ ଓ ନୀତି ନିର୍ଦ୍ଧାରଣ କ୍ଷମତା ସିନିୟର କମାଣ୍ଡ କାଉନସିଲକୁ ହସ୍ତାନ୍ତର କରାଯାଇଥିଲା। ବିଏଲଏ ମୁଖପାତ୍ର ଜିୟାନ୍ଦ ବଲୁଚଙ୍କ  ଜାରି କରିଥିବା ବିବୃତ୍ତି ଅନୁଯାୟୀ, ସିନିୟର କମାଣ୍ଡ କାଉନସିଲର ସର୍ବସମ୍ମତିକ୍ରମେ ରେହମାନ ଗୁଲ୍‌ଙ୍କୁ ନୂଆ ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି । ଏହି ନିଷ୍ପତ୍ତିକୁ ସଂଗଠନର ଶୀର୍ଷ ନେତୃତ୍ୱ ଏବଂ ସମସ୍ତ କମାଣ୍ଡରଙ୍କ ପୂର୍ଣ୍ଣ ସମର୍ଥନ ମିଳିଛି। 

ଏହା ପୂର୍ବରୁ ଗୁଲ୍ ସିନିୟର କମାଣ୍ଡ କାଉନସିଲର ସଦସ୍ୟ ରହିବା ସହ ସଂଗଠନର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ 'ମଜିଦ ବ୍ରିଗେଡ୍' ର ନେତୃତ୍ୱ ନେଉଥିଲେ। ଗୁଲ୍‌ଙ୍କ ନେତୃତ୍ୱରେ ଜାତୀୟ ମୁକ୍ତି ସଂଗ୍ରାମ ନୂଆ ଉତ୍ସାହ ଓ ପୂର୍ଣ୍ଣ ଶକ୍ତିର ସହ ଜାରି ରହିବ ବୋଲି ସଂଗଠନ ପକ୍ଷରୁ ଦୃଢ଼ୋକ୍ତି ପ୍ରକାଶ କରାଯାଇଛି। ସୂଚନାଯୋଗ୍ୟ ଯେ, ୨୦୧୮ ଡିସେମ୍ବରରେ ଏକ ଆତ୍ମଘାତୀ ଆକ୍ରମଣରେ ଅସଲମ ବଲୁଚଙ୍କ ମୃତ୍ୟୁ ହେବା ପରେ 'ବଲୁଚ୍ ଷ୍ଟୁଡେଣ୍ଟସ୍ ଅର୍ଗାନାଇଜେସନ୍-ଆଜାଦ୍'ର ପୂର୍ବତନ ଅଧ୍ୟକ୍ଷ ବଶିର ଜେବ୍ ବଲୁଚ୍ ବିଏଲଏର ମୁଖ୍ୟ ହୋଇଥିଲେ। ୨୦୧୮ ମସିହାରେ ସଂଗଠନର ପୁନର୍ଗଠନ ସମୟରେ ଅସଲମ ବଲୁଚ୍ ଯେଉଁ ନୀତି ପ୍ରଣୟନ କରିଥିଲେ, ସେହି ଆଧାରରେ ହିଁ ଏହି ନେତୃତ୍ୱ ପରିବର୍ତ୍ତନ କରାଯାଇଛି। 
ସଂଗଠନର କହିବା ଅନୁଯାୟୀ, ଏହି ନୀତି ବଂଶାନୁକ୍ରମିକ ରାଜନୀତି ।  ଆଜୀବନ ନେତୃତ୍ୱ ପ୍ରଥାକୁ ଶେଷ କରିଛି। ବିବୃତ୍ତିରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ଏହି ଆନ୍ଦୋଳନରେ ଜଣେ କମାଣ୍ଡର ଯେତେ ପ୍ରଭାବଶାଳୀ କିମ୍ବା ଉଚ୍ଚପଦସ୍ଥ ହୋଇଥିଲେ ମଧ୍ୟ କେହି ଆଜୀବନ କମାଣ୍ଡର-ଇନ୍-ଚିଫ୍ ରହିପାରିବେ ନାହିଁ। କୌଣସି ଆଭ୍ୟନ୍ତରୀଣ ବିବାଦ, ବିଭାଜନ କିମ୍ବା ସଂଘର୍ଷ ବିନା ଅତ୍ୟନ୍ତ ଶାନ୍ତିପୂର୍ଣ୍ଣ ଓ ସାମ୍ବିଧାନିକ ଉପାୟରେ ଏହି କ୍ଷମତା ହସ୍ତାନ୍ତର ହୋଇଥିବା ବିଏଲଏ ଦାବି କରିଛି।

 କୌଣସି ବଲୁଚ୍ ସଶସ୍ତ୍ର ସଂଗଠନରେ ଏହା ପ୍ରଥମ ଥର ପାଇଁ ଏଭଳି ସୁଚିନ୍ତିତ ନେତୃତ୍ୱ ପରିବର୍ତ୍ତନ । ପୂର୍ବରୁ ଉତ୍ତରାଧିକାରୀ ଚୟନର କୌଣସି ନିର୍ଦ୍ଦିଷ୍ଟ ବ୍ୟବସ୍ଥା ନଥିବାରୁ ସଂଗଠନଗୁଡ଼ିକ ଭିତରେ ଫାଟ ସୃଷ୍ଟି ହେଉଥିଲା। ସେପଟେ ବଲୁଚ ଆର୍ମି ଏବଂ ପାକିସ୍ତାନ ସେନା ମଧ୍ୟରେ ସଂଘର୍ଷ ଲାଗି ରହିଛି । ଏହାରି ମଧ୍ୟରେ ପାକିସ୍ତାନର ସେନାର ଜଣେ ପୂର୍ବତନ ଅଧିକାରୀ ଏବେ ବଲୁଚ ଆର୍ମୀର ନେତୃତ୍ବ ନେଉଛନ୍ତି । ତେଣୁ ପାକିସ୍ତାନ ସେନା ପାଇଁ ଏହା ଘାତକ ସାବ୍ୟସ୍ତ ହେବ । ପାକିସ୍ତାନ ସେନାର ପ୍ରତ୍ୟେକ ରଣନୀତି ସଂପର୍କରେ ଜାଣିଥିବା  ରେହମାନ ଗୁଲ ବଲୁଚ ଆର୍ମିକୁ ସେହି ହିସାବରେ ଦୃଢ଼ କରିବେ । ଭବିଷ୍ୟତରେ ଏହା ଉଭୟ ପାକିସ୍ତାନ ସେନା ଏବଂ ସରକାରଙ୍କ ପାଇଁ ଆହ୍ବାନ ସୃଷ୍ଟି କରିବ । ବିଶେଷ କରି ପାକିସ୍ତାନ ସେନାର ମୁଖ୍ୟ ଅସିମ ମୁନୀରଙ୍କ ପାଇଁ ଚିନ୍ତାର କାରଣ ପାଲଟିବେ ରେହମାନ ଗୁଲ୍ ।