SRH vs DC, Abhishek Sharma Century: ସନରାଇଜର୍ସ ହାଇଦ୍ରାବାଦର ଷ୍ଟାର ଓପନର ଅଭିଷେକ ଶର୍ମାଙ୍କ ଧୂଆଁଧାର ବ୍ୟାଟିଂ। IPL 2026 ର ୩୧ ତମ ଲିଗ୍ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ସେ ଧମାକାଦାର ଶତକ ହାସଲ କରିଛନ୍ତି। ଅଭିଷେକ ୪୭ ବଲରେ ୭ ଚୌକା ଏବଂ ୯ ଛକା ଜରିଆରେ ଶତକ ହାସଲ କରିଛନ୍ତି। ୨୦୦ରୁ ଅଧିକ ଷ୍ଟ୍ରାଇକ ରେଟରେ ସେ ବ୍ୟାଟିଂ କରିଥିଲେ। ଚଳିତ ସିଜିନରେ ଏହା ଚତୁର୍ଥ ଶତକ ଥିଲା। ପୂର୍ବରୁ ସଞ୍ଜୁ ସାମସନ, ତିଲକ ଏବଂ ଡି କକ୍ ଶତକ ହାସଲ କରିଛନ୍ତି।

ଏହା ଆଇପିଏଲରେ ଅଭିଷେକଙ୍କ ଦ୍ଵିତୀୟ ଶତକ। ସେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ପୂର୍ବ ମ୍ୟାଚରେ ୫୯ ରନ କରିଥିଲେ। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ଖେଳାଯାଇଥିବା ସିଜିନର ପ୍ରଥମ ମ୍ୟାଚରେ ଅଭିଷେକ ମାତ୍ର ୭ ରନ କରି ଆଉଟ ହୋଇଥିଲେ। ଏହା ପରେ ତାଙ୍କର ପ୍ରଦର୍ଶନକୁ ନେଇ ପ୍ରଶ୍ନ ଉଠିଥିଲା। ଶତକ ସହିତ ଅଭିଷେକ ନିଜର ସମାଲୋଚଙ୍କୁ ଦୃଢ ଜବାବ ଦେଇଛନ୍ତି।

Also Read: ମୃତ୍ୟୁ ସହ ଲଢୁଛନ୍ତି ଏହି ଷ୍ଟାର୍ ବୋଲର୍, ଦିଲ୍ଲୀର ହସ୍ପିଟାଲରେ ଭର୍ତ୍ତି, ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ କହିଲେ ଡାକ୍ତର

ଟି-୨୦ ବିଶ୍ୱକପ୍ ପରେ ଉଠିଥିଲା ପ୍ରଶ୍ନ

IPL ପୂର୍ବରୁ ଅନୁଷ୍ଠିତ 2026 T20 ବିଶ୍ଵକପରେ ଅଭିଷେକଙ୍କ ପ୍ରଦର୍ଶନ ନିରାଶଜନକ ଥିଲା। ତାଙ୍କର ପ୍ରଦର୍ଶନକୁ ନେଇ ପ୍ରଶ୍ନ ଉଠିଥିଲା ଯେ ସେ IPLରେ ପ୍ରଦର୍ଶନ କରି ପାରିବେ କି ନାହିଁ। ହେଲେ ଆଇପିଏଲର ଚଳିତ ସିଜିନରେ ଲଗାତାର ପ୍ରଦର୍ଶନ କରି ସେ ସମାଲୋଚକଙ୍କୁ ଦୃଢ ଜବାବ ଦେଇଛନ୍ତି।

ଜିତିଲେ ଅରେଞ୍ଜ କ୍ୟାପ୍

ନିଜର ଶତକୀୟ ଇନିଂସ ସହ ଅଭିଷେକ ଅରେଞ୍ଜ କ୍ୟାପ୍ ଜିତିଛନ୍ତି। ସେ ଏହି ସିଜିନରେ ୩୦୦ ରନ ହାସଲ କରିବାରେ ପ୍ରଥମ ବ୍ୟାଟର ହୋଇଛନ୍ତି। ପ୍ରଥମେ ୨୫ ବଲରୁ ସେ ଅର୍ଦ୍ଧଶତକ ହାସଲ କରିଥିଲେ। ଅବଶିଷ୍ଟ ୫୦ ରନ ସେ ୨୨ ବଲରୁ ପୂରଣ କରିଥିଲେ। ଏହା ହାଇଦ୍ରାବାଦ ପାଇଁ ତାଙ୍କର ଦ୍ଵିତୀୟ ଶତକ, ଉଭୟ ରାଜୀବ ଗାନ୍ଧୀ ଷ୍ଟାଡିୟମରେ ପୂରଣ କରିଛନ୍ତି। ପୂର୍ବରୁ ଅଭିଷେକ ଗତବର୍ଷ ପଞ୍ଜାବ ବିପକ୍ଷରେ ମାତ୍ର ୪୦ ବଲରେ ଶତକ ହାସଲ କରିଥିଲେ।

Also Read: ତିଳକଙ୍କ ଶତକ ପରେ ବୋଲରଙ୍କ ଜଲଓ୍ଵା, ଗୁଜରାଟ ବିପକ୍ଷରେ ମୁମ୍ବାଇର ବିଶାଳ ବିଜୟ

କୋହଲିଙ୍କ ରେକର୍ଡର ସମକକ୍ଷ

ଅଭିଷେକ ଶର୍ମା ହାଇଦ୍ରାବାଦରେ ଶତକ ସହିତ ବିରାଟ କୋହଲିଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି। ଅଭିଷେକ ଶର୍ମା ନିଜର ନବମ ଟି-୨୦ ଶତକ ସହିତ ବିରାଟ କୋହଲିଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି। ବିରାଟ ଟି-୨୦ କ୍ରିକେଟରେ ନଅଟି ଶତକ ମଧ୍ୟ ମାରିଛନ୍ତି। ଅଭିଷେକ ମାତ୍ର ୧୮୪ ଟି-୨୦ ଇନିଂସରେ ନଅଟି ଟି-୨୦ ଶତକ ମାରିଥିବା ବେଳେ ବିରାଟ ମୋଟ ୪୦୯ ଇନିଂସ ଖେଳିଛନ୍ତି। ଏହିରପି ଭାବେ ବିରାଟଙ୍କଠାରୁ ବହୁତ ଆଗରେ ଅଛନ୍ତି ଅଭିଷେକ।