ଅହମ୍ମଦାବାଦ: କ୍ରମାଗତ ୪ ପରାଜୟ ପରେ ଶେଷରେ ବିଜୟର ସ୍ଵାଦ ଚାଖିଛି ମୁମ୍ବାଇ ଇଣ୍ଡିଆନ୍ସ। ତିଳକ ବର୍ମାଙ୍କ ସ୍ମରଣୀୟ ଶତକ ଓ ଅଶ୍ଵନୀ କୁମାରଙ୍କ ଶାଣିତ ବୋଲିଂ ବଳରେ ମୁମ୍ବାଇ ଘରୋଇ ଗୁଜରାଟ ଟାଇଟନ୍ସକୁ ୯୯ ରନରେ ହରାଇଛି। ଚଳିତ ସିଜିନରେ ଦ୍ଵିତୀୟ ବିଜୟ ସହ ମୁମ୍ବାଇ ପଏଣ୍ଟ ଟେବୁଲର ସପ୍ତମକୁ ଉଠିଛି। ଅନ୍ୟପଟେ ଗୁଜରାଟ ଲଗାତାର ୩ ବିଜୟ ପରେ ପରାଜୟ ଭୋଗିଛି। ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ତିଳକ ବର୍ମାଙ୍କ ବିସ୍ଫୋରକ ୧୦୧ ରନ ବଳରେ ୧୯୯ ରନ କରିଥିଲା। ଜବାବରେ ଗୁଜରାଟ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୧୫.୫ ଓଭରରେ ୧୦୦ ରନରେ ଅଲଆଉଟ୍ ହୋଇଛି। ବୋଲିଂରେ ମୁମ୍ବାଇର ଅଶ୍ଵନୀ କୁମାର ୪ ଓଭରରେ ମାତ୍ର ୨୪ ରନ ଦେଇ ୪ ଓ୍ଵିକେଟ୍ ନେଇ ଦଳ ବିଜୟରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛନ୍ତି

୨୦୦ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଗୁଜରାଟ ଟାଇଟନ୍ସ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ଇନିଂସର ପ୍ରଥମ ବଲରେ ହିଁ ଯଶପ୍ରୀତ ବୁମରା ସାଇ ସୁଦର୍ଶନଙ୍କୁ ଆଉଟ୍ କରିଥିଲେ। ପୁଣି ଦ୍ବିତୀୟ ଓଭରରେ ଜୋସ ବଟଲର(୫ ରନ)ଙ୍କୁ ଆଉଟ୍ କରି ମୁମ୍ବାଇ ଆରମ୍ଭରୁ ଗୁଜରାଟକୁ ବ୍ୟାକଫୁଟରେ ରଖିଥିଲା। ଶୁଭମନ ଗିଲ୍ ଓ ଓ୍ଵାଶିଂଟନ ସୁନ୍ଦର କିଛି ସମୟ ଇନିଂସ ସମ୍ଭାଳିଥିଲେ। ହେଲେ ଉଭୟ ଆଉଟ୍ ହେବା ପରେ ଗୁଜରାଟ ଇନିଂସ ସଂପୂର୍ଣ୍ଣ ଦିଗହରା ହୋଇ ପଡ଼ିଥିଲା। ଅଶ୍ଵନୀ କୁମାରଙ୍କ ସହ ମିଚେଲ୍ ସାଣ୍ଟନର ଓ ଆଲ୍ଲା ଗଜନଫରଙ୍କ ଜାଲରେ ଫସିଥିଲେ ଗୁଜରାଟ ବ୍ୟାଟର।

Also Read: ଶତକ ମାରି ଇତିହାସ ରଚିଲେ ତିଳକ ବର୍ମା, ଏହି ଷ୍ଟାର ଖେଳାଳିଙ୍କ ସହ ହେଲେ ସମକକ୍ଷ

ଗିଲ୍ ୧୪ ରନ ଓ ଓ୍ଵାଶିଂଟନ ସୁନ୍ଦର ୨୬ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ତାସପତା ପରି ଭୁଶୁଡ଼ି ଯାଇଥିଲା ଗୁଜରାଟ ଇନିଂସ। ଗ୍ଲେନ ଫିଲିପ୍ସ ୬ ରନ, ରାହୁଲ ତେଓ୍ଵତିଆ ୮ ରନ, ଶାହରୁଖ ଖାନ ୧୭ ରନ ଓ ରଶିଦ ଖାନ ୪ ରନ କରି ପାଭିଲିୟନ ଫେରିଥିଲେ। କାଗିସୋ ରାବଡ଼ା ୧୨ ରନ କରିଥିବା ବେଳେ ମହମ୍ମଦ ସିରାଜ ଖାତା ଖୋଲି ପାରି ନ ଥିଲେ। ଶେଷରେ ୧୫.୫ ଓଭରରେ ୧୦୦ ରନରେ ଅଲଆଉଟ୍ ହୋଇଥିଲା ଗୁଜରାଟ।

ବୋଲିଂରେ ମୁମ୍ବାଇ ପକ୍ଷରୁ ସଫଳ ବୋଲର ଭାବେ ଅଶ୍ଵନୀ କୁମାର ୪ ଓଭରରେ କେବଳ ୨୪ ରନ ଦେଇ ୪ ଓ୍ଵିକେଟ୍ ନେଇ ଦଳ ବିଜୟରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ମିଚେଲ୍ ସାଣ୍ଟନର ୩ ଓଭରରେ ୧୮ ରନ ୨ଟି ଏବଂ ଆଲ୍ଲା ଗଜନଫର ୧୭ ରନ ଦେଇ ୨ଟି ଓ୍ଵିକେଟ୍ ନେଇଥିଲେ। ବୁମରା ଓ ପାଣ୍ଡ୍ୟା ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।