ନୂଆଦିଲ୍ଲୀ: ଅଭିଷେକ ପୋରେଲ। ଏହି ନାଁଟି କ୍ରିକେଟ୍ ଜଗତରେ ଜଣାଶୁଣା ନାଁ ଟିଏ। ଯେଉଁ ନାଁ ଦିନେ କ୍ରିକେଟ୍ ପାଇଁ ପରିଚିତ ଥିଲା, ତାହା ଦୁଷ୍କର୍ମ ପରି ଅପରାଧିକ ମାମଲାରେ ମଳିନ ବି ହେଲା। ଲାଗିଲା ତାଙ୍କର କ୍ରିକେଟ୍ କ୍ୟାରିୟର ଉପରେ ପୂର୍ଣ୍ଣଛେଦ ପଡ଼ିଯିବ। କାରଣ ଦୁଷ୍କର୍ମ ପରି ସଙ୍ଗୀନ କେସରେ ଫସିବା ଏବଂ ଜେଲ୍ ଯିବା ବ୍ୟକ୍ତିଙ୍କୁ ଭିତରକୁ ଭାଙ୍ଗି ଦେଇଥାଏ। ହେଲେ ଅଭିଷେକ ପୋରେଲ୍ ବାହାରିଲେ ବ୍ୟତିକ୍ରମ। ଦୁଷ୍କର୍ମ କେସ୍ ଏବଂ ଅପରାଧିକ ମାମଲାରେ ଜାମିନ ମିଳିବାର କିଛି ଦିନ ପରେ କ୍ରିକେଟ୍ ମଇଦାନକୁ ଫେରିଲେ ପଶ୍ଚିମବଙ୍ଗର ଏହି ଓ୍ଵିକେଟ୍ କିପର ବ୍ୟାଟର। ଆଉ ଦିଲ୍ଲୀ ବିପକ୍ଷ ରଣଜୀ ଟ୍ରଫିର ପ୍ରଥମ ମ୍ୟାଚରେ ଅପରାଜିତ ଶତକୀୟ ଇନିଂସ ଖେଳିଲେ। ଏହି ଖବର ଲେଖିବା ଆମ ପାଇଁ ଯେତିକି ସହଜ, ତାହାକୁ ଶବ୍ଦରେ ବର୍ଣ୍ଣନା କରିବା ସେତେ କଷ୍ଟ। କାରଣ ପୋରେଲଙ୍କ ଏହି ଶତକୀୟ ଇନିଂସ ଥିଲା ଲୁହରେ ଭର୍ତ୍ତି।

୨୩ ବର୍ଷୀୟ ଅଭିଷେକ ପୋରେଲ, ମ୍ୟାଚର ଦ୍ଵିତୀୟ ଦିନରେ ଯେମିତି ଶତକ ପୂରା କଲେ ସେ ନିଜର ଭାବନାକୁ କାବୁ କରି ପାରି ନ ଥିଲେ। ମଇଦାନରେ ଆଣ୍ଠୁ ମାଡ଼ି ବସି ପଡ଼ିଲେ ଏବଂ ଭୋ ଭୋ ହୋଇ କାନ୍ଦିଥିଲେ। କିଛି ସମୟ ପରେ ସେ ନିଜକୁ ସମ୍ଭାଳିଥିଲେ। ପୁଣି ଉଠିଲେ ବ୍ୟାଟ୍ ଉଠାଇ ଡ୍ରେସିଂ ରୁମ ଏବଂ ଟିମର ଖେଳାଳିଙ୍କୁ ତାଳିର ଅଭିବାଦନ ଜଣାଇଥିଲେ। ସବୁଠୁ ବଡ଼ କଥା ଆଇପିଏଲ୍ ୨୦୨୬ରେ ଏହା ଥିଲା ତାଙ୍କର ପ୍ରଥମ ମ୍ୟାଚ୍ ।

Also Read: ୨୦୦ରୁ ଅଧିକ ଷ୍ଟ୍ରାଇକରେଟ୍, ୪୧ ବଲରେ ୮୫ ରନ୍ର ବିସ୍ଫୋରକ ଇନିଂସ ଖେଳିଲେ ରାହୁଲ ଦ୍ରାବିଡଙ୍କ ପୁଅ

ଡାକ୍ତରୀ ଛାତ୍ରୀ ଲଗାଇଲେ ସଙ୍ଗୀନ ଅଭିଯୋଗ

ଅଗଷ୍ଟ ମାସରେ କର୍ଣ୍ଣାଟକର ଏକ ଡାକ୍ତରୀ ଛାତ୍ରୀଙ୍କ ଅଭିଯୋଗ କ୍ରମେ ପୋରେଲଙ୍କୁ ଗିରଫ କରାଯାଇଥିଲା। ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିବା ଏବଂ ଧମକ ଦେବା ପରି ପୋରେଲଙ୍କ ଉପରେ ସଙ୍ଗୀନ ଅଭିଯୋଗ ଲଗାଇଥିଲେ ଉକ୍ତ ଯୁବତୀ। ଏହା ପରେ ତାଙ୍କୁ ଗୋଟିଏ ମାସରୁ ଅଧିକ ସମୟ ଜେଲରେ ରହିବାକୁ ପଡ଼ିଥିଲା। ତେବେ ସେପ୍ଟେମ୍ବରରେ ହୁଗଲୀର ଏକ ଅଦାଲତରୁ ପୋରେଲଙ୍କୁ ଜାମିନ ମିଳିଥିଲା। ଏହା ପରେ ପଶ୍ଚିମବଙ୍ଗ କ୍ରିକେଟ୍ ଆସୋସିଏସନ ତାଙ୍କୁ ଦଳରେ ସାମିଲ୍ କରିଥିଲା। ତେବେ ପୋରେଲଙ୍କ ପାଇଁ ଏହି କଳା ସମୟ ସେତେ ସହଜ ନ ଥିଲା। ସାଧାରଣତଃ ଆଇପିଏଲ ପରି ମଞ୍ଚରେ ପରିଚୟ ମିଳିବା ପରେ ଦୁଷ୍କର୍ମ ପରି ଅଭିଯୋଗ ଲାଗିବା ଏବଂ ଜେଲ୍ ଯିବା କୌଣସି ଖେଳାଳିଙ୍କ ପକ୍ଷେ ବହୁତ କଷ୍ଟକର ମୁହୂର୍ତ୍ତ ଥାଏ। ଆଉ ଅଭିଷେକ ପୋରେଲଙ୍କ ଭିତରେ ଯେଉଁ ଯନ୍ତ୍ରଣା ଥିଲା ତାହା ତାଙ୍କର ଶତକୀୟ ଇନିଂସ ପରେ ବାହାରିଥିବା ଅଶ୍ରୁରୁ ସ୍ପଷ୍ଟ ବାରି ହୋଇ ପଡ଼ିଛି।

କ'ଣ କହିଲେ ପୋରେଲ ?

ଶତକ ପରେ ଅଭିଷେକ ପୋରେଲ ମନ ଖୋଲି କଥା ହୋଇଛନ୍ତି ଏବଂ କହିଛନ୍ତି ଗତ କିଛି ବର୍ଷ ତାଙ୍କ ପାଇଁ କେମିତି ଉତଥାନ ଏବଂ ପତନ ଥିଲା। ଗତ ଦୁଇ ବର୍ଷ ରଣଜୀ ଟ୍ରଫିରେ ସେମିତି ଇନିଂସ ଖେଳି ପାରୁ ନ ଥିଲେ, ଯେମିତି ସେ ଚାହୁଁଥିଲେ। ଏହି ସମୟରେ ଅନେକ ବ୍ୟକ୍ତିଗତ ଘଟଣା ଏବଂ ଆଘାତ ତାଙ୍କ ଜୀବନରେ ଗୁରୁତର ପ୍ରଭାବ ପକାଇଥିଲା। ତେବେ ଏହି ମୁସ୍କିଲ ଏବଂ ଘଡ଼ିସନ୍ଧି ସମୟରେ ତାଙ୍କ ସହ ଛିଡ଼ା ହୋଇଥିବାରୁ ଏବଂ ମାନସିକ ଭାବେ ବଳ ଦେଇଥିବାରୁ ପୋରେଲ ବଙ୍ଗାଲର କୋଚ୍ ଲକ୍ଷ୍ମୀ ରତନ ଶୁକ୍ଳା ଏବଂ ଅନ୍ୟ ସହଯୋଗୀଙ୍କୁ ହୃଦୟରୁ କୃତଜ୍ଞତା ଜଣାଇଛନ୍ତି।

Also Read: ଅଭିଷେକ ଶର୍ମାଙ୍କ ବିଶ୍ବ ରେକର୍ଡ, ସୂର୍ଯ୍ୟକୁମାର ଯାଦବଙ୍କୁ ଟପିଲେ

ଜେଲରେ ଦେଖିଲେ ଅଲଗା ଦୁନିଆ

ସେ କହିଛନ୍ତି, ଜେଲରେ ତାଙ୍କୁ ଏକ ଅଲଗା ଦୁନିଆ ଦେଖିବାକୁ ମିଳିଥିଲା। ଜେଲର ସେହି ଚାରି କାନ୍ଥ ତାଙ୍କୁ ମାନସିକ ଭାବେ ଭାଙ୍ଗି ନ ଥିଲା ବରଂ ଆହୁରି ମଜବୁତ କରିଥିଲା। ନିଜ ମନୋବଳକୁ ସେ କେବେ ଦୁର୍ବଳ ହେବାକୁ ଦେଇ ନ ଥିଲେ। ଆଉ ଜେଲରୁ ଫେରିବାର କିଛି ଦିନ ପରେ ସେ ନିଜ ବ୍ୟାଟ ଜରିଆରେ ସବୁ ପ୍ରଶ୍ନର ଉତ୍ତର ଦେଇଛନ୍ତି। ୧୧୪ ରନ କରି କ୍ରିଜରେ ଅପରାଜିତ ଅଛନ୍ତି ପୋରେଲ। ତାଙ୍କର ସାଥୀ ଖେଳାଳି ସୁଦୀପ ଘରମୀ ମଧ୍ୟ ୧୧୨ ରନ କରି ଅପରାଜିତ ଅଛନ୍ତି। ଦୁହିଁଙ୍କ ଶତକୀୟ ଇନିଂସ ବଳରେ ପଶ୍ଚିମବଙ୍ଗ ଦ୍ଵିତୀୟ ଇନିଂସରେ ୩ ଓ୍ଵିକେଟ୍ ହରାଇ ୩୦୪ ରନ କରି ସାରିଛି।