କୋଲକାତା: ତୃଣମୂଳ କଂଗ୍ରେସ (TMC) ରେ ବଡ଼ ବିଭାଜନ ପରେ ଦଳର ସାଂସଦ ତଥା ପ୍ରମୁଖ ନେତା ଅଭିଷେକ ବାନାର୍ଜୀ ଅନ୍ୟ ନେତାମାନଙ୍କ ସହ ମିଶି ଲୋକସଭା ବାଚସ୍ପତି (Speaker) ଓମ୍ ବିର୍ଲାଙ୍କୁ ସାକ୍ଷାତ କରିଛନ୍ତି। ବିଦ୍ରୋହ କରିଥିବା ସାଂସଦମାନଙ୍କ ସଦସ୍ୟତା ତୁରନ୍ତ ରଦ୍ଦ କରିବାକୁ ସେ ଦାବି କରିଛନ୍ତି। ସେ କହିଛନ୍ତି ଯେ, ଏହି ୨୦ ଜଣ ସାଂସଦ ଜନସାଧାରଣଙ୍କ ସହ ବିଶ୍ୱାସଘାତକତା କରିଛନ୍ତି ଏବଂ ସମ୍ବିଧାନର ଅପମାନ କରିଛନ୍ତି । ସେମାନଙ୍କୁ ବେଙ୍ଗଲର ଜନତା କେବେବି କ୍ଷମା କରିବେ ନାହିଁ। ଅଭିଷେକ ବାନାର୍ଜୀଙ୍କ ନେତୃତ୍ୱରେ ସୌଗତରାୟ, କଲ୍ୟାଣ ବାନାର୍ଜୀ, ଡେରେକ୍ ଓ'ବ୍ରାଏନ୍ ଏବଂ ମହୁଆ ମୋଇତ୍ରଙ୍କ ଭଳି ବରିଷ୍ଠ ଟିଏମସି ସାଂସଦମାନଙ୍କ ଏକ ପ୍ରତିନିଧି ଦଳ ଦିଲ୍ଲୀରେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଭେଟିବାକୁ ପହଞ୍ଚିଥିଲେ। ଏହି ନେତାମାନେ ବିଦ୍ରୋହୀ ସାଂସଦମାନଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ବାଚସ୍ପତିଙ୍କ ନିକଟରେ ଦୃଢ଼ ଦାବି ଉପସ୍ଥାପନ କରିଛନ୍ତି ।

ବୈଠକ ପରେ ଅଭିଷେକ ବାନାର୍ଜୀ କହିଛନ୍ତି, ‘ଆମେ ଜୁନ୍ ୧୪ ତାରିଖରେ ଲୋକସଭା ବାଚସ୍ପତିଙ୍କୁ ଚିଠି ଲେଖିଥିଲୁ। ସେହି ଆଧାରରେ ଆମକୁ ଡକାଯାଇଥିଲା। ସେହି ସମୟରେ ଇଡି (ED) ର ପଚରାଉଚରା ଚାଲିଥିଲା। ପୂର୍ବରୁ ମହୁଆ ମୋଇତ୍ର ଦଳ ପକ୍ଷରୁ ବାଚସ୍ପତିଙ୍କୁ ଭେଟିଥିଲେ ଏବଂ ଆଜି ସନ୍ଧ୍ୟାରେ ଆମେ ସମସ୍ତେ ମିଶି ଏହି ପ୍ରସଙ୍ଗରେ ଆଲୋଚନା କରିଛୁ।’ ଅଭିଷେକ ବାନାର୍ଜୀ କହିଛନ୍ତି ଯେ, ଟିଏମସିର ୨୦ ଜଣ ସାଂସଦ ୩-୪ ଦିନ ପୂର୍ବରୁ ବାଚସ୍ପତିଙ୍କୁ ଭେଟି ନିଜର ଏକ ଅଲଗା ଗୋଷ୍ଠୀ ଥିବା ଦାବି କରିଥିଲେ। ଗଣମାଧ୍ୟମର ସୂଚନା ଅନୁଯାୟୀ, ଏହାର କିଛି ଘଣ୍ଟା ପରେ ସେମାନଙ୍କ ମଧ୍ୟରୁ କିଛି ନେତା 'NCPI' ନାମକ ଏକ ଦଳ ସହ ସମ୍ପୃକ୍ତ ହେବା ନେଇ ଦାବି କଲେ, ଯାହା ବିଷୟରେ ପୂର୍ବରୁ କେହି କେବେ ଶୁଣି ନଥିଲେ।

ସେ ସ୍ପଷ୍ଟ କରିଛନ୍ତି ଯେ, ଟିଏମସିର ଲୋକସଭା ନେତା ଭାବେ ସେ ସେହି ୨୦ ଜଣଙ୍କ ବିରୋଧରେ ଅଯୋଗ୍ୟ ହେବାର ଆବେଦନ ପତ୍ର (Disqualification Petitions) ଦାଖଲ କରିଛନ୍ତି। ସମ୍ବିଧାନର ଦଶମ ଅନୁସୂଚୀ ସେହିମାନଙ୍କ ବିରୋଧରେ ଅଛି, ଯେଉଁମାନେ ଦଳ ଭାଙ୍ଗି ଅଲଗା ଗୋଷ୍ଠୀ ଗଠନ କରିବାକୁ ଚେଷ୍ଟା କରୁଛନ୍ତି। ଯଦି ସେମାନଙ୍କ ମଧ୍ୟରେ ସାମାନ୍ୟ ନୈତିକତା ଅଛି, ତେବେ ସେମାନେ ନିଜ ପଦବୀରୁ ତୁରନ୍ତ ଇସ୍ତଫା ଦେବା ଉଚିତ୍ ।

ବିଦ୍ରୋହୀ ସାଂସଦମାନଙ୍କୁ କଡ଼ା ଭାଷାରେ ସମାଲୋଚନା କରି ଅଭିଷେକ ବାନାର୍ଜୀ କହିଛନ୍ତି ଯେ, ଏହି ନେତାମାନେ ନିଜର ବିବେକ, ସମ୍ମାନ ଏବଂ ସାଧୁତାକୁ ବିକ୍ରି କରିଦେଇଛନ୍ତି। ଏହି ବିଦ୍ରୋହୀ ସାଂସଦମାନଙ୍କୁ କେନ୍ଦ୍ରୀୟ ସୁରକ୍ଷା ଯୋଗାଇ ଦିଆଯାଇଛି, କାରଣ ନିଜ ନିର୍ବାଚନ ମଣ୍ଡଳୀରେ କୌଣସି ସାଧାରଣ ଲୋକ ସେମାନଙ୍କ ସହ ନାହାନ୍ତି। ସେମାନେ କେବଳ ED ଏବଂ CBI ତଦନ୍ତରୁ ନିଜକୁ ବଞ୍ଚାଇବା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି। ସେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ, ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କୁ ପ୍ରଲୋଭନ ଦେଖାଇ ଅର୍ଥ ଦିଆଯାଉଛି ତ କେତେକଙ୍କୁ ଭୟଭୀତ କରାଯାଉଛି। ଏହାର ଦୃଢ଼ ପ୍ରମାଣ ରହିଛି। ଯଦି ତାଙ୍କ କଥାରେ କୌଣସି ସାଂସଦଙ୍କୁ ଆଘାତ ଲାଗୁଛି, ତେବେ ସେମାନେ ଆଇନଗତ ମାମଲା କରିପାରିବେ ଏବଂ ସେ ନିଜ ଦାବିକୁ ଅଦାଲତରେ ପ୍ରମାଣିତ କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଅଭିଷେକ କହିଛନ୍ତି ।