ନୂଆଦିଲ୍ଲୀ: ୟେମେନର ହୁତି ବିଦ୍ରୋହୀ ଏବଂ ସାଉଦି ମଧ୍ୟରେ ଆକ୍ରମଣ ପ୍ରତିଆକ୍ରମଣ ତୀବ୍ର ହେବାରେ ଲାଗିଛି । ଆକ୍ରମଣ ବନ୍ଦ କରିବା ପାଇଁ ସାଉଦି ଆରବ ପକ୍ଷରୁ ହୁତିଙ୍କୁ ୧ ବିଲିୟନ ଡଲାର ପ୍ରସ୍ତାବ ଦିଆଯାଇଥିବା ଦାବି ହୋଇଛି । ଏହାରି ଭିତରେ ମଙ୍ଗଳବାର ହୁତି ବିଦ୍ରୋହୀ ସାଉଦି ଆରବର ଅନେକ ଗୁରୁତ୍ୱପୂର୍ଣ୍ଣ ଠିକଣା ଉପରେ ଆକ୍ରମଣ କରିଥିବା ଦାବି କରିଛନ୍ତି । ହୁତିଙ୍କ ଦାବି, ସେମାନେ ରିୟାଦରେ ସାଉଦି ପ୍ରତିରକ୍ଷା ମନ୍ତ୍ରଣାଳୟ, ନଜରାନ ବିମାନବନ୍ଦରରେ ଦୁଇଟି ସାମରିକ ପରିବହନ ବିମାନ ଏବଂ ଖାମିସ୍ ମୁସୈତରେ ଏକ ଏୟାରବେସ୍ ଉପରେ ଆକ୍ରମଣ କରିଛନ୍ତି ।

ହୁତି ବିଦ୍ରୋହୀମାନେ ଦାବି କରିଛନ୍ତି ଯେ ସେମାନେ ଏହି ଆକ୍ରମଣ କରିଛନ୍ତି । ତେବେ ସାଉଦି ଆରବରୁ ପକ୍ଷରୁ ଏହି ଆକ୍ରମଣ ଉପରେ କୌଣସି ପ୍ରତିକ୍ରିୟା ଜାରି କରାଯାଇ ନାହିଁ । ନ୍ୟୁଜ୍ ଏଜେନ୍ସି ରଏଟର୍ସ ଅନୁଯାୟୀ, ୟେମେନର ହୁତି ବିଦ୍ରୋହୀମାନେ ମଙ୍ଗଳବାର ଦିନ ରିୟାଦରେ ସାଉଦି ଆରବର ପ୍ରତିରକ୍ଷା ମନ୍ତ୍ରଣାଳୟ ଉପରେ ଆକ୍ରମଣ କରିଥିବା ଦାବି କରିଛନ୍ତି ।

ହୁତି ସାମରିକ ମୁଖପାତ୍ର ୟାହ୍ୟା ସାରି କହିଛନ୍ତି ଯେ ତାଙ୍କ ସଶସ୍ତ୍ର ବାହିନୀ ସାଉଦି ଆରବର ରାଜଧାନୀ ରିୟାଦରେ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଏକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଦ୍ୱାରା ଟାର୍ଗେଟ କରିଥିଲା । କ୍ଷେପଣାସ୍ତ୍ରଟି ସିଧାସଳଖ ଲକ୍ଷ୍ୟସ୍ଥଳରେ ପଡ଼ିଥିବା ସେ ଦାବି କରିଛନ୍ତି । ୟାହ୍ୟା ସାରି ଏହାକୁ "ଟାର୍ଗେଟ୍ ହିଟ୍" ବୋଲି ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ଯେ ଆକ୍ରମଣ ଶତ୍ରୁର ରାଜଧାନୀରେ କରାଯାଇଥିଲା ।

ଏଏଫପି ଅନୁଯାୟୀ ମଙ୍ଗଳବାର ସକାଳେ ରିୟାଦରେ ବିସ୍ଫୋରଣ ପରି ଶବ୍ଦ ଶୁଣାଯାଇଥିଲା । ସହରର କିଛି ସ୍ଥାନରେ ଏହି ଶବ୍ଦ ସ୍ପଷ୍ଟ ଭାବରେ ଶୁଣାଯାଇଥିଲା । ସାଉଦି ଅଧିକାରୀମାନେ କହିଛନ୍ତି ଯେ ସେମାନେ ହୁତି ବିଦ୍ରୋହୀଙ୍କ ଦ୍ୱାରା ମାଡ଼ ନିକ୍ଷେପ କରାଯାଇଥିବା ଦୁଇଟି ବାଲିଷ୍ଟିକ୍ କ୍ଷେପଣାସ୍ତ୍ରକୁ ସଫଳତାର ସହ ପ୍ରତିହତ କରିଛନ୍ତି । ଅଧିକାରୀଙ୍କ ଅନୁଯାୟୀ, ସାଉଦି ବାୟୁ ପ୍ରତିରକ୍ଷା ପ୍ରଣାଳୀ ଏହି କ୍ଷେପଣାସ୍ତ୍ରଗୁଡ଼ିକୁ ମଝି ଆକାଶରେ ନଷ୍ଟ କରିଦେଇଥିଲା ।