କୋଲକାତା: ତୃଣମୂଳ କଂଗ୍ରେସ (TMC) ସାଂସଦ ଅଭିଷେକ ବାନାର୍ଜୀଙ୍କ ନିଜସ୍ୱ ସହଯୋଗୀ ସୁମିତ ରୟଙ୍କୁ ପଶ୍ଚିମବଙ୍ଗ ସିଆଇଡି (CID) ଗିରଫ କରିଛି। ସାଲବୋନି ଅଞ୍ଚଳରେ ହୋଇଥିବା ସରକାରୀ ଜମି ଜାଲିଆତି ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସୁପ୍ରିମକୋର୍ଟ ସୁମିତଙ୍କ ଗିରଫଦାରୀ ଉପରେ ପୂର୍ବରୁ ଲଗାଇଥିବା ରୋକକୁ ହଟାଇବା ସହ ତାଙ୍କର ଅଗ୍ରୀମ ଜାମିନ ଆବେଦନକୁ ଖାରଜ କରିବାର କିଛି ଘଣ୍ଟା ମଧ୍ୟରେ ସିଆଇଡି ତାଙ୍କୁ ଅଭିଷେକ ବାନାର୍ଜୀଙ୍କ କାଳୀଘାଟ ବାସଭବନରୁ ଗିରଫ କରିଛି।

ଜାଲ ଦଲିଲ ଓ କାଗଜପତ୍ର ପ୍ରସ୍ତୁତ କରି ସରକାରୀ ଜମି ହଡ଼ପ ଏବଂ ବେଆଇନ ବିକ୍ରି କରିବା ନେଇ ଏହି ମାମଲା ରୁଜୁ ହୋଇଛି। ଠକେଇ, ବିଶ୍ୱାସଘାତକତା, ଜାଲିଆତି ଏବଂ ଅପରାଧିକ ଷଡ଼ଯନ୍ତ୍ର ମାମଲାରେ ସୁମିତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।
ଅଗଷ୍ଟ ୩ରେ କୋଲକାତା ହାଇକୋର୍ଟଙ୍କ ଦ୍ୱାରା ଜାମିନ ଆବେଦନ ଖାରଜ ହେବା ପରେ, ଅଗଷ୍ଟ ୬ରେ ସୁପ୍ରିମକୋର୍ଟ ତାଙ୍କୁ ସାମୟିକ ଆଶ୍ୱାସନା ଦେଇ ତଦନ୍ତରେ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ରାଜ୍ୟ ସରକାର ଜେରା ପାଇଁ ଗିରଫଦାରୀ ଆବଶ୍ୟକ ବୋଲି ଦର୍ଶାଇବାରୁ ସୁପ୍ରିମକୋର୍ଟ ନିଜର ପୂର୍ବ ନିର୍ଦ୍ଦେଶ ପ୍ରତ୍ୟାହାର କରିନେଇଛନ୍ତି।

ଏହି ଗିରଫଦାରୀକୁ ନେଇ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ସୁକାନ୍ତ ମଜୁମଦାର କହିଛନ୍ତି ଯେ, ସୁମିତ ରୟ କେବଳ ଏକ ବଡ଼ ନେଟୱାର୍କର "କାନ" ଥିଲେ, ଏବଂ ବର୍ତ୍ତମାନ "ମୁଣ୍ଡ" (ଅଭିଷେକ ବାନାର୍ଜୀ) ପାଳି ଆସିବ। ସେ ଅଭିଯୋଗ କରିଛନ୍ତି ଯେ ସୁମିତ, ଅଭିଷେକଙ୍କ ପକ୍ଷରୁ ସରକାରୀ ଅଫିସରମାନଙ୍କ ସହ ଯୋଗାଯୋଗ ଏବଂ ପ୍ରଶାସନିକ କାର୍ଯ୍ୟ ପରିଚାଳନା କରୁଥିଲେ।

ମେ ମାସରେ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱରେ ବିଜେପି ସରକାର କ୍ଷମତାକୁ ଆସିବା ପରଠାରୁ, ଦୁର୍ନୀତି, ଜମି ଜାଲିଆତି, ନିଯୁକ୍ତି ଦୁର୍ନୀତି ଓ ନିର୍ବାଚନ ପରବର୍ତ୍ତୀ ହିଂସା ମାମଲାରେ ୧୦୦ରୁ ଅଧିକ ଟିଏମସି ନେତା ଓ କର୍ମୀ ଗିରଫ ହୋଇସାରିଛନ୍ତି। ବର୍ତ୍ତମାନ ସୁମିତଙ୍କୁ ଜେରା କରି ସିଆଇଡି କେଉଁ ନୂଆ ତଥ୍ୟ ପଦାକୁ ଆଣୁଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।