• ୧୦ ଜନପଥରେ ରାହୁଲ ଗାନ୍ଧିଙ୍କୁ ଭେଟିଛନ୍ତି ଟିଏମସି ନେତା ଅଭିଷେକ ବାନାର୍ଜୀ
  • ଉଭୟ ନେତା ପାଖାପାଖି ୯୦ ମିନିଟ୍ ଆଲୋଚନା କରିଛନ୍ତି 
  • ଏହି ସାକ୍ଷାତ ଆଲୋଚନା କଂଗ୍ରେସରେ ଟିଏମସିର ବିଲୟ ଚର୍ଚ୍ଚାକୁ ପୁଣି ଖୋରାକ ଯୋଗାଇଛି
  • ତେବେ ଏଥି ପାଇଁ କଂଗ୍ରେସ ଟିଏମସି ଉପରେ କୌଣସି ଚାପ ପକାଇବ ନାହିଁ ବୋଲି କହିଛି

ନୂଆଦିଲ୍ଲୀ: ତୃଣ ମୂଳ କଂଗ୍ରେସ (ଟିଏମସି)ରେ ବିଦ୍ରୋହ ମଧ୍ୟରେ ପାର୍ଟିର ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ବୁଧବାର ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ସହ ପାଖାପାଖି ୯୦ ମିନିଟ୍ କଥାବାର୍ତ୍ତା ହୋଇଛନ୍ତି। ଏହି ବୈଠକ ୧୦ ଜନପଥରେ ହୋଇଛି, ଯେଉଁଥିରେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’କୁ ଆହୁରି ମଜଭୁତ କରିବା ନେଇ ଭବିଷ୍ୟତର ରଣନୀତି ଉପରେ ବିସ୍ତୃତ ଚର୍ଚ୍ଚା ହୋଇଛି। ସୂତ୍ର ଅନୁସାରେ ଟିଏମସି ରାହୁଲ ଗାନ୍ଧିଙ୍କ ନେତୃତ୍ୱକୁ ସ୍ୱୀକାର କରି ମଜଭୁତ ମେଣ୍ଟର ଇଛା ପ୍ରକାଶ କରିଛି।

ଆଜିର ଏହି ସାକ୍ଷାତ ଆଲୋଚନା ରାଜନୈତିକ ଅଳିନ୍ଦରେ କଂଗ୍ରେସରେ ଟିଏମସିର ବିଲୟ ଚର୍ଚ୍ଚାକୁ ପୁଣି ଖୋରାକ ଯୋଗାଇଛି। ତେବେ କଂଗ୍ରେସ ସ୍ପଷ୍ଟ କହିଛି ଯେ ବିଲୟର କୌଣସି ପ୍ରସ୍ତାବ ଟିଏମସି ପକ୍ଷରୁ ଆସିବା ଆବଶ୍ୟକ, ତେବେ ଏଥି ପାଇଁ କଂଗ୍ରେସ ଟିଏମସି ଉପରେ କୌଣସି ଚାପ ପକାଇବ ନାହିଁ। ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ୯ ଜୁନ ମଙ୍ଗଳବାର ତୃଣମୂଳ ସୁପ୍ରିମୋ ମମତା ବାନାର୍ଜୀ ସୋନିଆ ଗାନ୍ଧିଙ୍କୁ ଭେଟିଥିଲେ। ଉଭୟ ନେତ୍ରୀ ପରସ୍ପରକୁ କୋଳାଗ୍ରତ କରୁଥିବାର ଫଟୋଚିତ୍ର ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଟିଏମସି ଓ କଂଗ୍ରେସ ଇତିହାସମମତା ବାନାର୍ଜୀ ୧୯୯୮ ମସିହାରେ କଂଗ୍ରେସ ଛାଡି ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ଗଢିଥିଲେ। ୨୦୧୧ ମସିହାରେ ଟିଏମସି ଓ କଂଗ୍ରେସ ମିଶି ପଶ୍ଚିମବଙ୍ଗରେ ବାମମୋର୍ଚ୍ଚା ସରକାରକୁ ପରାସ୍ତ କରିଥିଲେ। ତେବେ ପରେ ଉଭୟ ପାର୍ଟିଙ୍କ ସମ୍ପର୍କ ବିଗିଡି ଯାଇଥିଲା। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଉଭୟ ପାର୍ଟି ପୁଣି ଗୋଟିଏ ମଞ୍ଚରେ ଏକାଠି ହୋଇଥିଲେ। ଏହା ପରେ ପଶ୍ଚିମବଙ୍ଗରେ ଟିଏମସିର ପରାଜୟରେ ପାର୍ଟି ଭିତରେ ବିଦ୍ରୋହ ବଢିବାରେ ଲାଗିଛି। କିଛି ବିଧାୟକ ଓ ସାଂସଦ ବିଦ୍ରୋହୀ ହୋଇଉଠିଥିବା ବେଳେ ବିଜେପି ଓ ଏନଡିଏ ଆଡକୁ ମୁହାଁଇବାର ସଂକେତ ଦେଇଛନ୍ତି।

ଟିଏମସିର ଏବେକା ସଂକଟପୂର୍ଣ୍ଣ ପରିସ୍ଥିତିରେ କଂଗ୍ରେସର ନିକଟତମ ହେବା ମମତା ବାନାର୍ଜୀଙ୍କ ରଣନୀତିର ଅଂଶବିଶେଷ ହୋଇପାରେ। ଉଭୟ ପାର୍ଟି ବିଜେପି ବିରୋଧରେ ଏକଜୁଟ ହେବାକୁ ଗୁରୁତ୍ୱ ଦେଉଛନ୍ତି। ହେଲେ ଉଭୟ ପାର୍ଟିଙ୍କ ବିଲୟ ଆକଳନ ଏବେ କେବଳ ଚର୍ଚ୍ଚାରେ ସୀମିତ ରହିଛି। ତେବେ ଉପୁଜିଥିବା ପରିସ୍ଥିତିରେ ଟିଏମସିକୁ କଂଗ୍ରେସର ସହଯୋଗ ମିଳୁଛି ନା ଦୁଇ ଦଳ ପୁଣି ଅଲଗା ଅଲଗା ରାସ୍ତାରେ ଚାଲିବେ ତାହା ପରବର୍ତ୍ତି ପରିସ୍ଥିତିରେ ସ୍ପଷ୍ଟ ହୋଇଯିବ ବୋଲି ରାଜନୈତିକ ସମୀକ୍ଷକ କହିଛନ୍ତି।