ନୂଆଦିଲ୍ଲୀ, ୦୩/୦୬ : ନିଲାମ ହେବ କିମ୍ବଦନ୍ତୀ ଫୁଟବଲର ପେଲେଙ୍କ ଜର୍ସି । ୧୯୫୮ ଫିଫା ବିଶ୍ୱକପ୍ ଫାଇନାଲରେ ପେଲେ ପିନ୍ଧିଥିବା ଜର୍ସି ନିଲାମ ହେବାକୁ ଯାଉଛି । ଏହା ୬ ମିଲିୟନ ଡଲାରରୁ ଅଧିକ ଟଙ୍କାରେ ବିକ୍ରି ହେବ ବୋଲି ଆଶା କରାଯାଉଛି । ଏହି ଜର୍ସି ପାଇଁ ଜୁନ ୨୯ରୁ ଜୁଲାଇ ୧୬ ଯାଏଁ ନିଲାମୀ ପ୍ରକ୍ରିୟା ଚାଲିବ । ଏହା ସବୁଠୁ ଦାମୀ ଜର୍ସି ଭାବେ ରେକର୍ଡ କରିବ ବୋଲି ଫ୍ୟାନ୍ସ ଆଶା କରୁଛନ୍ତି ।

ଏହାପୂର୍ବରୁ ୨୦୨୨ରେ ଡିଏଗୋ ମାରାଡୋନାଙ୍କ ଜର୍ସି ୯.୨୮ ମିଲିୟନ ଡଲାରରେ ନିଲାମ ହୋଇଥିଲା । ଯାହା ଏବେସୁଦ୍ଧା ସବୁଠୁ ଦାମୀ ଜର୍ସିର ମାନ୍ୟତା ପାଇଁଛି । ପେଲେଙ୍କ ଜର୍ସି ଏହି ରେକର୍ଡ ଭାଙ୍ଗିବ ବୋଲି ଅନେକ କହୁଛନ୍ତି ।

୧୭ ବର୍ଷରେ ବିଶ୍ୱକପ୍

୧୯୫୮ରେ ବିଶ୍ୱକପ୍ ଖେଳିବା ସମୟରେ ପେଲେ ମାତ୍ର ୧୭ ବର୍ଷର ହୋଇଥିଲେ । ସେ ଦୁଇଟି ଗୋଲ୍ କରିଥିଲେ । ଫଳରେ ବ୍ରାଜିଲ୍ ୫-୨ରେ ସ୍ୱିଡେନକୁ ପରାସ୍ତ କରିଥିଲା । ସବୁଠୁ ଯୁବ ଖେଳାଳି ଭାବେ ସେ ବିଶ୍ୱକପ୍ ଫାଇନାଲରେ ଗୋଲ୍ କରିଥିଲେ । ଏହା ବ୍ରାଜିଲର ପ୍ରଥମ ବିଶ୍ୱକପ୍ ବିଜୟ ଥିଲା । ଏହି ସମୟରେ ପେଲେ ଯେଉଁ ଜର୍ସି ପିନ୍ଧିଥିଲେ ତାକୁ ସେ ନିଜର ସାଥୀ ଖେଳାଳି ଡିଡାଙ୍କୁ ପ୍ରଦାନ କରିଥିଲେ ।

୧୯୯୩ ମସିହା ଯାଏଁ ଏହି ଜର୍ସି ଡିଡାଙ୍କ ପରିବାର ପାଖରେ ଥିଲା । ପରେ ସେ ଏହାକୁ ଏକ ମ୍ୟୁଜିୟମକୁ ପ୍ରଦାନ କରିଥିଲେ । ଯାହାପରେ ମ୍ୟୁଜିୟମ କର୍ତ୍ତୃପକ୍ଷ ଜର୍ସିକୁ ୨୦୦୪ରେ ୧୦୫୦୦୦ ଡଲାରରେ ନିଲାମ କରିଦେଇଥିଲେ । ଏବେ ନିଲାମରେ ଜର୍ସି ନେଇଥିବା ବ୍ୟକ୍ତି ଏହାକୁ ପୁଣି ଥରେ ନିଲାମ କରିବାକୁ ଆଗଭର ଅଛନ୍ତି ।

ଏହା ପ୍ରଥମ ଥର ନୁହେଁ, ପୂର୍ବରୁ ୨୦୧୬ରେ ପେଲେଙ୍କ ୨୦୦୦ରୁ ଅଧିକ ସାମଗ୍ରୀର ନିଲାମୀ ହୋଇଥିଲା । ଏଥିରେ ବିଶ୍ୱକପ୍ ମେଡାଲ, ଟ୍ରଫି ଆଦି ରହିଥିଲା । ନିଲାମୀର ମୂଲ୍ୟ ୪.୨ ମିଲିୟନ ଡଲାର ହୋଇଥିଲା ।