କଲ୍ୟାଣପୁର ୧୭।୧: ବିହାର ପୂର୍ବ ଚମ୍ପାରଣ ଜିଲ୍ଲା କଲ୍ୟାଣପୁର ବ୍ଲକ କ୍ୟଥଭଲିଆ ଜାନକୀ ନଗର ଶନିବାର ଭାରତର ଇତିହାସ ପୃଷ୍ଠାରେ ସ୍ଥାନ ପାଇଛି। ଏଠାକାର ବୃହତ୍ତ ରାମାୟଣ ମନ୍ଦିରରେ ବିଶ୍ୱର ସବୁଠୁ ବଡ଼ ସହସ୍ର ଶିବଲିଙ୍ଗ ସ୍ଥାପିତ ହୋଇଛି। ଏହି ଭବ୍ୟ ଆୟୋଜନ ବିହାରକୁ ଭକ୍ତି ଭାବରେ ନିମଗ୍ନ କରିଛି। ସହସ୍ର ଶିବଲିଙ୍ଗ ସ୍ଥାପନା ନିମନ୍ତେ ମନ୍ଦିରରେ ସକାଳରୁ ଭକ୍ତଙ୍କ ସମାଗମ ଜାରିଥିଲା। ତେବେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପସ୍ଥିତିରେ ଶିବଲିଙ୍ଗ ସ୍ଥାପିତ ହୋଇଛି।

ଉଲ୍ଲେଖଯୋଗ୍ୟ ଯେ ବିରାଟ ରାମାୟଣ ମନ୍ଦିରର ଏହି ଗୌରବଶାଳୀ କ୍ଷଣ ଦୀର୍ଘ ବର୍ଷର ପରିଶ୍ରମ ପରେ ସାମ୍ନାକୁ ଆସିଛି। ମନ୍ଦିରର ନିର୍ମାଣ ନିମନ୍ତେ ୨୦ ଜୁନ ୨୦୨୩ରେ ଶିଳାନ୍ୟାସ ହୋଇଥିଲା। ଆଚାର୍ଯ୍ୟ କିଶୋର କୁଣାଳ ମନ୍ଦିର ନିର୍ମାଣର ନେତୃତ୍ୱ ନେଇଥିଲେ। ଦୀର୍ଘ ଦେଢ ବର୍ଷ ଧରି ଶହଶହ ଶ୍ରମିକ ଅଥକ ପରିଶ୍ରମ କରି ମନ୍ଦିରର ନିଅଁ ପକାଇଥିଲେ। ଏବେ ତାମିଲନାଡୁର ମହାବଳିପୁରମରେ ନିର୍ମିତ ୩୩ ଫୁଟ ଉଚ୍ଚା ଓ ୨୧୦ ଟନ ଓଜନର ସହସ୍ର ଲିଙ୍ଗମର ସ୍ଥାପନା ମନ୍ଦିରର ଭବ୍ୟତାକୁ ଆହୁରି ବଢାଇ ଦେଇଛି।

ଏହି ପବିତ୍ର ଅନୁଷ୍ଠାନରେ ସମସ୍ତିପୁର ସାଂସଦ ଶାମ୍ଭବୀ ଚୌଧୁରୀ ଓ ତାଙ୍କ ସ୍ୱାମୀ ସାୟଣ କୁଣାଳ ମନ୍ଦିର ପ୍ରତିଷ୍ଠାରେ ଯଯମାନ ରୂପେ ଯୋଗ ଦେଇଛନ୍ତି। କାଶୀରୁ ଆସିଥିବା ବିଦ୍ୱାନ ଆଚାର୍ଯ୍ୟମାନେ ପୀଠ ପୂଜା ପ୍ରସ୍ତୁତି ଦାୟିତ୍ୱ ନେଇଛନ୍ତି। ମନ୍ଦିର ପରିସରରେ ଯଜ୍ଞ ଓ ବୈଦିକ ମନ୍ତ୍ରୋଚାରଣ ବାତାବରଣକୁ ଭକ୍ତି ଓ ଆଧ୍ୟାତ୍ମିକ ଉର୍ଜାରେ ଭରି ଦେଇଛି। ଏହା କେବଳ ଏକ ଶିବ ଲିଙ୍ଗ ନୁହେଁ ବରଂ ଆସ୍ଥା ବିଶ୍ୱାସ ଓ ପ୍ରାଚୀନ ଭାରତୀୟ ପରମ୍ପରାର ଅପୂର୍ବ ସଙ୍ଗମ ବୋଲି କୁହାଯାଉଛି।

ବିଶାଳ ଶିବଲିଙ୍ଗ ସ୍ଥାପନା ଅବସରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନିଜେ ମନ୍ଦିର ପହଞ୍ଚି ସ୍ଥାପନାର ସମ୍ପୂର୍ଣ୍ଣ ପ୍ରକ୍ରିୟା ନିରୀକ୍ଷଣ କରିଛନ୍ତି। ଏହି ଅବସରରେ ସେ ମନ୍ଦିର ପରିସର ଭ୍ରମଣ କରି ଆୟୋଜନର ଭବ୍ୟତାକୁ ଉଚ୍ଚ ପ୍ରଶଂସା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ଅନେକ ବରିଷ୍ଠ ନେତା ଓ ରାଜ୍ୟ ପ୍ରଶାସନର ଅଧିକାରୀମାନେ ମଧ୍ୟ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ଆଗମନ ନିମନ୍ତେ ମନ୍ଦିର ପରିସରର ସୁରକ୍ଷା କଡ଼ାକଡ଼ି କରାଯାଇଥିଲା। ତେବେ ମୁଖ୍ୟମନ୍ତ୍ରୀ ସୁରକ୍ଷା ପାଇଁ ମନ୍ଦିରରେ ସାଧାରଣ ଭକ୍ତଙ୍କ ଦର୍ଶନ ଓ ପୂଜାର୍ଚ୍ଚନାରେ କୌଣସି ବାଧା ଉପୁଜି ନାହିଁ।