ନବରଙ୍ଗପୁର ୨୩।୭: ରାସ୍ତା କଡ଼ରେ କ୍ଷେତ ଭିତରେ ଓଲଟି ପଡ଼ିଛି ଯାତ୍ରୀବାହୀ ବସ୍ । ଚାରିଆଡ଼େ ଖେଳାଇ ହୋଇ ପଡ଼ିଛି ବସ୍‌ର ଭଙ୍ଗା କାଚ । ଆଉ ଆହତ ଯାତ୍ରୀଙ୍କ ଚିତ୍କାରରେ କମ୍ପି ଉଠୁଛି ସାରା ଅଞ୍ଚଳ । ୫୦ରୁ ୬୦ ଯାତ୍ରୀ ଥିବା ବସ୍‌ଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା କ୍ଷେତକୁ ଓଲଟି ପଡ଼ିଛି । ଦୁର୍ଘଟଣାରେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ଅଳ୍ପକେ ଟଳିଯାଇଛି ଏକ ବଡ଼ ଅଘଟଣ । କୋରାପୁଟ ଜିଲ୍ଲା ଆଉଁଳି ଗାଁ ନିକଟରେ ଏଭଳି ବସ୍ ଦୁର୍ଘଟଣା ଘଟିଛି ।

ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡିରୁ ଗୁଣୁପୁର ଅଭିମୁଖେ ଯାଉଥିଲା ଜଗାକାଳିଆ ନାମକ ବସ୍ । ନବରଙ୍ଗପୁରରେ ବିଳମ୍ବ ହୋଇଥିବାରୁ ଦ୍ରୁତ ଗତିରେ ଜୟପୁର ଅଭିମୁଖେ ଯାଉଥିଲା । ଆଉଁଳି ଗାଁ ନିକଟରେ ବସ୍‌ଟି ଭାରସାମ୍ୟ ହରାଇ ପ୍ରଥମେ ରାସ୍ତା କଡ଼ରେ ଥିବା ଡିଭାଇଡରକୁ ଧକ୍କା ଦେଇ କ୍ଷେତକୁ ଓଲଟି ପଡ଼ିଥିଲା ।

Also Read:- ଗୁଣ୍ଡିଚା ମନ୍ଦିରରେ ମହିଳା ଶ୍ରଦ୍ଧାଳୁ ବେହୋସ୍, ପୁରୀ ହସ୍ପିଟାଲରେ ଭର୍ତ୍ତି

ଦୁର୍ଘଟଣା ପରେ ବସ୍‌ରେ ଥିବା ଯାତ୍ରୀଙ୍କ ମଧ୍ୟରେ ଭୟ ଖେଳିଯାଇଥିଲା । କେହି ବସ୍ ଭିତରେ ଫସି ରହିଥିବା ବେଳେ କେହି ନିଜେ ବାହାରକୁ ଆସିଥିଲେ । ନିକଟସ୍ଥ କ୍ଷେତରେ କାମ କରୁଥିବା ଲୋକେ ପ୍ରଥମେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ପରେ ନବରଙ୍ଗପୁର ଓ ବୋରିଗୁମ୍ମା ଅଗ୍ନିଶମ ବାହିନୀ ପହଞ୍ଚି ବସ୍‌ରେ ଫସିଥିବା ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ଦୁର୍ଘଟଣାରେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଆହତ ମାନଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ବୋରିଗୁମ୍ମା ଚିକିତ୍ସାଳୟକୁ ପଠାଯାଇଛି । ଏପଟେ ବୋରିଗୁମ୍ମା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର କାରଣ ନେଇ ତଦନ୍ତ ଆରମ୍ଭ କରିଛି । ପ୍ରକୃତରେ କେଉଁ କାରଣରୁ ବସ୍‌ଟି ଭାରସାମ୍ୟ ହରାଇଲା ସେନେଇ ତଦନ୍ତ ଚାଲିଛି ।