ଭୁବନେଶ୍ୱର ୦୮।୦୮ : ଝିଅ ପାଇଁ ଛତିଶଗଡ଼ରୁ ଧାଇଁ ଆସିଲେ ମାଆ । ପୂରା ଛତିଶଗଡ଼ ଉଣ୍ଡାଳି ପକାଇଥିଲେ। କିନ୍ତୁ ଝିଅର କିଛି ବି ଖିଅ ମିଳୁନଥିଲା । ସପ୍ତାହେ ତଳେ ସୋସିଆଲ୍ ମିଡିଆରେ ଝିଅର ଏକ ଫଟୋ ଦେଖି ବ୍ୟସ୍ତ ହୋଇପଡ଼ିଥିଲେ ମା । ଝିଅର ସ୍କୁଲ ଡ୍ରେସକୁ ଦେଖି ସିଧା ଭୁବନେଶ୍ୱର ଆସିଥିଲେ। ସୁଦୂର ଛତିଶଗଡ଼ରୁ ନିଜ ଝିଅକୁ ଖୋଜି ଖୋଜି ଭୁବନେଶ୍ୱରରେ ପହଞ୍ଚିଥିବା ଜଣେ ମାଆଙ୍କ କାହାଣୀକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ମହିଳାଙ୍କ ନାଁ ପ୍ରାଚୀ ଥାପା, ତାଙ୍କ ଘର ଛତିଶଗଡ଼ରେ। ସହିଦନଗର ଥାନାର ଦ୍ୱାରସ୍ଥ ହୋଇ ସେ କୁନି ଝିଅକୁ ସାଙ୍ଗରେ ନେବା ପାଇଁ ଜିଦ୍ ଧରିଛନ୍ତି। ନହେଲେ, ଥାନା ସାମ୍ନାରେ ଆତ୍ମାହୂତି ଦେବାକୁ ସେ ଧମକ ଦେଇଛନ୍ତି।

ଢେଙ୍କାନାଳର ସୁଶାନ୍ତ ସାହୁ ନାମକ ଯୁବକ ୨୦୧୯ ମସିହାରେ ଛତିଶଗଡ଼ ରାୟପୁରର ଏକ ଘରୋଇ କମ୍ପାନୀରେ ଚାକିରି କରୁଥିବା ବେଳେ ପ୍ରାଚୀଙ୍କ ସହ ତାଙ୍କର ବନ୍ଧୁତା ବଢ଼ିଥିଲା । ଲକ୍ ଡାଉନ ବେଳେ ଉଭୟ ପ୍ରେମ ବିବାହ ବି କରିଥିଲେ। ୫ ବର୍ଷ କାଳ ସେଠାରେ ଏକାଠି ରହିଥିଲେ । ଉଭୟଙ୍କର ଝିଅ ଜନ୍ମ ହେଲା। କିଛି ମାସ ତଳେ ସୁଶାନ୍ତ ଝିଅକୁ ସାଙ୍ଗରେ ଧରି କି ଭୁବନେଶ୍ୱର ପଳାଇ ଆସିଥିଲେ। ସେବେଠାରୁ ଝିଅକୁ ଖୋଜି ଖୋଜି ପାଗଳ ପ୍ରାୟ ହୋଇଯାଇଥିଲେ ପ୍ରାଚୀ। ସୁଶାନ୍ତ କି ଶାଶୁଘର ଲୋକେ ତାଙ୍କ ଫୋନ୍ ଉଠାଉ ନଥିଲେ। ସୋସିଆଲ ମିଡିଆରୁ ଝିଅ ଫଟୋ ଦେଖି ପ୍ରାଚୀ ଭୁବନେଶ୍ବର ସ୍ଥିତ ସ୍କୁଲରେ ପହଞ୍ଚିଥିଲେ। ସେଠାରେ ଝିଅର ଠିକଣା ବୁଝି ସହିଦନଗର ବାୟାବାୟା ମଠ ଅଞ୍ଚଳରେ ରହୁଥିବା ସୁଶାନ୍ତଙ୍କ ଘରେ ପହଞ୍ଚିଥିଲେ। ଜାଣିଥିଲେ, ସୁଶାନ୍ତ ଆଉ ଜଣଙ୍କୁ ବିବାହ କରିଥିଲେ । ଝିଅକୁ ବଳପୂର୍ବକ ନେବା ବେଳେ ସୁଶାନ୍ତ ଓ ପରିବାର ଲୋକଙ୍କ ସହ ତାଙ୍କର ହାତାହାତି ହୋଇଥିଲା । ମାମଲା ଶେଷରେ ସହିଦନଗର ଥାନାରେ ପହଞ୍ଚିଛି।

Watch Video:-