ବ୍ରହ୍ମପୁର ୮।୨: ​​​​​​​ହେ ମା’ ତାରାତାରିଣୀ ତୁ ତ ସବୁ ଜାଣୁ, ମୁଁ କେମିତି ଅଛି, ମୋ ପରିବାର କେମିତି ଅଛି । ତୁ କହ ମା’ ମୁଁ ଆଉ କେତେ ଦୁଃଖ ସହିବି । ମୁଁ ଯଦି ଛୋଟ ବେଳୁ ଏତେ ଦୁଃଖ ସହିବି, ବଡ଼ ହେଲେ ମୋ ଭାଗ୍ୟରେ କ’ଣ ଲେଖା ହୋଇନଥିବ । ମୁଁ ଏତେ ଦୂରରୁ ଆସିଛି ତୋତେ କିଛି ମାଗିବାକୁ । ମୁଁ ତୋତେ ବେଶୀ କିଛି ମାଗିବିନି ମା’ । ଖାଲି ଏତିକି କହିବି, ମୋତେ ପାଠ ଦେ, ବୁଦ୍ଧି ଦେ । ମୋ ଭାଇନାକୁ ବୁଦ୍ଧି ଦିଅ, ଭଲରେ ରଖ । ମୋ ବୋଉକୁ ଭଲରେ ରଖେ । ତା ମନରେ କେବେ ଦୁଃଖ ଦବୁନି । ମୋ ଜେଜେବାପା, ଜେଜେମାଆକୁ ଭଲରେ ରଖ । ତୁ ତ ମୋ ବିଷୟରେ ସବୁ ଜାଣୁ । ମୁଁ ଏତିକି ଚାହୁଁଛି, ତୁ ଜାଣୁ ଆମ ପଛରେ ଗୋଟିଏ ଶତ୍ରୁ ଲାଗି ରହିଛି । ତାକୁ ଯେମିତି ଆମ ରାସ୍ତାରୁ ଦୂରେଇ ଦେ ମା’ । ମୁଁ ଛୋଟ ପିଲା ହେଇ ମଧ୍ୟ ମୋର ବହୁତ ଆଶା ରହିଛି । ହଉ ମା’ ତୁ ମୋ ମନୋସ୍କାମନା ପୂରଣ କରିବୁ । ଭଲରେ ଥା ଲୋ ମା’ ।

ଏ ଖବର ବି ପଢନ୍ତୁ:- ପ୍ୟାଭିଲିୟନ ଫେରୁଥିଲେ ଜଣଙ୍କ ପରେ ଜଣେ ବ୍ୟାଟର୍, କିନ୍ତୁ ଗମ୍ଭୀରଙ୍କ ଗୋଟିଏ କଥା ବଦଳାଇ ଦେଲା ସବୁ କିଛି​​​​​​​

ଶୁଣିଲେ ତ, ଏସବୁ କଥା ଜଣେ କୁନି ଭକ୍ତର । ତା ମନର କଥା ସେ ମା’ ତାରାତାରିଣୀଙ୍କୁ ଜଣାଇଛି । ଚିଠିରେ ଅଭିମାନ ଆଉ ଗୁହାରିର ପୁଳା ପୁଳା ଶବ୍ଦ । ମା’ଙ୍କୁ ସେ ଟଙ୍କା କି ସୁନା ଦେବାକୁ ଅଳି କରିନି । ମାଗିଛି ତ କେବଳ ପରିବାରର ଖୁସି । ଆଉ ନିଜ ପାଇଁ ମାଗିଛି ପାଠ ଆଉ ବୁଦ୍ଧି । ପରିବାର ଲୋକଙ୍କୁ ଭଲରେ ରଖିବାକୁ କରିଛି ଗୁହାରି । କାହାରିକୁ ଦୁଃଖ ନଦେବାକୁ ମା’ ଜଣାଇଛି । ଆଉ ଶତ୍ରୁକୁ ନାଶ ପାଇଁ କରିଛି ଆକୁଳ ନିବେଦନ । ମନର ସବୁ କଥାକୁ କାଗଜ ଖଣ୍ଡିଏରେ ଲେଖି ପକାଇ ଦେଇଛି ମା’ର ହୁଣ୍ଡିରେ । ତାର ଦୃଢ଼ ବିଶ୍ବାସ ଆଉ ଆଶା ମା’ ତା ଡାକ ନିଶ୍ଚୟ ଶୁଣିବେ, ଆଉ ଦୁଃଖ ଦୂର କରିବେ ।

ଏ ଖବର ବି ପଢନ୍ତୁ:- ପରୀକ୍ଷା ସୁପରିଚାଳନା ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ, ସତର୍କ ଏବଂ ସଜାଗ ରହିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ପ୍ରାୟ ୪ ମାସ ପରେ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀ ମନ୍ଦିରର ହୁଣ୍ଡି ଖୋଲାଯାଇଥିଲା । ପୁରୁଷୋତ୍ତମପୁର ତହସିଲଦାର ଏବଂ ସେବାୟତଙ୍କ ଉପସ୍ଥିତିରେ ଖୋଲିଥିଲା ହୁଣ୍ଡି । ସେଥିରୁ ମିଳିଥିଲା ପୁଳା ପୁଳା ଟଙ୍କା ଆଉ ସୁନା ସହ ବିଦେଶୀ ଟଙ୍କା । ଆଉ ତାରି ଭିତରେ ଥିଲା ଏକ ବେଦନାଭରା ଚିଠିଟିଏ । ମା’ଙ୍କ ଉଦ୍ଦେଶ୍ୟରେ ଲେଖିଛି କୁନି ଭକ୍ତଟିଏ । ଯାହା ସେଠାରେ ଉପସ୍ଥିତ ଥିବା ସମସ୍ତଙ୍କ ଆଖି ଛଳ ଛଳ ହୋଇଯାଇଥିଲା ।​​​​​​​ଛୋଟ ପିଲାଟିଏ ହେଲେ ବି ପରିବାର ପ୍ରତି ତାର ଭଲପାଇବା ଆଉ ଚିନ୍ତା ନିଶ୍ଚୟ ହୃଦୟସ୍ପର୍ଶୀ । ମା’ ନିଶ୍ଚୟ ତାର ଗୁହାରି ଶୁଣିବେ ବୋଲି ଆଶା ।​​​​​​​