ଭୁବନେଶ୍ୱର ୦୮।୦୨ : ପରୀକ୍ଷା ସୁପରିଚାଳନା ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ । ଏହି ବୈଠକରେ ଆଗାମୀ ଦିନରେ ହେବାକୁ ଥିବା ପରୀକ୍ଷା କିପରି ସୁପରିଚାଳନାରେ କରାଯିବ, ସେଥିପ୍ରତି ଧ୍ୟାନ ଦେବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ଫେବୃଆରୀ ୧୮ ତାରିଖରୁ ବାର୍ଷିକ ଉଚ୍ଚ ମାଧ୍ୟମିକ ଏବଂ ୧୯ରୁ ମାଟ୍ରିକ ସମେତ ରାଜ୍ୟମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍‌ ପରୀକ୍ଷା ଅନୁଷ୍ଠିତ ହେବ । ଏହି ସବୁ ପରୀକ୍ଷାରେ କିପରି ବିଶୃଙ୍ଖଳା ଦେଖାଦେବନାହିଁ । କିପରି ପରୀକ୍ଷାକୁ ସୁପରିଚାଳନା କରାଯିବ । ସେନେଇ ମୁଖ୍ୟ ଶାସନ ସଚିବ ଏକ ସମୀକ୍ଷା ବୈଠକ ଡାକିଥିଲେ । ଯେଉଁଥିରେ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିଥିଲେ । ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ସହ କୌଣସି ଭୁଲ୍‌କୁ ବରଦାସ୍ତ କରାଯିବନାହିଁ । ଏହାସହିତ ପରୀକ୍ଷାରେ ଜଡିତ ସମସ୍ତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ନିୟୋଜିତ ହେଉଥିବା ସଂସ୍ଥାମାନେ ସତର୍କତା ସହ ସମସ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।  ଆଭାସୀ ମାଧ୍ୟମରେ ହୋଇଥିବା ଏହି ବୈଠକରେ ରାଜ୍ୟର ସମସ୍ତ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳଙ୍କ ସମେତ ଆରକ୍ଷୀ ଅଧିକ୍ଷକମାନେ ଯୋଗଦେଇଥିଲେ।  ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଡଃ. ଏନ୍‌ ତିରୁମାଳା ନାଏକଙ୍କ ସମେତ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାର ଅଧ୍ୟକ୍ଷ ଶ୍ରୀ ମୃଣାଳ କାନ୍ତି ଦାସ, ପରୀକ୍ଷା ନିୟନ୍ତ୍ରକ ଶ୍ରୀ ପ୍ରଶାନ୍ତ କୁମାର ପରିଡା, ଉପ ଶାସନ ସଚିବ ଶ୍ରୀ ଯଶବନ୍ତ ସାମଲ ପ୍ରମୁଖ ଉପସ୍ଥିତ ଥିବା ବେଳେ ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ଶ୍ରୀ ଶ୍ରୀକାନ୍ତ ତରାଇ, ଉପ ସଭାପତି ଶ୍ରୀ ଅମୁଲ୍ୟ କୁମାର ପ୍ରଧାନ, ପରୀକ୍ଷା ନିୟନ୍ତ୍ରକ ଶ୍ରୀ ଚକ୍ରଧର ବେହେରା ପ୍ରମୁଖ ଉପସ୍ଥିତ ରଖି ଶୃଙ୍ଖଳିତ ପରୀକ୍ଷା ପରିଚାଳନା ନେଇ ତଥ୍ୟ ରଖିଥିଲେ।