ବଡ଼ବିଲ: ଅଜଣା ବାଇକ୍ ଧକ୍କାରେ ୪ ବର୍ଷର ଶିଶୁ କନ୍ୟାର ମୃତ୍ୟୁ । ମୃତ ଶିଶୁ ଚମ୍ପୁଆ ଥାନା ଅନ୍ତର୍ଗତ ଚନ୍ଦ୍ରଶେଖରପୁର ନୂଆଗାଁ ଅଞ୍ଚଳର ହରିଶ ପୂର୍ତ୍ତିଙ୍କ ୪ ବର୍ଷର ଝିଅ ଲିସା ପୂର୍ତ୍ତି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖାଦେଇଥିବା ବେଳେ କ୍ଷତିପୂରଣ ଦାବିରେ ଲୋକଙ୍କ ରାସ୍ତାରୋକ ।

ମିଳିଥିବା ସୂଚନା ଅନୁସାରେ, ଦ୍ରୁତଗାମୀ ବାଇକ୍ ତୁରୁମୁଙ୍ଗା ପଟୁ ଆସି ଶିଶୁ କନ୍ୟାଟିକୁ ଧକ୍କା ଦେଇଥିଲା। ଦୁର୍ଘଟଣା ଘଟାଇବା ପରେ ଚାଳକ ବାଇକ୍ ସହ ରଜିଆ-ରିମୁଳି ରାସ୍ତା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।

ଏପଟେ ଗୁରୁତର ଶିଶୁଟିର ମୃତ୍ୟୁକୁ ନେଇ ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇଉଠିଥିଲେ । କ୍ଷତିପୂରଣ ଓ ଅଭିଯୁକ୍ତଙ୍କୁ ଗିରଫ ଏବଂ ହମ୍ପସ୍ ନିର୍ମାଣ ଆଦି ଦାବିରେ ଚମ୍ପୁଆ-ତୁରୁମୁଙ୍ଗା ମୁଖ୍ୟ ରାସ୍ତା ଅବରୋଧ କରିଥିଲେ। ଫଳରେ ଉଭୟ ପାର୍ଶ୍ୱରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।

ତେବେ ଖବର ପାଇ ଘଟଣାସ୍ଥଳରେ ଚମ୍ପୁଆ ପୋଲିସ ଓ ସ୍ଥାନୀୟ ପ୍ରଶାସନ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ତୁରନ୍ତ ସହାୟତା ସ୍ୱରୂପ ରେଡ୍ କ୍ରସ୍ ପାଣ୍ଠିରୁ ମୃତକଙ୍କ ପରିବାରକୁ ୩୦ ହଜାର ଟଙ୍କା ପ୍ରଦାନ କରାଯିବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା। ଅନ୍ୟପକ୍ଷରେ, ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବାଇକ୍ ଚାଳକଙ୍କୁ ଚିହ୍ନଟ କରି ଧରିବା ପାଇଁ ପୋଲିସ୍ ତଦନ୍ତ ଜାରି ରଖିଛି।